ତାଳଚେର ତା ୨୨/୦୧ ତାଳଚେର ବ୍ଲକ କଳମଛୁଇଁ ଗ୍ରାମସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାର ଆନୁକୂଲ୍ୟରେ ତ୍ରୟମାସିକ ଶିଶୁ କିଶୋର ପତ୍ରିକା “ଆମ କୁନାକୁନି”ର ମକର ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି । କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବିଂଶତମ ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବରେ ତାଳଚେର ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ରଥ,ସମ୍ମାନୀତ ଅତିଥି ଭାବରେ ଏମ୍ସିଏଲ୍ ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ଅରୁଣ କୁମାର ସ୍ୱର୍ଣ୍ଣକାର ଓ ମୁଖ୍ୟ ବକ୍ତା ଭାବରେ ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ସାଧାରଣ ସଂପାଦକ ପଣ୍ଡିତ ମହେଶ ସାହୁ ଯୋଗଦାନ କରିଥିଲେ । ଏହି ଅବସରରେ ଶିଶୁ କିଶୋର ପତ୍ରିକା “ଆମ କୁନାକୁନି”ର ମକର ବିଶେଷାଙ୍କକୁ ଅତିଥିମାନେ ଉନ୍ମୋଚିତ କରିଥିଲେ । ଏହି ଉତ୍ସବରେ ପତ୍ରିକାର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ,ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦୁର୍ଯ୍ୟୋଧନ ସାହୁ,କୋଷାଧ୍ୟକ୍ଷ ପଂଚାନନ ବେହେରା,ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ,ଅଜିତ ପ୍ରଧାନ,ଜଗବନ୍ଧୁ ବାରିକଙ୍କ ସମେତ ପାଠାଗାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ମା ହିଙ୍ଗୁଳା ପାଠାଗାର ଆନୁକୂଲ୍ୟରେ ପ୍ରକାଶିତ “ଆମ କୁନାକୁନି”ର ମକର ବିଶେଷାଙ୍କଟି ଆକର୍ଷଣୀୟ ପ୍ରଚ୍ଛଦ,ସୁନ୍ଦର ପରିପାଟୀ ତଥା ଓଡ଼ିଶାର ବହୁ ଲବ୍ଧପ୍ରତିଷ୍ଠିତ ଶିଶୁ ସାହିତ୍ୟିକମାନଙ୍କ ଲେଖାରେ ସମୃଦ୍ଧ ହୋଇଥିବାରୁ ଏହା ଶିଶୁ କିଶୋରମାନଙ୍କ ଦ୍ୱାରା ଆଦୃତ ଲାଭ କରିବ ବୋଲି ସଂପାଦକ ଶ୍ରୀ ସ୍ୱାଇଁ ଆଶାପୋଷଣ କରିଛନ୍ତି ।
