Odisha news

ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ : ଅଷ୍ଟ୍ରେଲିଆ ୧୮.୫ ଓଭରରେ ୨ଟି ୱିକେ୍‌ଟ ହରାଇ ୧୭୩ ରନ୍‌ର ପ୍ରଥମ ଥର ବିଜୟ ଲାଭ କଲା

0

ଦୁବାଇ: ନ୍ୟୁଜିଲାଣ୍ଡ ହାତରୁ ଟି-୨୦ ବିଶ୍ବକପ୍ ଟ୍ରଫି ଖସିଯାଇଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଚମ୍ପିଅନ୍‌ ହୋଇଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆର ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ରବିବାର ନ୍ୟୁଜିଲାଣ୍ଡକୁ ୮ ୱିକେଟ୍‌ରେ ପରାସ୍ତ କରି କଙ୍ଗାରୁ ଦଳ ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପ୍‌ ଚମ୍ପିଅନ୍‌ ହେବାର ଗୌରବ ଅର୍ଜନ କରିଛି। ଅଷ୍ଟ୍ରେଲିଆ ୧୮.୫ ଓଭରରେ ୨ଟି ୱିକେ୍‌ଟ ହରାଇ ୧୭୩ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରିଛି।

ଅଷ୍ଟ୍ରେଲିଆର ଇନିଂସ ଆରମ୍ଭ କରିଥିଲେ ଡେଭିଡ୍‌ ୱାର୍ଣ୍ଣର ଓ ଅଧିନାୟକ ଆରୋନ୍‌ ଫିଞ୍ଚ। ଆରମ୍ଭରୁ ଧୀମା ଗତିରେ ଖେଳିଥିଲେ। ଫିଞ୍ଚ କ୍ରିଜ୍‌ରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରି ନଥିଲେ। ସେ ୭ଟି ବଲ୍‌ର ସାମ୍ନା କରି ଗୋଟିଏ ଚୌକା ସହାୟତାରେ ବ୍ୟକ୍ତିଗତ ଭାବେ ଦଳ ପାଇଁ ୫ ରନ୍‌ର ଯୋଗଦାନ ଦେଇଥିଲେ। ଟ୍ରେଣ୍ଟ୍‌ ବୋଲ୍ଟଙ୍କ ବଲ୍‌ ଡାରେଲ୍‌ ମିଚେଲଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌କୁ ଫେରି ଆସିଥିଲେ। ଅଷ୍ଟ୍ରେଲିଆ ୧୫ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଥିବା ବେଳେ ୧୦୭ ରନ୍‌ରେ ୨ୟ ୱିକେଟ୍‌ ଭାବେ ୱାର୍ଣ୍ଣର ଆଉଟ୍‌ ହୋଇଥିଲେ। କିନ୍ତୁ ଆଉଟ୍‌ ହେବା ପୂର୍ବରୁ ୱାର୍ଣ୍ଣର ୩୮ଟି ବଲ୍‌ ଖେଳି ୪ଟି ଚୌକା ଓ ୩ଟି ଛକା ବଳରେ ୫୩ ରନ୍‌ ସଂଗ୍ରହ କରିଥିଲେ। ସେ ବୋଲ୍ଟଙ୍କ ଦ୍ବାରା ଆଉଟ୍‌ ହୋଇଥିଲେ। ଏହାପରେ ମିଚେଲ ମାର୍ସ (୭୭) ଓ ଗ୍ଲେନ ମେକ୍ସୱେଲ (୨୮) କ୍ରିଜରେ ରହି  ଲକ୍ଷ୍ୟ ପୂରଣ କରି ଦଳକୁ ବିଜୟ ଦେଇଥିଲେ।

ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଟସ୍‌ ଜିତିବା ପରେ କ୍ୱିଓ୍ଵି ଦଳକୁ କଙ୍ଗାରୁ ଟିମ୍‌ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କ ୮୫ ରନ୍‌ ଯୋଗୁଁ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୭୨ ରନ୍‌ କରିଥିଲା। କେନ୍‌ ଓ୍ଵିଲିୟମ୍‌ସନ୍‌ ନ୍ୟୁଜିଲାଣ୍ଡ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୮ଟି ବଲ୍‌ର ସାମ୍ନା କରି ୧୦ଟି ଚୌକା ଓ ୩ଟି ଛକା ମାରି ୧୭୭.୦୮ ହାରରେ ୮୫ ରନ୍‌ ସଂଗ୍ରହ କରିଥିଲେ।

ନ୍ୟୁଜିଲାଣ୍ଡର ଇନିଂସ ଆରମ୍ଭ କରିଥିଲେ ମାର୍ଟିନ ଗପ୍ଟିଲ ଓ ଡାରେଲ ମିଚେଲ୍‌। ଉଭୟ ବ୍ୟାଟ୍ସମ୍ୟାନ୍‌ ପ୍ରଥମ ଓ୍ଵିକେଟ୍‌ ପାଇଁ ଦମଦାର ଆରମ୍ଭ କରିଥିଲେ। ନ୍ୟୁଜିଲାଣ୍ଡ ୩.୫ ଓଭରରେ ୨୮ ରନ୍‌ରେ ଡାରେଲ୍‌ (୧୧ ରନ୍‌)ଙ୍କୁ ହରାଇଥିଲା। ଡାରେଲ ଆଉଟ୍‌ ହୋଇଯିବା ପରେ ନ୍ୟୁଜିଲାଣ୍ଡ ପରବର୍ତ୍ତୀ ୪ ଓଭରରେ ମାତ୍ର ୧୦ ରନ୍‌ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଦଳର ଖେଳାଳିମାନେ ଲୟରେ ଖେଳିଥିଲେ। ସ୍କୋର ୭୬ ରନ୍‌ରେ ଅଷ୍ଟ୍ରେଲିଆର ୨ୟ ଶିକାର ହୋଇଥିଲେ ମାର୍ଟିନ୍‌ ଗପ୍ଟିଲ୍‌। ସେ ୩୫ଟି ବଲ୍‌ ଖେଳି ୩ଟି ଚୌକା ସହାୟତାରେ ୨୮ ରନ୍‌ ସଂଗ୍ରହ କରିଥିଲେ।

ନ୍ୟୁଜିଲାଣ୍ଡ ୧୪୪ ରନ୍‌ରେ ଗ୍ଲେନ୍‌ ଫିଲିପ୍ସ ଓ ୧୪୮ ରନ୍‌ରେ ଓ୍ଵିଲିୟମ୍‌ସନ୍‌ଙ୍କୁ ହରାଇଥିଲା। ଫିଲିପ୍ସ ବ୍ୟକ୍ତିଗତ ଭାବେ ୧୮ ରନ୍‌ ସଂଗ୍ରହ କରିବା ପାଇଁ ୧୭ଟି ବଲ୍‌ର ସାମ୍ନା କରିଥିଲେ। ଏଥିରେ ଗୋଟିଏ ଚୌକା ଓ ଛକା ସାମିଲ ଥିଲା। ଜେମ୍‌ସ ନୀସାମ୍‌ (୧୩ରନ୍‌) ଓ ଟିମ୍‌ ସେଫର୍ଟ (୮ରନ୍‌) ଅପରାଜିତ ପାଭଲିଅନ୍‌କୁ ଫେରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜୋସ୍‌ ହାଜେଲଉଡ୍‌ ୩ଟି ଓ୍ଵିକେଟ୍‌ ନେଇଥିଲେ। ଆଦାମ୍‌ ଜାମ୍ପାଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା।

Leave A Reply