ତାଳଚେର, ୨୫/୩:-ତାଳଚେର ବ୍ଲକ ଧରମପୁର ପଂଚାୟତ ଠାରେ ନାରୀ ସୁରକ୍ଷା ପରିଷଦ ଓ ନେହେରୁ ଯୁବ କେନ୍ଦ୍ରର ମିଳିତ ସହଯୋଗରେ ସ୍ୱାସ୍ଥ୍ୟ ପରିବେଶ ଏବଂ ଜଳ ସଂରକ୍ଷଣ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଳାକାର ସଂଘର ଉପସଭାନେତ୍ରୀ ସବିତା ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସରପଂଚ ପାଟରାଣୀ ଭୂତିଆ, ଗ୍ରାମ ସଭାପତି ଶ୍ରୀବତ୍ସ ମହାପାତ୍ର, ମୁଖ୍ୟବକ୍ତା ଭାବେ ମହିଳା କଲେଜ୍ ର ପୂର୍ବତନ ଅଧ୍ୟକ୍ଷା ଶୋଭାଗିନୀ ଦେବୀ, ପୂର୍ବତନ ସରପଂଚ କୁନ୍ତଳା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ତାଳଚେର ଏକ ଧୂଳି ଧୂଆଁ ପ୍ରଦୂଷିତ ଅଂଚଳ । ଏଠାରେ କୋଇଲା ଖଣି ଯୋଗୁଁ ପରିବେଶ ପ୍ରଦୂଷିତ ହୋଇ ଲୋକମାନେ ବିଭିନ୍ନ ପ୍ରକାର ରୋଗରେ ପଡୁଛନ୍ତି । ଜଳ ହିଁ ଜୀବନ, ଜଳକୁ କିଭଳି ଭାବରେ ସୁରକ୍ଷା କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯିବା ସହିତ ସରକାରଙ୍କ ବସୁଧା ଯୋଜନାକୁ କିଭଳି କାର୍ଯ୍ୟକାରୀ କରି ପଂଚାୟତର ଉନ୍ନତି କରାଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ଏହି ଅବସରରେ ଧରମପୁର ସାଂସ୍କୃତିକ ସଂଘ ପକ୍ଷରୁ ସଂକୀର୍ତନ ପରିବେଶଣ କରାଯାଇଥିଲା ।
