Odisha news

“”ଘରେ ଘରେ ପୁଷ୍ଟି” ଯୋଜନାରେ ୮ ଲକ୍ଷ ୨୦ ହଜାର ଚିହ୍ନଟ ପରିବାରଙ୍କୁ ଉନ୍ନତମାନର ପନିପରିବା ଚାରା ଓ ମଞ୍ଜି ଯୋଗାଣ

୨୦୨୩-୨୪ ବର୍ଷରେ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ଏବଂ ଦୁର୍ବଳ ଶିଶୁଙ୍କ ପରିବାର ସାମିଲ ହେଲେ : ମନ୍ତ୍ରୀ ଶ୍ରୀ ସ୍ୱାଇଁ

0

ଭୁବନେଶ୍ୱର, ଜାନୁଆରୀ ୦୪, ୨୦୨୪ : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ମହିଳା ଓ ବାଳିକାଙ୍କ ମଧ୍ୟରେ ଅପପୁଷ୍ଟି ଓ ରକ୍ତହୀନତା ଦୂର କରିବା ଉଦ୍ଦେଶ୍ୟରେ ଗତବର୍ଷ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା “”ଘରେ ଘରେ ପୁଷ୍ଟି” ଯୋଜନା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ମାଧ୍ୟମରେ ଆରମ୍ଭ କରାଯାଇଥିଲା । ଏହି ଯୋଜନାରେ ରାଜ୍ୟର ଚିହ୍ନଟ ପରିବାରଙ୍କୁ ସେମାନଙ୍କ ଘର ଅଗଣାରେ ୬ ପ୍ରକାରର ପୁଷ୍ଟିଯୁକ୍ତ ପନିପରିବା ମଞ୍ଜି ଏବଂ ୫ ପ୍ରକାରର ପନିପରିବା ଚାରା ଯୋଗାଇ ଦିଆଯାଇଥିଲା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିବାବେଳେ ରାଜ୍ୟର ସମସ୍ତ ଜିଲ୍ଲାରେ ୨୦୨୨-୨୩ ଆର୍ଥିକ ବର୍ଷରେ ୭ ଲକ୍ଷ ୩୮ ହଜାର ପରିବାରଙ୍କୁ ଏହି ପନିପରିବା ବିହନ ମଞ୍ଜି ଓ ଚାରା ଯୋଗାଇ ଦିଆଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲାା ପରବର୍ତ୍ତୀ ସମୟରେ ଏହି ଯୋଜନାରେ କମ୍‍ ଓଜନର ଏବଂ ସ୍ୱାଭାବିକ ବୃଦ୍ଧି ପାଉନଥିବା ପିଲା, ଟ୍ରାନ୍‍ସଜେଣ୍ଡର, ଦିବ୍ୟାଙ୍ଗ, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବିଧବା ମୁଖ୍ୟ ପରିବାର ଏବଂ ବିଶେଷ ଭାବେ ସମ୍ବେଦନଶୀଳ ଜନଜାତି ଗୋଷ୍ଠୀଙ୍କ ପରିବାରଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା । ଫଳରେ ଏହି ଯୋଜନାରେ ରାଜ୍ୟର ମୋଟ ୮ ଲକ୍ଷ ୨୦ ହଜାର ପରିବାର ଉପକୃତ ହୋଇଥିଲେ ବୋଲି କୃଷି ଓ କୃଷକ ସଶକ୍ତିକରଣ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଏହି କାର୍ଯ୍ୟକ୍ରମର ସଫଳତା ରାଜ୍ୟରେ ମହିଳା ଓ ବାଳିକାମାନଙ୍କ ମଧ୍ୟରେ ଅପପୁଷ୍ଟି ଓ ରକ୍ତହୀନତା ଆଦିକୁ ଦୂର କରିବାରେ ଏକ ବଳିଷ୍ଠ ପଦକ୍ଷେପ ସାବ୍ୟସ୍ତ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଛନ୍ତି ।
ଏହି ଯୋଜନାରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଚିହ୍ନଟ ପରିବାରଙ୍କୁ ସଜନା ଛୁଇଁ, କଞ୍ଚାକଦଳୀ, ଅମୃତଭଣ୍ଡା, ଲେମ୍ବୁ ଏବଂ ଖମ୍ବଆଳୁର ୧୦ଟି ଉନ୍ନତମାନର ଚାରା ଏବଂ ବାଇଗଣ, ଭେଣ୍ଡି, କଞ୍ଚାଲଙ୍କା, କଲରା, ଟମାଟର ଏବଂ ପାଳଙ୍ଗ ଆଦି ୬ ପ୍ରକାର ପରିବା ପ୍ରାମାଣିକ ମଞ୍ଜି ଯୋଗାଇ ଦିଆଯାଇଥିଲା ।
ସର୍ବମୋଟ ୧୮ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଘରେ ଘରେ ପୁଷ୍ଟି ଯୋଜନାରେ ଚିହ୍ନଟ ପରିବାରଙ୍କୁ ଘରବାରିରେ ଲଗାଇବା ପାଇଁ ୧୬ ଲକ୍ଷ ୪୦ ହଜାର ସଜନା ଛୁଇଁ, ଅମୃତଭଣ୍ଡା, ଲେମ୍ବୁ, କଞ୍ଚାକଦଳୀର ଉନ୍ନତମାନର ଚାରା ଗଛ ଓ ୪୧୦୦ କ୍ୱିଣ୍ଟାଲ ଖମ୍ବଆଳୁ ଏବଂ ୩୪ ଗ୍ରାମ ଓଜନର ୮.୨ ଲକ୍ଷ ପନିପରିବା ମିନି କିଟ୍‍ସ ଯୋଗାଇ ଦିଆଯାଇଥିଲା ।
ଘରେ ଘରେ ପୁଷ୍ଟି କାର୍ଯ୍ୟକ୍ରମର ସଫଳତାକୁ ଦୃଷ୍ଟିରେ ରଖି ୨୦୨୩-୨୪ ଆର୍ଥିକ ବର୍ଷରେ ମଧ୍ୟ ରାଜ୍ୟର ଅପପୁଷ୍ଟି ଓ ରକ୍ତହୀନତାର ଶିକାର ହୋଇଥିବା ପରିବାରକୁ ଘରେ ଘରେ ପୁଷ୍ଟି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଚଳିତ ବର୍ଷ ରାଜ୍ୟର ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମହିଳା, ଅତିଦୁର୍ବଳ ପିଲାଙ୍କ ପରିବାରଙ୍କୁ ନୂତନ ଭାବରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।
୨୦୨୩-୨୪ ବର୍ଷରେ ପ୍ରତ୍ୟେକ ଚିହ୍ନଟ ପରିବାର ପ୍ରତ୍ୟେକଙ୍କୁ ଗୋଟିଏ ପରିବା ମିନିକିଟ୍‍ ଯୋଗାଇ ଦିଆଯିବ, ଯେଉଁଥିରେ ପାଳଙ୍ଗ, ବାଇଗଣ, ଟମାଟୋ, କଞ୍ଚାଲଙ୍କା, ଭେଣ୍ଡି, କଖାରୁ, କଲରା, କାକୁଡ଼ି, ଲାଉ, ଧନିଆ ଆଦି ୧୦ ପ୍ରକାରର ପରିବା’ର ୧୨୦ ଗ୍ରାମ ଓଜନର ପ୍ରାମାଣିକ ମଞ୍ଜିର ମିନି କିଟସ୍‍ ଯୋଗାଇ ଦିଆଯାଉଛି । ଏଥିପାଇଁ ମୋଟ ୧୯ କୋଟି ୭୫ ଲକ୍ଷ ୩୯ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏହି ଯୋଜନା ଦ୍ୱାରା ବିନା ଖର୍ଚ୍ଚରେ ଘରଦୁଆର ମୁହଁରେ ପୁଷ୍ଟିକର ପନିପରିବା ଉପଲବ୍ଧ ହେବା ସହ ମା’ ଓ ଶିଶୁମାନଙ୍କ ମଧ୍ୟରେ ଅପପୁଷ୍ଟି ତଥା ରକ୍ତହୀନତା ଅନେକ ପରିମାଣରେ ହ୍ରାସ ପାଇବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତିା

Leave A Reply