ତାଳଚେର : ନିକଟରେ ରାଜ୍ୟ ସରକାରଙ୍କ ଶକ୍ତିମନ୍ତ୍ରୀ ଚଳିତବର୍ଷ ବିଦ୍ୟୁତ୍କାଟ୍ ହେବ ନାହିଁ ବୋଲି ଦୃଢ଼କ୍ତି ପ୍ରକାଶ କରିଥିବା ବେଳେ ଶିଳ୍ପନଗରୀ ତାଳଚେର ଅଂଚଳରେ ୩ଟି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସହ ପ୍ରଚୁର କୋଇଲା ମହଜୁଦ୍ ରହିଥିବା ବେଳେ ଏଭଳି ଏକ ଅଂଚଳରେ ଅଘୋଷିତ ବିଦ୍ୟୁତ୍କାଟ୍ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି । ଓଡ଼ିଶାର ଉତପ୍ତ ସହରଭାବେ ତାଳଚେର ପରିଣତ ହୋଇଥିବା ବେଳେ ଆଜକୁ ଦୁଇଦିନ ହେବ ପାରଦ ଖସୁନି ତଳକୁ । ବାତ୍ୟାଜନିତ ପାଗ କୋହଲା ରହିଥିବାରୁ ଖରା ପ୍ରକୋପ ଏତେଟା ଜଣାପଡ଼ୁ ନଥିଲା । କିନ୍ତୁ ଏହାର ପ୍ରଭାବ ଆଜି ପ୍ରଖର ହୋଇଥିବା ଅନୁମାନ କରାଉଥିବା ବେଳେ ପଥଚାରୀ ଠାରୁ ଆରମ୍ଭକରି ଅଂଚଳବାସୀ ତାତିରୁ ନିସ୍ତାର ପାଇନଥିବା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ତାଳଚେର ଅଂଚଳରେ ମାତ୍ରାଧିକ ଜଙ୍ଗଲା ଥିଲା ତାତି ସହିତ ଖରାର ପ୍ରଭାବ ବିଶେଷ ଜଣାପଡ଼ୁନଥିଲା । ତାଳଚେର ଯେବେ ଠାରୁ ଶିଳ୍ପନଗରୀରେ ପରିଣତ ହେଲା ଅର୍ଥାତ୍ କୋଇଲା ନଗରୀ ସହର ଭାବେ ପରିଚିତ ହେଲା, ଖଣିଖାଦାନ ଯୋଗୁଁ ଜଙ୍ଗଲଜମି ନଷ୍ଟ ହେବା ସାଙ୍ଗକୁ ଖରାପ୍ରକୋପ ବଢ଼ିବାକୁ ଲାଗିଲା । ପ୍ରଚଣ୍ଡ ଖରା ସହ ଅସହୟ ଗୁଳୁଗୁଳିରେ ଜନଜୀବନକୁ ପ୍ରଭାବିତ କରୁଥିବା ବେଳେ ତାଳଚେର ବିଦ୍ୟୁତ୍ ବିଭାଗର ପକ୍ଷରୁ ଦୀର୍ଘ କିଛି ଦିନ ବ୍ୟାପି ଅଘୋଷିତ ଭାବେ ସକାଳ ୮ଘଟିକା ଠାରୁ ମଧ୍ୟାହ୍ଣ ୧୨ଘଟିକା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୭ଘଟିକା ଠାରୁ ୮ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ ହୋଇଥିଲା । ସେହିଭଳି ପ୍ରତ୍ୟେକ ଦିନ ଗ୍ରାମାଚଂଳରେ ଅନୁରୂପଭାବେ ପୃଥକ ପୃଥକ ସମୟରେ ୩ରୁ ୪ଘଂଟା ପର୍ଯ୍ୟନ୍ତ ଅଘୋଷିତ ବିଦ୍ୟୁତ୍କାଟ ହୋଇଚାଲିଛି ବୋଲି ତାଳଚେର ଉପଭୋକ୍ତମାନେ ଅଭିଯୋଗ କରିଛନ୍ତି । ଦୈନନ୍ଦିନ ତାପମାତ୍ରା ବୃଦ୍ଧି ପାଇ ଆଜି ସରକାରୀ ସୂତ୍ରରୁ ୪୨.୦ ଥିବା ବେଳେ ବେସରକାରୀ ଭାବେ ୪୫ଡ଼ିଗ୍ରୀରୁ ଉର୍ଦ୍ଧ୍ୱ ଥିବା କୁହାଯାଉଛି । ଏପରିକି, ପ୍ରଚଣ୍ଡ ଖରାଜନିତ କଂଚାଗଛ ଗୁଡ଼ିକ ଝାଉଁଳି ପଡ଼ିବା ସହ ଦୁବଘାସ ପୋଡ଼ି ଯାଉଛି । ଅପରପକ୍ଷେ ଉତ୍କଟ ଜଳସଙ୍କଟ ବୃଦ୍ଧି ପାଉଥିବାରୁ କୁଅ ପୋଖରୀ, ନଈନାଳ ଶୁଷ୍କ ରହିଥବବା ବେଳେ ପାଣି ଟୋପାଏ ପାଇଁ ଜୀବଜଗତ ତ୍ରାହିତ୍ରାହି ଡ଼ାକ ଦେଉଥିବା ଦେଖାଦେଇଛି । ତେବେ ଏପରିସ୍ଥଳେ ବିଦ୍ୟୁତ୍ ବିଭାଗ ଚରମ ଅବହେଳା ଓ ମନମାନିକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏସମ୍ପର୍କରେ ସେସୁ ଏସଡ଼ିଓଙ୍କୁ ଫୋନ ମାଧ୍ୟମରେ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସେ କଲ୍ଟି ଗ୍ରହଣ କରିନଥିଲେ ।