ତାଳଚେର:-ଆଜି ତାଳଚେର ଲିଙ୍ଗରାଜ ଖୋଲା କୋଇଲା ଖଣିରେ କୋଲ୍ ସାମ୍ପଲିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ତୀବ୍ର ରୂପ ଧାରଣ କରିଥିବାର ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଗୋଟିଏ ଠିକା କଂପାନୀ ଲିଙ୍ଗରାଜ ଖୋଲା କୋଇଲା ଖଣିରେ କୋଲ୍ ସାମ୍ପଲିଂ କାର୍ଯ୍ୟ କରି ଆସୁଥିଲେ । ଟେଣ୍ଡର ଅବଧି ସରିଯିବା ପରେ ନୂତନ ଏକ ଠିକା କଂପାନୀ ଉକ୍ତ କାର୍ଯ୍ୟକୁ ହାତେଇଥିଲା । ଏଥିରେ ପ୍ରାୟ ୨୦୦ ରୁ ୨୫୦ ଜଣ ଶ୍ରମିକ କାର୍ଯ୍ୟ କରିଥାନ୍ତି । ମାତ୍ର ନୂତନ କଂପାନୀ କାର୍ଯ୍ୟ ଆରମ୍ଭ କରିବା ପରେ ଗୋଟିଏ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଶ୍ରମିକ ସଂଗଠନ ଏହାକୁ ବିରୋଧ କରିବାରୁ ଦୀର୍ଘ ୫ ମାସ ଧରି ଉକ୍ତ କାର୍ଯ୍ୟକୁ କରିବାକୁ ଦେଉନଥିଲେ ।
ଏଭଳି ମହାମାରୀ କରୋନା ସମୟରେ ସେମାନେ ଦରମା ନପାଇ ଶ୍ରମିକ ମାନେ ଦୀର୍ଘ ୫ ମାସ ରୁ ଉଦ୍ଧ୍ୱର୍ ସମୟ ପରିବାର ପ୍ରତିପୋଷଣ କରିବାରେ ନାହି ନଥବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଅନ୍ୟ ଏକ ସଂଗଠନ ଇଂ ଗିତୀଶ ପ୍ରଧାନଙ୍କ ନେତୃତ୍ୱରେ ପ୍ରଶାସନକୁ ଜଣାଇ ଶ୍ରମିକମାନଙ୍କୁ ନେଇ ଆଜି କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଅନ୍ୟ ଗୋଷ୍ଠୀର କିଛି ଯୁବକ ଆସି ରେଲ୍ୱେ ସାଇଡିଂରେ ଗଣ୍ଡଗୋଳ ଆରମ୍ଭ କରିଦେଇଥିଲେ । ଏହି ଦୁଇ ଗୋଷ୍ଠୀ ଠିକା ଶ୍ରମିକ ମଧ୍ୟରେ ଗଣ୍ଡଗୋଳ ଏପରି ହେଲା ଯେ ବାଧ୍ୟ ହୋଇ ତାଳଚେର ପୋଲିସ୍ ଘଟଣାସ୍ଥଳରେ ପହଂଚି ଉଭୟ ଗୋଷ୍ଠୀର ୪୦ ଜଣ ଠିକା ଶ୍ରମିକକୁ ଥାନାକୁ ଆଣି ପଚରାଉଚୁରା କରିଥିଲେ । ସେଥି ମଧ୍ୟରୁ ଅମିତ୍ ସାହୁ ଓ ଗିତୀଶ ପ୍ରଧାନଙ୍କୁ କେସ୍ ନଂ-୨୫୯ ତା୧୩/୭/୨୦୨୦ ଅନୁଯାୟୀ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଏହି ଠିକା ଶ୍ରମିକଙ୍କ ସମସ୍ୟାକୁ ନେଇ ଇଂ ଗୀତିଶ ପ୍ରଧାନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ମଧ୍ୟ ସୂଚନା ଦେଇଥିଲେ ।