Odisha news

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୧୯ତମ ଲୋକ ମହୋତ୍ସବ : ପ୍ରାକ୍‌-ପ୍ରସ୍ତୁତି ବୈଠକ

0

ତାଳଚେର ତା ୨୫/୦୨ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୧୯ତମ ଲୋକ ମହୋତ୍ସବ ନିମନ୍ତେ ଏକ ପ୍ରାକ୍‌-ପ୍ରସ୍ତୁତି ବୈଠକ ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ତାଳଚେର ଉପଜିଲ୍ଲାପାଳ ତଥା ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ସଭାପତି ବିଶ୍ୱରଞ୍ଜନ ରଥଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଏପ୍ରିଲ ମାସ ୫ ତାରିଖ ଠାରୁ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମା ହିଙ୍ଗୁଳାଙ୍କ ୯ଦିନ ବ୍ୟାପି ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ହେବ ସେ ନେଇ ଆଲୋଚନା ହୋଇଥିଲା । ପୂର୍ବରୁ ଯାତ୍ରା ସମୟରେ ହେଉଥିବା ଖର୍ଚ୍ଚର ପରିମାଣ ସାଂପ୍ରତିକ ପରିସ୍ଥିତିରେ ଅଧିକା ହେଉଥିବାରୁ ଚଳିତ ବର୍ଷ ଅତିରିକ୍ତ ଖର୍ଚ୍ଚ ଏବଂ ଟେଣ୍ଟ ସମ୍ପ୍ରସାରଣ ଉପରେ ଅଧିକ ଖର୍ଚ୍ଚ ହେବାକୁ ଥିବା ଅର୍ଥ ଏମସିଏଲ୍ ବହନ କରିବ । ଷ୍ଟଲଗୁଡିକ ନିରପେକ୍ଷ ଭାବରେ ଆବଣ୍ଟନ କରିବାକୁ ଟ୍ରଷ୍ଟବୋର୍ଡ ସଦସ୍ୟ ଗଣ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ବିଚାର କରି ତାଳଚେର ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉପଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଷ୍ଟଲ ବଣ୍ଟନ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା । ଚଳିତ ବର୍ଷ ଷ୍ଟଲଗୁଡିକର ବିଭାଗକରଣ କରାଯାଇ ଆବଣ୍ଟନ କରାଯିବାକୁ ଟ୍ରଷ୍ଟ ସଦସ୍ୟଗଣ ପ୍ରସ୍ତାବ ଦେଇଥିଲେ । ତାହାସହିତ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଆଉ ଏକ ଶହ ଷ୍ଟଲ ବୃଦ୍ଧି କରିବାକୁ ନିଷ୍ପତି ହେବା ସହିତ ପାର୍କିଂ ସ୍ଥାନ ବୃଦ୍ଧି ପାଇଁ ନିଷ୍ପତି ହୋଇଛି । ସେହିଭଳି ଚଳିତ ବର୍ଷ ଉଭାସ୍ଥଳୀରେ ୨୫ଟି ଷ୍ଟଲ ସହିତ ସୂଚନା କେନ୍ଦ୍ର ଓ ପ୍ରାଥମିକ ଚିକିତ୍ସା ନିମନ୍ତେ ଦୁଇଟି ସ୍ୱତନ୍ତ୍ର ଷ୍ଟଲ ନିର୍ମାଣ କରିଯିବ । ଚଳିତ ବର୍ଷ ଷ୍ଟଲ ନିର୍ମାଣ ଓ ସିସି କ୍ୟାମେରା ବ୍ୟବସ୍ଥା କରିବାକୁ ଭରତପୁର କୋଲିୟରୀ, ବିଭିନ୍ନ ସ୍ଥାନରେ କୁଲର ଓ ପଙ୍ଖାର ବ୍ୟବସ୍ଥା ଭୂବନେଶ୍ୱରୀ ଓସିପି, ଲୋକ ମହୋତ୍ସବରେ ଅସ୍ଥାୟୀ ରଙ୍ଗମଂଚ ନିର୍ମାଣ ଓ ସାଉଣ୍ଡ ବ୍ୟବସ୍ଥା କଣିହାଁ ଖଣି ସହିତ ଷ୍ଟ୍ରିଟ ଲାଇଟଗୁଡିକରେ ଏଲଇଡି ଲାଇଟ୍ ଲଗାଇବାକୁ ହିଙ୍ଗୁଳା କ୍ଷେତ୍ରକୁ ଦାୟିତ୍ୱ ଦିଆଯାଇଥିଲା । ସେହିଭଳି ଉଭାସ୍ଥଳ ବ୍ୟାରିକେଡ଼ ବ୍ୟବସ୍ଥାକୁ ଓ ଅନ୍ୟାନ୍ୟ ବାରିକେଡ଼ ବ୍ୟବସ୍ଥାକୁ ନନ୍ଦିରା କୋଇଲାଖଣି କରିବେ ବୋଲି ନିଷ୍ପତି ହୋଇଥିଲା । ନଅ ଦିନ ବ୍ୟାପୀ ଲୋକ ମହୋତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଅଂଶଗ୍ରହଣ କରିବାକୁ ଦେଶର ବିଭିନ୍ନ ଅଂଚଳରୁ ଲୋକନୃତ୍ୟ ଅନୁଷ୍ଠାନଗୁଡିକୁ ନିମନ୍ତ୍ରଣ କରାଯିବ ବୋଲି ସ୍ଥିର କରାଯାଇଥିଲା । ତାହା ସହିତ ଆଂଚଳିକ କଳାକାରମାନେ ଟ୍ୟାଲେଣ୍ଟ ସର୍ଚ୍ଚ କାର୍ଯ୍ୟକ୍ରମ ମାଧ୍ୟମରେ ଅଂଶଗ୍ରହଣ କରି ସେଥିରୁ ମନୋନୀତ ହେଲେ ସେମାନଙ୍କୁ ଲୋକ ମହୋତ୍ସବରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତି ନିଆଯାଇଥିଲା । ଚଳିତ ବର୍ଷ ମା’ଙ୍କ ଯାତ୍ରା ନିମନ୍ତେ ଏକ ସଫେଇ ସବ୍ କମିଟି ଗଠନ କରାଯାଇଥିଲା । ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତତ୍ୱାବଧାନରେ ଏହି କମିଟି କାର୍ଯ୍ୟ କରିବ ବୋଲି ସ୍ଥିର କରାଯାଇଥିଲା । ଏହା ସହିତ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଯାତ୍ରାର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ନିଷ୍ପତି ନିଆଯାଇଥିଲା । ଚଳିତ ବର୍ଷ ସମସ୍ତ ଟେଣ୍ଟ, ଲାଇଟ୍ ଓ ସାଉଣ୍ଡ ବ୍ୟବସ୍ଥା ଗୁଡ଼ିକ ଟେଣ୍ଡର ଦ୍ୱାରା ହେବା ସହିତ ଷ୍ଟଲ ଗୁଡ଼ିକ ପାଇଁ ଆଗୁଆ ନିର୍ଦ୍ଧାରିତ ଟଙ୍କା ପଇଠ କରିବା ପାଇଁ ନିଷ୍ପତି ହୋଇଛି । ଚଳିତ ବର୍ଷ ଯେଉଁ ଅନୁଷ୍ଠାନ ଖାଦ୍ୟ ଏବଂ ପାନୀୟ ଜଳ ପ୍ରଦାନ କରିବେ ସେହି ଅନୁଷ୍ଠାନ ସଫା ସୁତରା ବ୍ୟବସ୍ଥା କରିବେ ବୋଲି ନିଷ୍ପତି ହୋଇଛି । ଶେଷରେ ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ବିଶ୍ୱରଞ୍ଜନ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Nalco
Leave A Reply