ତାଳଚେର ତା ୦୨/୦୪ ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ସରକାର ନାଗରୀକ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଥାନ୍ତି । ଏହା ଦ୍ୱାରା ସମାଜରେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକମାନେ ସୁଖସ୍ୱାଚ୍ଛନ୍ଦରେ ଜୀବନ ଅତିବାହାିତ କରିଥାନ୍ତି । ମାତ୍ର ଯେଉଁ ଯୋଜନା ଦ୍ୱାରା ଜଣେ ସାଧାରଣ ନାଗରୀକ ଜୀବନ ଦୁର୍ବିସହ ହୋଇ ଉଠେ ସେଭଳି ଯୋଜନା ସରକାର କାହା ପାଇଁ ପ୍ରଣୟନ କରିଥାନ୍ତି ତାହା ଆଜି ସାଧାରଣରେ ପ୍ରଶ୍ୱବାଚୀ ସୃଷ୍ଟି କରିଛି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨୦୦୫ମସିହାହରୁ ସରକାରୀ ଚାକିଅରିଆ ମାନଙ୍କ ପାଇଁ ନୂତନ ପେନସନ୍ ଯୋଜନା ଲାଗୁ କରିଛନ୍ତି । ଏହା ଦ୍ୱାରା ଜଣେ ସରକାରୀ ଶିକ୍ଷକ ନିଜ ଅବସର ପରେ କିଭଳି ଅତ୍ୟନ୍ତ ଦୟନୀୟ ଜୀବନ ବିତାଉଛନ୍ତି ତାହାର ନଗ୍ନଚିତ୍ର ଏବେ ପ୍ରତ୍ୟେକ ଅଂଚଳରେ ଦେଖିବାକୁ ମିଳିଛି ଯାହା ଅତ୍ୟନ୍ତ ଦୁଃଖଦାୟକ । ପ୍ରଥମେ ସରକାର ଶିକ୍ଷାସହାୟକ, ଗଣଶିକ୍ଷକ (ଏକ୍ସକ୍ୟାଡ଼ର୍) ଶିକ୍ଷକଭାବେ ଠିକା ନିଯୁକ୍ତି ଦେଇ ପରବର୍ତି ୬ବର୍ଷପରେ ଏମାନଙ୍କୁ ସ୍ଥାୟୀ କରିଥାନ୍ତି । ଏହି ଶିକ୍ଷକମାନେ ସରକାରଙ୍କ ସମସ୍ତ ନିତିନିୟମକୁ ସୁଚାରୂପେ ପାଳନ କରି କାର୍ଯ୍ୟ କରିଥାନ୍ତି । ଏପରିକି ଶିକ୍ଷକମାନେ ଜନଗଣନା, ଭୋଟରକାର୍ଯ୍ୟ, ବିପିଏଲ ତାଲିକା ପ୍ରସ୍ତୁତି, ବିଦ୍ୟାଳୟରେ ମଧ୍ୟାନ୍ନଭୋଜନ କାର୍ଯ୍ୟକ୍ରମ ସହିତ ଏସମସ୍ତ ବାଦ୍ କାର୍ଯ୍ୟକ୍ରମ କରିସାରିବା ପରେ ଆହୁରି ମଧ୍ୟ ବିଦ୍ୟାଳୟର ଆନୁସାଙ୍ଗିକ ଛାତ୍ର ଛାତ୍ରୀ ଉପସ୍ଥାପନ ଠାରୁ ଆରମ୍ଭକରି ପାଠପଢ଼ାଇବା ସ୍କୁଲ ୟୁନିଫର୍ମ, ଜୋତା ଓ ପୁସ୍ତକ ବଂଟନ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି ।
ମାତ୍ର ପରିତାପର ବିଷୟ ୨୦୦୫ ମସିହାରେ ନୂତନ ପେନସନ୍ ଯୋଜନା ସରକାର ପ୍ରଣୟନ କରିବାପରେ ଯେଉଁ ଶିକ୍ଷକ ଶିକ୍ଷୟତ୍ରୀ ନିୟମିତ ୧୦ବର୍ଷ ଚାକିରି କରି ଅବସର ନେବାପରେ ନୂତନ ପେନସନ୍ ହାରରେ ଏକ ହଜାର ଟଙ୍କା ଓ ଯେଉଁମାନେ ୨୦ବର୍ଷ ଚାକିରି କରି ଅବସର ନେଇଛନ୍ତି ସେମାନଙ୍କର ୨ହଜାର ଟଙ୍କା ପେନସନ୍ ଅକାରରେ ପାଇଥାନ୍ତି ବୋଲି ସମ୍ପୃକ୍ତ ଶିକ୍ଷକମାନେ ଏହା କ୍ଷୋଭର ସହ ପ୍ରକାଶ କରିଛନ୍ତି । ଆକାଶଛୁଆଁ ଦରଦାମ ବୃଦ୍ଧି ସାଙ୍ଗକୁ ବାର୍ଦ୍ଧକ୍ୟଜନିତ ରୋଗାକ୍ରାନ୍ତକୁ ନେଇ ଏହି ଅର୍ଥ ସେମାନଙ୍କ ନିମନ୍ତେ ସମୁଦ୍ରକୁ ଶଙ୍ଖେ ହୋଇଥାଏ । ଫଳରେ ସେମାନେ ଏତେ ସ୍ୱଳ୍ପଟଙ୍କାରେ କିପରି ବଂଚିବେ ଏହାକୁ ନେଇ ସେମାନେଙ୍କ ମହଲରେ ଚିନ୍ତାଜନକ ଅବସ୍ଥା ସୃଷ୍ଟି କରିଛି ।
ଏପରି ସ୍ଥଳେ ବିଧାୟକ, ସାଂସଦ ସମାଜସେବା କରୁଥିବାଚୁହାଯାଉଥିବା ବେଳେ ତାଙ୍କର ବେତନ ବୃଦ୍ଧି ସାଙ୍ଗକୁ ଅଧିକ ପେନସନ୍କୁ ନେଇ ଉଭୟ ପକ୍ଷ ଦଳମତ ନିର୍ବିଶେଷରେ ସମସ୍ତେ ଏକ ହୋଇ ସ୍ୱର ଉତୋଳନ କରୁଥିବା ବେଳେ ବିଚରା ଶିକ୍ଷକ ୩୦ବର୍ଷ ଅକ୍ଳାନ୍ତ ପରିଶ୍ରମ କରି କୋମଳମତୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରି ମଣିଷ ପରି ମଣିଷଟିଏ ଗଢ଼ି ତୋଳି ଦେଶକୁ ଆଗେଇ ନେଉଥିବା ବେଳେ ଅବସରପରେ ଏହି ପେନସନ୍ ଗଣ୍ଡାକ ସରକାର ବନ୍ଦ କରିବଦେବା କେତେ ଯୁକ୍ତିଯୁକ୍ତ ତାହାକୁ ନେଇ ଶିକ୍ଷାବିତ୍ ମହଲରେ ପଉଦବେଗ ପ୍ରକାଶ ପାଇଛି । ଏବଂ ସମସ୍ତ ବିଧାୟକ ଓ ସାଂସଦ ଏକିତ୍ରିତ ହୋଇ ଯେପରିଭାବେ ନିଜପାଇଁ ସ୍ୱରଉତୋଳନ କରୁଛନ୍ତି ସେହିପରି ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଦାବି ନିମନ୍ତେ ଯତ୍ନବାନ ହେବା ଆବଶ୍ୟକତା ରହିଛି ବୋଲି ଶିକ୍ଷାବିତ୍ ମହଲରୁ ପ୍ରକାଶ ପାଇଛି ।
