ତାଳଚେର, ୨୧/୩ ତାଳଚେର ଦେଇ ଯାଇଥିବା ଜାତୀୟ ରାଜପଥରୁ ମେସିନ୍ ସାହାଯ୍ୟରେ ଧୂଳି ଉଠାଇବା ଏବଂ ରାସ୍ତାରେ ପାଣି ସିଂଚନ କରିବା ଦାବୀ ନେଇ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଭାଘର ଠାରେ ଆୟୋଜିତ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିରରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜିର ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ପ୍ରଧାନ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର, ତାଳଚେର ଉପଜିଲ୍ଲାପାଳ ବିଶ୍ୱରଂଜନ ରଥ ପ୍ରମୁଖ ଉପସ୍ଥିତ ଥିଲେ । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ଜାତୀୟ ରାଜପଥର ବାଙ୍କଧରା ଠାରୁ ଚାଇଁପାଳ ପର୍ଯ୍ୟନ୍ତ ଦୈନନ୍ଦିନ ହଜାର ହଜାର କୋଇଲା ଟ୍ରକ୍ ଯାତାୟତ କରୁଥିବାରୁ ରାସ୍ତାରେ ମାତ୍ରାଧିକ ଧୂଳି ପଡି ରାସ୍ତାଘାଟ ପରିପୂର୍ଣ୍ଣ ହୋଇପଡିଛି । ଯାହା ଫଳରେ ଜନସାଧାରଣ ଗମନାଗମନରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ଧୂଳି ଯୋଗୁଁ ଛୋଟ ବଡ ଦୁର୍ଘଟଣାମାନ ଘଟୁଛି । ଏହି ରାଜପଥର ଉଭୟ ପାଶ୍ୱର୍ରେ କେତେ ଗୁଡିକ ଗ୍ରାମ ରହିଥିବାବେଳେ ସେଠାରେ ସ୍କୁଲ୍, କଲେଜ୍ ଏବଂ ବିଭିନ୍ନ ଅଫିସ୍ ମଧ୍ୟ ରହିଛି । ଦୈନନ୍ଦିନ ପିଲାମାନେ ସ୍କୁଲ୍ ଓ କଲେଜ୍ କୁ ଯିବା ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହା ସହିତ ତାଳଚେର ସହରକୁ ଗ୍ରାମବାସୀମାନେ କୌଣସି କାର୍ଯ୍ୟ ପାଇଁ ଆସିବାକୁ ପଡୁଛି । ଯାହା ଦ୍ୱାରା ଜନସାଧାରଣ ଧୂଳି ଯୋଗୁଁ ଅତିଷ୍ଟ ହୋଇପଡିଛନ୍ତି । ଏଥିପାଇଁ କୋଇଲା ବୋଝେଇ ଟ୍ରକ୍ ଗୁଡିକ ସର୍ବନିମ୍ନ ୨୦ ସ୍ପିଡି ରେ ଯାତାୟତ କରାଯାଉ । ଯାହା ଫଳରେ ପରିବେଶ ପ୍ରଦୂଷଣ ବା ରାସ୍ତାରେ ଧୂଳି ପଡିବା କମିଯିବ । ଏହି ଦାବୀପତ୍ର ଉପରେ ବିଚାର କରି ଆଗାମୀ ଦିନରେ ସମସ୍ୟା ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ଆଜିର ଏହି ଦାବୀପତ୍ର ପ୍ରଦାନ ବେଳେ ଯୁବ ନେତା ସଂଗ୍ରାମ କେଶରୀ କୁଅଁର, ସମାଜସେବୀ ଗୋପବନ୍ଧୁ ସାହୁ, ପରିବେଶବିତ୍ ବାଉରୀବନ୍ଧୁ ବେଜ, ଓକିଲ ଜମ୍ବେଶ୍ୱର ପଟ୍ଟନାୟକ, ବିନୋଦ ଲାଲ୍ ପ୍ରମୁଖ ଉପସ୍ଥିତ ଥିଲେ ।
