ତାଳଚେର, ୦୭/୦୫ ରାଜ୍ୟ ସରକାରଙ୍କ ଅନୁଗୋଳ ଜିଲ୍ଳାର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଖଣ୍ଡ ତାଳଚେର (ଆରଡ଼ବ୍ଲୁଏସଏସ୍)ର ଦୁଇଜଣ ଏସଡ଼ିଓ ସମେତ ଏଜକ୍ୟୁଟିଭ୍ ଇଞ୍ଜିନିଅର୍, ୮ଜଣ ଜେଇ ପଦବୀ ଖାଲିଥିବାରୁ କାର୍ଯ୍ୟାଳୟଟି ଲୋକଙ୍କ ସେବାରେ ଆସି ପାରୁନଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ହେଁ ସରକାର କାହିଁକି ଯେ, ତାଳଚେର ପାଇଁ ଟାଳଟୁଳି ନୀତି ଅବଲମ୍ବନ କରୁଛନ୍ତି ତାକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ? ଏହି ଖବର ସରକାରଙ୍କ ଦୃଷ୍ଟିକୁ ଆସିଥିଲେ୍ ମଧ୍ୟ ବର୍ତମାନ ସୁଦ୍ଧା କୌଣସି ହେଲେ ସୁଫଳ ମିଳିପାରିନଥିବାରୁ ବିଗତ ଦିନରେ ବଡ଼ଧରଣର ଜନଆନ୍ଦୋଳନ ଦାନାବାନ୍ଧିବା ଆରମ୍ଭ କରିଛି । ଏଠାରେ ଜଳସଂଙ୍କଟ ଉତ୍କଟ ରୂପ ଧାରଣ କରିଥିବା ବେଳେ କାର୍ଯ୍ୟାଳୟରେ ସମ୍ପୃକ୍ତ ଅଧିକାରୀମାନେ ନଥିବାରୁ ଅଂଚଳବାସୀ ଅଭିଯୋଗ କରିବେ କାହାକୁ! ଦୀର୍ଘ ଦେଢ଼ବର୍ଷ ହେବ ଏଠାରେ ଅବସ୍ଥାପିତ ଏସଡ଼ିଓ ଭିଜିଲାନ୍ସ ଜାଲରେ ଛନ୍ଦି ହେବାପରେ ସେହି ପଦବୀଟି ଅଦ୍ୟାବଧି ପଦବୀ ପୂରଣ କରାଯାଇ ନାହିଁ ଓ ଆଉ ଏକ ଏସଡ଼ିଓ ପଦବୀ ଦୀର୍ଘ ଦିନହେବ ପଦବୀ ଖାଲି ପଡ଼ିଛି । ଏଜକ୍ୟୁଟିଭ ଇଞ୍ଜିନିଅର୍ ଏଠାରୁ ଅବସର ନେବାପରେ ଏହି ପଦବୀ ମଧ୍ୟ ଖାଲି ପଡ଼ିଛି । ଏପରିକି, ୮ଜଣ କନିଷ୍ଠ ଯନ୍ତ୍ରୀ ମଧ୍ୟ ପୂରଣ କରାଯାଇ ପାରିନାହଁ । ଏହି କାର୍ଯ୍ୟାଳୟରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ୬ଜଣ କନିଷ୍ଠ ଯନ୍ତ୍ରୀ ରହିଛନ୍ତି ।
ଅବସ୍ଥାପିତ ୬ଜଣ କନିଷ୍ଠ ଯନ୍ତ୍ରୀ କିପରି ଭାବେ ଗୋଟିଏ ସ୍ଥାନରେ ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଏଠାରେ ରହି କାର୍ଯ୍ୟ କରୁଥିବା ସନ୍ଦେହ ଘେରକୁ ଟାଣିନେଇଛି ଏବଂ ସେମାନେ ମନପଲ୍ଲୀ ଭାବେ କାହାକୁ ଖାତିରନକରି କାର୍ଯ୍ୟ ଚଳାଇଥିବାକୁ ନେଇ ଅଂଚଳବାସୀ ଅଭିଯୋଗ କରିଛନ୍ତି ।
ଅନୁଗୋଳ ଜିଲ୍ଳାର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଖଣ୍ଡ ତାଳଚେର (ଆରଡ଼ବ୍ଲୁଏସଏସ୍) କାର୍ଯ୍ୟାଳୟ ତାଳଚେରରେ ଅବସ୍ଥିତ । ଏହି ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଜଳକଷ୍ଟକୁ ଦୃଷ୍ଟିରେ ରଖି ୧୬ହଜାର ନଳକୂପ ଖନନ କରାଯାଇ ଲୋକଙ୍କୁ ଜଳ ଯୋଗାଇ ଦିଆଯାଇଛି । ମାତ୍ର ଏଥିରୁ ଅଧାରୁ ଅଧିକ ଏବେ ଅଚଳ ଅବସ୍ଥାରେ ପଡ଼ି ରହିଥିବା ଅଭିଯୋଗ ହେଉଛି । ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଅଧିନରେ ୨୨୫ଟି ଗ୍ରାମପଂଚାୟତର ୧୬୨୨ଟି ଗ୍ରାମକୁ ସରକାରଙ୍କ ପକ୍ଷରୁ ସମସ୍ତଙ୍କ ଘରକୁ ପାନୀୟ ଜଳ ଯୋଗାଇ ଦେବାକୁ ଚିହ୍ନଟ କରାଯାଇଛି । ବର୍ତମାନ ସୁଦ୍ଧା ମେଗା ପ୍ରକଳ୍ପରୁ ଯୋଜନାରେ ଉକ୍ତ ଗ୍ରାମ ଗୁଡ଼ିକୁ ଏଲଏନଟି ଓ ଏନସିସି ଠିକାକମ୍ପାନୀ ପକ୍ଷରୁ ପାଇପ୍ ବିଛା କାର୍ଯ୍ୟ ଗ୍ରାମ ଗୁଡ଼ିକୁ ସମ୍ପୂର୍ଣ୍ଣ ହୋଇପାରି ନାହିଁ । ଏପରିକି, କିପିରି ଭାବେ ଉକ୍ତ କମ୍ପାନୀ କେତେକ ଗ୍ରାମରେ ମାଟି ଖୋଳି ପାଇପ ସଂଯୋଗ ନକରି ଖୋଲା ଛାଡ଼ି ଦେବାଫଳରେ ସେହି ଖାଲରେ ଗାଈଗୋରୁ, ଯାନବାହାନ ପଡ଼ି ଦୁର୍ଘଟଣାର ଶୀକାର ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ଏଥି ମଧ୍ୟରୁ କୁଆଡ଼େ ଶହେରୁ ଉର୍ଦ୍ଧ୍ୱ ଗ୍ରାମରେ ପାନୀୟଜଳ ଯୋଗାଇ ଦିଆଯାଇଛି ବୋଲି କେବଳ କାଗଜପତ୍ରରେ ଦର୍ଶାଯିବା ତାହା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
ଏହି କୋଟି କାଟି ଟଙ୍କା ପାଇପ୍ ବିଛା ସଂଯୋଗୀକରଣ କରିବା ସହିତ ଘରଘରକୁ ଜଳଯୋଗାଣ କାର୍ଯ୍ୟକୁ ଏନସିସି ଓ ଇଏନଟି ଠିକା କମ୍ପାନୀ ନେଇଛନ୍ତି । କାର୍ଯ୍ୟାଳୟରେ କର୍ମଚାରୀ ଅଭାବରୁ ଏହାର ତଦାରଖ ନକରିପାରିବା ଫଳରେ ଏହି କମ୍ପାନୀ ଗୁଡ଼ିକ କୁଆଡ଼େ ମନଇଚ୍ଛା ଓ ଲାଭଖୋର ମନଭାବ ରଖି ନିମ୍ନମାନର ପାଇପ୍ ଓ ଯନ୍ତ୍ରପାତି ଲଗାଇ ବେଶ ମାଲେମାଲ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ସେମାନଙ୍କ ଅବଧି ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟ ୫୦% ସରିପାରି ନାହିଁ । ତେଣୁ ଏକାର୍ଯ୍ୟ କେବେ ସମାପ୍ତ ହେବ କେଳବ ଭଗବାନ ହିଁ କହିପାରିବେ! ଏପରିକି, କାର୍ଯ୍ୟ ଠାରୁ ଅଧିକ ବିଲ କିପରିଭାବେ ଏହି କମ୍ପାନୀମାନେ ନେଇଛନ୍ତି ତାହା ସନ୍ଦେହ ଘେରକୁ ଟାଣି ଆଣିଛି । ବିଗତ ବର୍ଷରେ ୫ଶହରୁ ଉର୍ଦ୍ଧ୍ୱ ଗ୍ରାମକୁ ପାଇପ ଯୋଗେ ଜଳଯୋଗାଣ ହେଉଛି ବୋଲି କାଗଜପତ୍ରରେ ଦର୍ଶାଯାଇଛି । ମାତ୍ର ଏଥିରୁ କୁଆଡ଼େ ଶହେରୁ ଅଧିକ ଗ୍ରାମକୁ ଶେଷମୁଣ୍ଡକୁ ପାଣି ଯାଉନଥିବାରୁ ଟାଙ୍କି ସବୁ ଶୁଖିଲା ପଡ଼ି ରହିଛି । ଯାହା ଫଳରେ ଆଗାମୀ ଦିନରେ ଟାଙ୍କି ଗୁଡ଼ିକ ଲିକେଜ୍ ହେବା ଆଶଙ୍କା ଦେଖାଦେଇଛି । ତେଣୁ ତୁରନ୍ତ ୫-ଟି ସରକାର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି । ନତୁବା ଯେତିକି କାର୍ଯ୍ୟ ହୋଇ ସାରିଛି ତାହା ନଷ୍ଟ ହୋଇଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।