ତାଳଚେର ତା ୧୨/୦୪ ଶିଳ୍ପନଗରୀ ତାଳଚେର ଏକ ଉତପ୍ତ ସହରଭାବେ ପରିଗଣିତ ଏଠାରେ ପ୍ରଚଣ୍ଡ ଖରା ସହ ଦେଖା ଦେଉଛି ଉତ୍କଟ ଜଳସଙ୍କଟ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ସମାଜସେବା କରିବାକୁ ରୁଚି ରଖୁଥିବା ବ୍ୟବକ୍ତିମାନେ ତାଳଚେର ସହରର ବିଭିନ୍ନ ସ୍ଥାନରେ ବାଟୋଇ ଦାଣ୍ଡୋଇଙ୍କ ଉଦ୍ଦେଶ୍ୟରେ ଥଣ୍ଡା ପାନୀୟ ଜଳପ୍ରକଳ୍ପ ନିର୍ମାଣ କରାଯାଇଛି । ତାଳଚେର ପୌରପରିଷଦ ମଧ୍ୟରେ ଏପରିଭାବେ ୧୦ଟି ସ୍ଥାନରେ ଥଣ୍ଡାପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି । ମାତ୍ର ଏବେ ଅଧାରୁ ଅଧିକ ଉକ୍ତ ପ୍ରକଳ୍ପ ଗୁଡ଼ିକ ଅଚଳ ହୋଇପଡ଼ିଥିବା ବେଳେ ଆଉ କିଛି ନିଶ୍ଚିହ୍ନ ହୋଇଯାଇଛି । ଏଥିପ୍ରତି ତାଳଚେର ପୌରପରିଷଦ, ସ୍ଥାନୀୟ ପ୍ରଶାସନ ଓ ଲୋକପ୍ରତିନିଧି ମାନଙ୍କର କିପରି ଦୃଷ୍ଟି ପଡ଼ୁ ନଥିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଜିଲ୍ଳା ଖଣିପାଣ୍ଠି ପକ୍ଷରୁ କୋଟି କୋଟିଟଙ୍କା ବିନିମୟରେ ତାଳଚେର ଟାଉନ୍, ହାଣ୍ଡିଧୂଆଁ, ହାଟତୋଟା, ତହସିଲ ଅଫିସ୍ କାର୍ଯ୍ୟାଳୟ, ତାଳଚେର କଲେଜ, ବସଷ୍ଟାଣ୍ଡ, ରାମଚନ୍ଦ୍ରବଜାର ଚିତ୍ରକୂଟ ପୋଖରୀ, ବଡ଼ବଜାର ଗୁଣ୍ଡିଚାମନ୍ଦିର, ତାଳଚେର ଥାନା, ମୁନିସ୍ପାଲିଟି ହାଇସ୍କୁଲ, ବ୍ରାହ୍ମଣୀ ବିହାର ଶିଶୁ ମନ୍ଦିର ସମ୍ମୁଖରେ ଏହି ଥଣ୍ଡାପାନୀୟଜଳ ପ୍ରକଳ୍ପ ଗୁଡ଼ିକ ତାଳଚେର ସହର ମୁଖ୍ୟରାସ୍ତା କଡ଼କୁ ଲାଗି ରହିଛି ଏବଂ ଏବେ ଏହି ପ୍ରକଳ୍ପ ଗୁଡ଼ିକ ଅଚଳ ହୋଇଯିବାରୁ ଏଥିରୁ ବଂଚିତ ହେଉଛନ୍ତି ଅଂଚଳବାସୀ ଓ ବାଟୋଇ ଦାଣ୍ଡୋଇ । ତେବେ ଏହି ପ୍ରକଳ୍ପ ଗୁଡ଼ିକ ସଚଳ ହେବ କେବେ? ଏବଂ ଏଗୁଡ଼ିକର ଦାୟୀତ୍ୱ କାହାର ବୋଲି ଉଠିଛି ପ୍ରଶ୍ନ? ପୁନଶ୍ଚ ପୌରପରିଷଦ ଓ ବ୍ଲକ ପକ୍ଷରୁ ବିଭିନ୍ନ ଛକ ମାନଙ୍କରେ ଗ୍ରୀଷ୍ମଋତୁକୁ ଦୃଷ୍ଟି ରଖି ଜଳଛତ୍ର ଖୋଲା ଯାଇଥାଏ । ମାତ୍ର ଚଳିତବର୍ଷ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କରାଯାଇ ନାହିଁ କାହିଁକି ଓ ଏହାର କାରଣ କ’ଣ ବୋଲି ଚର୍ଚ୍ଚା ହେଉଛି । ଏପରିକି, ଏମସିଏଲ ପକ୍ଷରୁ ସିଏସଆର ଅର୍ଥରେ ମଧ୍ୟ କିଛି ଛକ ସ୍ଥାନ ମାନଙ୍କରେ ଜଳଛତ୍ର ବ୍ୟବସ୍ଥା କରାଯାଇଥାଏ । ମାତ୍ର ଚଳିତ ଚଳିତବର୍ଷ ବର୍ତମାନ ଯାଏ ଏହା ହୋଇ ପାରି ନାହିଁ ବୋଲି ଅଭିଯୋଗ ହୋଇଛି ।