ତାଳଚେର ତା ୧୮/୧୦ ତାଳଚେର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଫାଟକ ଖୋଲାକୁ ନେଇ ଦୀର୍ଘ ୫ଘଂଟା ବ୍ୟାପି ଅର୍ଥାତ୍ ସକାଳ ୧୦ଘଟିକାରୁ ଅପରାହ୍ଣ ୩ଘଟିକା ପର୍ଯ୍ୟନ୍ତ ପ୍ରଥମେ କଲେଜ ସମ୍ମୁଖରେ ହୋହାଲ କରିସାରିବା ପରେ କଲେଜ ଅଧ୍ୟକ୍ଷ ଘଟଣା ସ୍ଥଳକୁ ନଆସିବାରୁ ଛାତ୍ରଛାତ୍ରୀମାନେ ବାଧ୍ୟହୋଇ କଲେଜ ସମ୍ମୁଖ ଜାତୀୟ ରାଜରାସ୍ତାକୁ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଗାଡ଼ିଚଳାଚଳ ଠପ୍ ହୋଇଯାଇଥିଲା । ଘଟଣାରୁ ପ୍ରକାଶ, ତାଳଚେର ମହାବିଦ୍ୟାଳୟ ସମ୍ମୁଖ ଜାତୀୟ ରାଜପଥକୁ ଲାଗି ମୁଖ୍ୟ ଫାଟକ ରହିଥିବା ବେଳେ ଏହି ଜାତୀୟ ରାଜପଥ ଦେଇ ଦୈନନ୍ଦିନ ହଜାର ହଜାର ଟ୍ରକ ଚଳାଚଳ କରିଥାଏ । ଫଳରେ କେତେକ ଛାତ୍ର ଛାତ୍ରୀ ସଡ଼କ ଦୁର୍ଘଟଣାରେ ମୃତାହତ ହେବା ସାଙ୍ଗକୁ ଏହି ଜାତୀୟ ରାଜପଥଟି କୋଇଲା ଗୁଣ୍ଡି ମିଶ୍ରିତ ଧୂଳିଧୂଆଁରେ ମାତ୍ରାଧିକ ପ୍ରଦ୍ୟୁଷଣ େହୋଇଥିବାରୁ ସେହି ରାସ୍ତାଦେଇ ଛାତ୍ରଛାତ୍ରୀମାନେ ଯିବା ଆସିବା କଷ୍ଟକର ବ୍ୟାପର ହୋଇପଡ଼ିଥାଏ । ଏହାକୁ ଦୃଷ୍ଟିରେ ରଖି କଲେଜ କର୍ତୁପକ୍ଷ ତାଳଚେର ବସଷ୍ଟାଣ୍ଡ ଦେଇ କଲେଜୁ ଯିବାନେଇ ସ୍ୱତନ୍ତ୍ର ରାସ୍ତା ନିର୍ମାଣ କରିବା ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ଆଉ ଗୋଟିଏ ଫାଟକ ନିର୍ମାଣ କରାଯାଇଥିଲା । ମାତ୍ର ଏହି ଫାଟକଟିରେ ସିକ୍ୟୁରିଟି ବ୍ୟବସ୍ଥା ନଥିବାରୁ କଲେଜ କର୍ତୁପକ୍ଷ ତାଲା ପକାଇ ବନ୍ଦ କରି ଦେଇଥିଲେ । ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ଧୂଳିଧୂଆଁରେ ସେହି ଜାତୀୟ ରାଜପଥ ମୁଖ୍ୟ ଫାଟକ ଦେଇ କଲେଜକୁ ଯିବା ଫଳରେ ତୀବ୍ର ଅସନ୍ତୋଷ ଦେଖାଦେଇ ଆନ୍ଦୋଳନର ରୂପ ନେଇଥିଲା । ସେହଭଳି ତାଳଚେର କଲେଜର ଅଧ୍ୟାପକ ଓ ଅଧ୍ୟାପିକା ୟୁନିଫର୍ମ ସହିତ ଆଇକାର୍ଡ଼ ପରିଧାନ କରି କଲେଜକୁ ଆସିବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରିବା ସହିତ ସିକ୍ୟୁରିଟି କଡ଼ାକଡ଼ି କରିବା, ରାସ୍ତାର ଉଭୟ ପାଶ୍ୱର୍ରେ ଆଲୋକି କରଣ ଇତ୍ୟାତି ଦାବିନେଇ ଆନ୍ଦୋଳନ କରିଥିଲେ । ତାଳଚେର ଉପଜିଲ୍ଳାପାଳ କୌଣସି ଏକ କାର୍ଯ୍ୟରେ ସେହି ରାସ୍ତାଦେଇ ଯାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ହୋହାଲାକୁ ଦେଖି ସେଠାରେ ଅଟକି ସେମାନଙ୍କୁ ବୁଝାଇବା ସହିତ ଦାବି ଗୁଡ଼ିକ ଉପରେ ବିଚାର କରାଯିବ ବୋଲି ପ୍ରତିଶ୍ରୃତି ଦେବାପରେ ସ୍ୱାଭାବିକ ଅବସ୍ଥାକୁ ଫେରିଥିଲା ।
