Odisha news

ଭୂତ କୋଠିରେ ପରିଣତ ପ୍ରଜାମଣ୍ଡଳ ଭବନ : ଟ୍ରଷ୍ଟ ହାତକୁ ଯିବ କେବେ?

0

ତାଳଚେର ତା ୦୯/୦୪ ତାଳଚେର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଗ୍ରାମୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଜାମଣ୍ଡଳ ଭବନଟି ଆଜି ଭୂତକୋଠିରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି । ପ୍ରାୟ ୧କୋଟିି ଟଙ୍କା ବିନିମୟରେ ଏହି ପ୍ରଜାମଣ୍ଡଳଟି ୧୯୯୮ ମସିହାରେ ଏମସିଏଲ ପକ୍ଷରୁ ଏହାର ମହତ ଉଦ୍ଦେଶ୍ୟ ନେଇ ନିର୍ମାଣ କରାଯାଇଥିଲା । ଏଥିନେଇ ତାଳଚେର ଅଂଚଳର ବହୁପୁରାତନ ପ୍ରସିଦ୍ଧ ଶନିବାର ହାଟକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ପଡ଼ିଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ତାଳଚେର ଅଂଚଳରେ ସ୍ୱାଧିନତା ଆନ୍ଦୋଳନରେ ଭାଗ ନେଇ ସେହି ସ୍ଥାନରେ ପ୍ରାଣବଳିଦେଇ ସହୀଦ ହୋଇଥିବା ଓ ପରେ ମୃତ୍ୟୁ ବରଣ କରିଥିବା ସେହି ମହାନବ୍ୟକ୍ତିମାନଙ୍କର ତୈଳଚିତ୍ର, ସେମାନଙ୍କର ସନ୍ତକ, ପୁସ୍ତକ, ପୁସ୍ତିକା ଗୁଡ଼ିକୁ ସଂଗୃହୀତ କରି ଏହି ଭବନରେ ସ୍ଥାନ ଦିଆଯାଇ ପରବର୍ତୀ ପୀଢ଼ି ପାଇଁ ଏହା ଏକ ମାର୍ଗ ଦର୍ଶକ ହେବା ସହିତ ଦେଶପ୍ରେମ ଜାଗରଣ ହୋଇାରପିବ ବୋଲି ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ।

ମାତ୍ର ସ୍ଥାନୀୟ ପ୍ରାଶାସନ ହେଉ ବା ଲୋକପ୍ରତିନିଧିଙ୍କ ଅପାରଗତାକୁ ନେଇ ଏବେ ଏହି ପ୍ରଜାମଣ୍ଡଳ ମନ୍ଦିରଟି ଜରାଜିର୍ଣ୍ଣ ଅବସ୍ଥା ହୋଇ ଏହା ଭୂତ କୋଠିରେ ପରିଣତ ହୋଇଛି । ଏହା କ’ଣ ତାଳଚେରବାସୀଙ୍କ ପାଇଁ ସ୍ୱାଭିମାନ ନା ଅପମାନ! ଏହି ପ୍ରଜାମଣ୍ଡଳ ସ୍ଥାନଟି ପୂର୍ବେ ରଣକ୍ଷେତ୍ର ପାଲଟିଥିଲା ଏବଂ ଏହି ସ୍ଥାନରେ ଅନେକ ଦେଶ୍ରପ୍ରେମୀ ମୃତାହତ ହୋଇଥିଲେ ତେଣୁ ଏହି ସ୍ଥାନଟିରେ ପ୍ରଜାମଣ୍ଡଳ ଭବନ ନିର୍ମାଣ କରିବାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରାଗାନ୍ଧିଙ୍କ ନିର୍ଦ୍ଦେଶରେ ଏହା ନିର୍ମାଣ କରାଯାଇଥିଲା । ଏତିକି ନୁହେଁ ଏଥିମଧ୍ୟରୁ ସେ ସମୟରେ ବଂଚି ରହିଥିବା ସ୍ୱାଧିନତା ସଂଗ୍ରାମୀମାନଙ୍କୁ ୰ଶ୍ରୀମତୀ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଜିଲ୍ଳାପାଳଙ୍କ ତତ୍ୱାବଧାନରେ ଏଠିକାର ସ୍ୱାଧିନତା ସଂଗ୍ରାମୀମାନଙ୍କୁ  ଟ୍ରେନଯୋଗେ ନିଆଯାଇ ଲାଲାକିଲା ଠାରେ ଅଗଷ୍ଟ ୧୫ରେ ଏମାନଙ୍କ ଉଦ୍ୟମ ସାହାସ ଓ ଦେଶପ୍ରେମ ପାଇଁ ସ୍ୱର୍ଗତା ଗାନ୍ଧୀ ତାମ୍ର ଫଳକ ଦେଇ ସମ୍ମାନୀତ କରିଥିଲେ । ଏହି ମହାନ ସ୍ୱାଧିନତା ସଂଗ୍ରାମୀମାନଙ୍କର ତାଳଚେର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍‌ୁଖରେ ସୃତିସ୍ତମ୍ବରେ ନାମ ଉଲ୍ଲେଖ ରହିଛି ।

ତେବେ ତାଳଚେର ଠାରେ ଏହି ମହତ୍ ଉଦ୍ଦେଶ୍ୟରେ ହୋଇଥିବା ପ୍ରଜାମଣ୍ଡଳ ଭବନଟି ଜରାଜିର୍ଣ୍ଣ ସାଙ୍ଗକୁ ପ୍ରାୟ ପାରା କୋଠିରେ ପରିଣତ ହୋଇ ସେମାନଙ୍କ ମଳରେ ପରିପୂର୍ଣ୍ଣ ହୋଇ ରହିଛି । ତେବେ ଏହି ଭବନଟି ନିର୍ମାଣ ହେବା ଦିନଠାରୁ ପୌରପରିଷଦ ହାତରେ ରହିଛି ଏବଂ ଏହି ସ୍ଥାନରୁ ପ୍ରତ୍ୟେକ ବର୍ଷ, ବିଭିନ୍ନ ଯାନୀଯାତ୍ରା, ଦୋକାନ ବଜାର, ମେଳାରୁ ଲକ୍ଷଲକ୍ଷ ଟଙ୍କା ନେଇଥିଲେ ମଧ୍ୟ ଏହାର ରକ୍ଷଣବେଣକ୍ଷା ଅଭାବରୁ ଏପରି ଅବସ୍ଥା ହୋଇଛି ବୋଲି ଅଭିଯୋଗ ହେଉଛି । ତାଳଚେରବାସୀଙ୍କ ବାରମ୍ବାର ଅଭିଯୋଗ ପରେ ଏହି ଭବନକୁ ଭାଙ୍ଗି ଅତ୍ୟାଧୁନିକ ପ୍ରଣାଳୀରେ ଏହାକୁ ନିର୍ମାଣ କରାଯାଇ ଏହାର ମୁଖ୍ୟଉଦ୍ଦେଶ୍ୟ ତଥା ସ୍ୱାଧନତାସଂଗ୍ରାମୀଙ୍କ ଫଟୋଚିତ୍ର, ତୈଳଚିତ୍ର, ସନ୍ତକ, ବିଭିନ୍ନ ପୁସ୍ତକ, ପୁସ୍ତିକା ସଂଗ୍ରହ କରାଯାଇ ଏକ ସଂଗ୍ରାହଳୟ କରାଯାଇ ବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀମାନଙ୍କୁ ଦେଶପ୍ରେମ ଜାଗରଣ କରିବାକୁ ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୁଦ୍ଧା ପ୍ରାୟ ୫କୋଟିଟଙ୍କା ପଡ଼ି ରହିଥିବାକୁ ନେଇ ଅଂଚଳବାସୀଙ୍କ ମଧ୍ୟ ବିଭିନ୍ନ କଳ୍ପନାଜଳ୍ପନା ବୃଦ୍ଧି ପାଇଛି ।

ତାଳଚେର ଗଣମାଧ୍ୟମ ପ୍ରତିନିଧି ବିଭିନ୍ନ ଅନୁଷ୍ଠାନ, ସମାଜସେବୀ ପକ୍ଷରୁ ସ୍ଥାନୀୟ ପ୍ରଶାସନ, ଜିଲ୍ଳାପ୍ରଶାସନ ଏପରିକି ଏହି ପ୍ରଜାମଣ୍ଡଳ ଭବନଟିକୁ ଟ୍ରଷ୍ଟ କରିବା ନେଇ ଦାବି କରି ଆସୁଛନ୍ତି । ଏପରିକି ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ୰ବିଚ୍ଛନ୍ଦ ପ୍ରଧାନ ପରଲୋକ ହେବାର ମାସେ ପୂର୍ବରୁ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଳ ମଲ୍ଲୀକ ଏବଂ ଜିଲ୍ଳାପାଳ ସିଦ୍ଧାର୍ଥଶଙ୍କର ସ୍ୱାଇଁଙ୍କୁ ଏହି ପ୍ରଜାମଣ୍ଡଳକୁ ଟ୍ରଷ୍ଟ କରିବା ନେଇ ତାଙ୍କ ସ୍ୱାକ୍ଷରରେ ଏକ ପତ୍ରମାଧ୍ୟମରେ ଅବଗତ କରାଇଥିଲେ ମଧ୍ୟ ଫଳ ଏପର୍ଯ୍ୟନ୍ତ କିଛି ମିଳିପାରିଲା ନାହିଁ । ତେବେ ଏହି ମହତ ଉଦ୍ଦେଶ୍ୟ ସାକାର କେବେ ହେବ ନେଇ ଦେଶପ୍ରେମୀଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply