ତାଳଚେର ତା ୧୨/୦୨ ତାଳଚେର ବଅଁରପାଳ ଜାତୀୟ ରାଜପଥ ଚାଇଁପାଳ ଠାରେ ପ୍ରାୟ ୧କମି ବ୍ୟାପି ରେଲୱେ ଓଭରବ୍ରିଜ୍ ନିର୍ମାଣକୁ ନେଇ ବାରମ୍ବାର ଆନ୍ଦୋଳନ କରିବା ପରେ ଉକ୍ତ ବ୍ରିଜ୍ର ନିର୍ମାଣ କାର୍ଯ୍ୟ ବହୁବର୍ଷ ବିଳମ୍ବରେ ଶେଷ ହେଲା । ପୁଣି ଏବେ ଏହି ବ୍ରିଜର ଉଭୟ ପାଶ୍ୱର୍ରେ ଆଲୋକୀକରଣ କରିବାକୁ ପ୍ରଶାସନ କିମ୍ବା ରାଜନେତାଙ୍କର ଦୃଷ୍ଟି ପଡ଼ୁନଥିବାକୁ ନେଇ ପୁଣି ଆଉ ଥରେ ତାଙ୍କ ଦୃଷ୍ଟିକୁ ଆଣିବାକୁ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି ସେହି ବ୍ରିଜରେ ଯାତାୟତ କରୁଥିବା ପଥଚାରୀଙ୍କ ନିକଟରୁ ଏହା ଶୁଣିବାକୁ ମିଳେ । ଏହି ବ୍ରିଜ ଦେଇ ଅହରହ ହଜାର ହଜାର ସଂଖ୍ୟକ ଭାରୀଯାନ ଚଳପ୍ରଚଳ କରିବା ଯୋଗୁଁ ବ୍ରିଜଟି ଖାଲଖମରଣ ହୋଇ ପଡ଼ି ରହିଛି ଏବଂ କୋଇଲା ମିଶ୍ରିତ ଧୂଳି ବ୍ରିଜ ଉପରେ ପଡ଼ି ରହିଥିବାରୁ ଧୂଳିଧୂଆଁରେ ବ୍ରିଜଟି ଦିନ ସାଜିଛି ରାତି । ପୁନଶ୍ଚ ବଅଁରପାଳ ଠାରୁ ତାଳଚେର ଅଭିମୁଖେ କିଛି ବାଟ ଅତିକ୍ରମ ପରେ ଉକ୍ତ ବ୍ରିଜଟି ତାଳଚେରର ଶେଷଭାଗରେ ଅବସ୍ଥିତ । ତେଣୁ ତାଳଚେରକୁ ପଶୁପଶୁ ଏହି ବ୍ରିଜର ଅବସ୍ଥା ଯଦି ଏପରି ହୁଏ ତେବେ ତାଳଚେର ଅବସ୍ଥା କିପରି ଥିବ ଏଥିରୁ ସ୍ପଷ୍ଟ ଅନୁମେୟ । ତାଳଚେର ପ୍ରଚୁର ରାଜସ୍ୱ ଦେଉଥିବା ବେଳେ ଏହି ରାଜସ୍ୱରେ ବାହାର ଅଂଚଳ ଗୁଡ଼ିକର ବ୍ରିଜ ଦେଖିଲେ ଯେପରି ଭାବେ ଆଲୋକୀକରଣ କରାଯାଉଥିବା ବେଳେ ତାଳଚେର ଚାଇଁପାଳ ବ୍ରିଜକୁ କାହିଁକି ଯେ, ଆଲୋକୀକରଣ କରାଯାଉ ନାହିଁ? ତାଳଚେରବାସୀ କ’ଣ ଏତେ ନିମ୍ନ! ସ୍ଥାନୀୟ ପ୍ରଶାସନ, ରାଜନେତା ସବୁକ୍ଷତ୍ରରେ ଅବହେଳା ଓ ପାରିବା ପଣିଆକୁ ନେଇ ଉଠିଛି ପ୍ରଶ୍ନ? ଏହି ବ୍ରିଜର ଉଭୟପାଶ୍ୱର୍ରେ ସାମାନ୍ୟ ଆଲୋକୀକରଣ ବ୍ୟବସ୍ଥା ନେଇ କ’ଣ ଆନ୍ଦୋଳନର ପୁଣି ଆବଶ୍ୟକତା ରହିଛି! ଏହି ବ୍ରିଜର ତଳେ ଚାଇର୍ପାଳ ଡ଼ିଭିଜନ ବିଦ୍ୟୁତ୍ ସବଷ୍ଟେସନ୍ ଓ କାର୍ଯ୍ୟାଳୟ ଅବସ୍ଥିତ ଥିଲେ ମଧ୍ୟ ଦୀପତଳ ଅନ୍ଧାର ସଦୃଶ୍ୟ ବ୍ରିଜର ଅବସ୍ଥା ଦେଖାଦେଇଛି ।
