ବେତନଟୀ : ଆଜି ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ ଥାନା ମାମଲା ସଂଖ୍ୟା ୧୫୯/୨୦୨୦ରେ ସଂପୃକ୍ତ ଶିବାଶିଷ ନାଥ ଓରଫ ରିଣ୍ଟ, ମୋରମ ମାଫିଆ ଅଭିଜିତ ମହଲ ଓ ପ୍ରିୟବ୍ରତ ପଟ୍ଟନାୟକ ଓରଫ ବାପୁନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ତିନି ଜଣ ଅଭିଯୁକ୍ତଙ୍କୁ ବେତନଟୀ କୋର୍ଟର ମାନ୍ୟବର ଜେଏମଏଫସି ସୁଧୀରଞ୍ଜନ ଦାଶଙ୍କ ସମ୍ମୁଖରେ ହାଜର କରା ଯାଇ ଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଛି । ଆସନ୍ତା ସୋମବାର ଏହି ମାମଲାର ଶୁଣାଣି ହେବ ବୋଲି ଜଣା ପଡିଛି । ଏହି ମାମଲାର ତଦନ୍ତକାରୀ ଅଧିକାରୀ ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ । ଅଭିଯୁକ୍ତ ମାନଙ୍କ ତରଫରୁ ମାମଲା ପରିଚାଳନା କରୁ ଥିବା ଆଇନଜୀବି ମାନେ ପ୍ରିୟବ୍ରତଙ୍କ ନାମ ଏତଲାରେ ନଥିବା ବେଳେ ତାଙ୍କୁ ପୋଲିସ ଆକ୍ରୋଷ ମୂଳକ ଭାବେ ଗିରଫ କରି କୋର୍ଟ ଚାଲାଣ କରି ଥିବାର ବଳିଷ୍ଠ ଯୁକ୍ତି ବାଢ଼ି ଥିଲେ । ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତା ବେତନଟୀ ତହସିଲଦାର ଅନିଶା ଦାଶକୁ ପୋଲିସ ଗିରଫ କରିବାରେ ଅସମର୍ଥ ହୋଇ ଥିବା ବେଳେ ନିରୀହ ଲୋକ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଥିବାର କୋର୍ଟ ସମ୍ମୁଖରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆଲୋଚନା ହୋଇଛି । କୋଭିଡ ପାଇଁ ମାନ୍ୟବର ଜେଏମଏଫସି କୋର୍ଟ ବାରଣ୍ଡାରେ ରହି ଅଭିଯୁକ୍ତ ମାନଙ୍କ ତରଫରୁ ଓ ସରକାରୀ ଓକିଲଙ୍କ ଯୁକ୍ତିକୁ ଶୁଣି ଥିଲେ ।
ଅଭିଯୁକ୍ତ ମାନଙ୍କୁ ବାହାରେ ସାମାଜିକ ଦୂରତା ରକ୍ଷା କରି ଛିଡା କରା ଯାଇ ଥିଲା । ଅନ୍ୟ ପକ୍ଷରେ ପୋଲିସ ତହସିଲଦାରଙ୍କ ଆଚରଣ ଓ ତାଙ୍କ ବିରୁଦ୍ଧରେ ହୋଇ ଥିବା ଅଭିଯୋଗର ଗଭୀରତାକୁ ଯାଇ ତଦନ୍ତ କରିବା ଆବଶ୍ୟକ ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ତେବେ ଏହି ଘଟଣା ବାବଦରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ବ୍ୟାପି ହଇଚଇ ସୃଷ୍ଟି ହୋଇଛି । ଶ୍ରୀକାନ୍ତ ଦାସ ଲିଖିତ ଅଭିଯୋଗ ସହିତ ତହସିଲଦାର, ମାଫିଆ ଅଭିଜିତ ମହଲ ଓ ଅନ୍ୟ ମାନଙ୍କ ସହିତ ବାର୍ତ୍ତାଳାପ ବେଳର ଅଡିଓ କ୍ଲିପ ପୋଲିସ ଓ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ଦେଇଛନ୍ତି । ସେହି ଅଡିଓ କ୍ଲିପରେ ତହସିଲଦାରଙ୍କ ପାଇଁ ମାଗୁ ଥିବା “ଏକ ଲକ୍ଷ ଟଙ୍କା ଜନୈକ ଭୋଳା ଜରିଆରେ ତହସିଲଦାରଙ୍କୁ ପ୍ରଦନା କରା ଯିବା କଥା ଅଭିଜିତ କହିଛି”ା ତେବେ ଏହି ଭୋଳା କିଏ, ବେତନଟୀ ତହସିଲଦାରଙ୍କ ସହିତ ତାର ସମ୍ପର୍କ କଣ ? ତହସିଲଦାର ଅନିଶା ଦାସ ନେଉ ଥିବା ବଟି ଓ ଲାଞ୍ଚ ଟଙ୍କା ଯଦି ଭୋଳା ମାଧ୍ୟମରେ ଲେଣଦେଣ ହେଉ ଥିବ ତେବେ ଏହି ବ୍ୟକ୍ତି ମୟୂରଭଞ୍ଜରେ ଦୁର୍ନିତୀର କଳା ଅଧ୍ୟାୟ ସୃଷ୍ଟି କରି ଥିବା ତହସିଲଦାର ଅନିଶା ଦାଶଙ୍କର ଜଣେ ମୁଖ୍ୟ ମୋହରା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ବଟି ଟଙ୍କା ଲେଣଦେଣରେ ଏହି ବ୍ୟକ୍ତିଙ୍କ ସମ୍ପୃକ୍ତିକୁ ପୋଲିସ ତଦନ୍ତ ପରିସରକୁ ଆଣୁ ନାହିଁ କାହିଁକି ତାକୁ ନେଇ ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଭୋଳାକୁ ପଚରା ଉଚରା କଲେ ବେତନଟୀ ତହସିଲ ଦୁର୍ନିତୀର ବହୁ ଗୁପ୍ତ ତଥ୍ୟ ପଦାକୁ ଆସିବ ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟ ପକ୍ଷରେ ବେତନଟୀ ତହସିଲଦାର ଅନିଶା ଦାଶଙ୍କୁ ଗିରଫ କରିବାକୁ ଦାବି କରି ବଡସାହି ବିଧାୟକ ସନାତନ ବିଜୁଳି ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟଙ୍କୁ ଭେଟି ଥିଲେ । ଏସଡିପିଓ ସରକାରୀ ଅଧିକାରୀ ମାନଙ୍କୁ ଗିରଫ କରିବାକୁ ହେଲେ କେତେ ଗୁଡିଏ ନିୟମାବଳୀକୁ ଅନୁସରଣ କରିବାକୁ ହୁଏ । ସେଗୁଡିକ ସମାପ୍ତ ହେଲେ ଗିରଫ କରା ଯିବ ବୋଲି ପ୍ରତିଶୃତି ଦେଇ ଥିଲେ । ଉଭୟ ପ୍ରଶାସନ ଓ ପୋଲି ତହସିଲଦାରଙ୍କୁ ଗିରଫ କରିବାର ପ୍ରତିଶୃତି ଦେଇ ଥିବା ବେଳେ ଆଗକୁ କେଉର୍ ପାଣି କୁଆଡକୁ ଯାଉଛି ତାହା ଦେଖିବାକୁ ବାକି ରହିଲା