ତାଳଚେର ତା-୦୨/୦୨ ନିଯୁକ୍ତି, ଥଇଥାନ ତଥା କ୍ଷତିପୂରଣ ଆଦି ଦାବୀ ନେଇ ତାଳଚେର ବ୍ଲକ ଗୋପାଳପ୍ରସାଦ ଗ୍ରାମବାସୀମାନଙ୍କ ପକ୍ଷରୁ ହିଙ୍ଗୁଳା କୋଇଲା ଖଣି ବନ୍ଦ ଆନ୍ଦୋଳନ କରାଯାଇଛି । ଆଜି ସକାଳୁ ଶତାଧିକ ଗ୍ରାମବାସୀ ହିଙ୍ଗୁଳା କୋଇଲା ଖଣି, ଟାଇମ ଅଫିସ ଅବରୋଧ କରିଥିଲେ । ଫଳରେ ଖଣିରୁ କୋଇଲା ଉତ୍ପାଦନ କାର୍ଯ୍ୟ ସଂପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଥିଲା । ସୂଚନାରୁ ପ୍ରକାଶ ଯେ-ପୂର୍ବରୁ ଗୋପାଳପ୍ରସାଦ ପଂଚାୟତର ଦୁଇଟି ପର୍ଯ୍ୟାୟରେ ବାସଗୃହ ଓ ଜମି ଏମ୍ସିଏଲ୍ ହିଙ୍ଗୁଳା କୋଇଲା ଖଣି ଦ୍ୱାରା ଅଧିଗ୍ରହଣ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ କୁସୁମପାଳ,ମଲ୍ଲୀବନ୍ଧ ଓ ଗୋପାଳପ୍ରସାଦ ଗ୍ରାମର କେତେକ ଜମି ଓ ବାସଗୃହକୁ ଅଧିଗ୍ରହଣ କରାଯାଇଛି । ମାତ୍ର ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ଗ୍ରାମବାସୀମାନଙ୍କୁ ଅଦ୍ୟାବଧି ଉପଯୁକ୍ତ କ୍ଷତିପୂରଣ,ନିଯୁକ୍ତି ତଥା ଥଇଥାନ ଆଦି ସୁବିଧା ପ୍ରଦାନ କରାଯାଇନାହିଁ ।
ପ୍ରଥମ ପର୍ଯ୍ୟାୟରେ ବାକି ଥିବା ୯ଜଣ ଜମିହରା ପ୍ରଜାଙ୍କୁ ନିଯୁକ୍ତି ଦେବା ପାଇଁ ଏମ୍ସିଏଲ୍ କର୍ତୃପକ୍ଷ ରାଜି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ନିଯୁକ୍ତି ଦିଆଯାଇନାହିଁ । ତାହାସହିତ ତୃତୀୟ ପର୍ଯ୍ୟାୟ ଜମିହରା ପ୍ରଜାମାନଙ୍କର କ୍ଷତିପୂରଣ ଓ ଥଇଥାନ ସମ୍ବଦ୍ଧୀୟ କୌଣସି ନିଷ୍ପତି ଅଦ୍ୟାବଧି ହୋଇପାରି ନାହିଁ । ଏସମ୍ବଦ୍ଧରେ ଗ୍ରାମବାସୀମାନେ ବାରମ୍ବାର ଏମ୍ସିଏଲ୍ କର୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଖଣି କର୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଗ୍ରାମବାସୀମାନେ ଅଭି÷ଯାଗ କରିଛନ୍ତି । ପୂର୍ବରୁ ଗ୍ରାମବାସୀମାନେ ନିଜର ନ୍ୟାର୍ଯ୍ୟ ଅଧରକାର ପାଇଁ ବିଭିନ୍ନ ସମୟରେ ଧର୍ମଘଟ କରୁଥିବା ବେଳେ ଖଣି କର୍ତୃପକ୍ଷ କେବଳ ପ୍ରତିଶୃତି ଦେଇ ସେମାନଙ୍କୁ ପ୍ରତାରଣା କରୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପ୍ରତିଶୃତି ରକ୍ଷା କରିବାରେ ଖଣି କର୍ତୃପକ୍ଷ ବାରମ୍ବାର ବିଫଳ ହେଉଥିବାରୁ ଗ୍ରାମ ସଭାପତି ରଞ୍ଜିତ ବେହେରା, ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଓ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ରାଜେନ୍ଦ୍ର ସିଂହଙ୍କ ନେତୃତ୍ୟରେ ସମସ୍ତ ଗ୍ରାମବାସୀ ଏହି ଆନ୍ଦୋଳନ ଚଳାଇଛନ୍ତି । ସମସ୍ୟାର ସମାଧାନ ନିମନ୍ତେ ଖଣି କର୍ତୃପକ୍ଷ ଓ ସ୍ଥାନୀୟ ପୋଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇ ଗ୍ରାମବାସୀମାନଙ୍କୁ ବୁଝାସୁଝା କରିବା ସହ ଚଳିତ ମାସ ୯ ତାରିଖ ସୁଦ୍ଧା ସମସ୍ତ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବାରୁ ଅପରାହ୍ନ ୫ଟାରେ ଖଣିବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
