ସୁନ୍ଦରଗଡ଼, ୧ ଜୁଲାଇ ୨୦୨୦: ମାଣ୍ଡିଆ ଉତ୍ପାଦନ ବୃଦ୍ଧି ସାଙ୍ଗକୁ ଏହାର ପୁଷ୍ଟିକର ଗୁଣ ସମ୍ପର୍କରେ ଚାଷୀ ଏବଂ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିପାଇଁ ଜିଲ୍ଲାର ୪ଟି ବ୍ଲକରେ ସଚେତନତା ରଥ ଗାଁ ଗାଁ ବୁଲୁଛି । ମଂଗଳବାର ଦିନ ଏହି ରଥ ବାଲିଶଙ୍କରା ଓ ଟାଙ୍ଗରପାଲି ବାହରିଥିବା ବେଳେ ବୁଧବାର ଦିନ ଆଉ ଦୁଇଟି ରଥ ହେମଗିରି ଏବଂ ଲେଫ୍ରିପଡ଼ା ବ୍ଲକ୍୍କୁ ଯାଇଛି । ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତଥା ‘ଆତ୍ମା’ର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀ ନାରାୟଣ ଦାଶ, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବହୁ ବରିଷ୍ଠ ଅଧିକାରୀ ଏବଂ ୱାସନର ଜିଲ୍ଲା ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ ।””ସୁନ୍ଦରଗଡ଼ ଜିଲ୍ଲା ‘ଓଡ଼ିଶା ପୁଷ୍ଟିଶସ୍ୟ ମିଶନ’ ମାନଚିତ୍ରରେ ସଫଳତା ହାସଲ କରିଛି । ପୂର୍ବରୁ ୪ଟି ବ୍ଳକରେ ମାଣ୍ଡିଆ ଚାଷ ହେଉଥିବା ବେଳେ ଏବେ ଆଉ ୪ଟି ବ୍ଲକରେ ଏହି ଚାଷ ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି । ୪ଟି ବ୍ଲକର ଚାଷୀଙ୍କୁ ସଚେତନ କରିବା ଲାଗି ଏବେ ସଚେତନା ରଥ ଗଡ଼ିଛି । ପର୍ଯ୍ୟାୟକ୍ରମେ ଜିଲ୍ଲାର ଅନ୍ୟ ବ୍ଲକରେ ମଧ୍ୟ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁଛି । ଗତବର୍ଷ ଜିଲ୍ଲାରୁ ୨ ହଜାର କୁଇଂଟାଲ ମାଣ୍ଡିଆ ଉତ୍ପାଦନ ହୋଇଥିଲା । ଚଳିତ ବର୍ଷ ୪ ହଜାର କୁଇଂଟାଲ ମାଣ୍ଡିଆ ଉତ୍ପାଦନର ଲକ୍ଷ୍ୟ ରହିଛି’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।
ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍)ର ସହାୟତାକ୍ରମେ ଏଥିପାଇଁ ଏକ ୫ ବର୍ଷିଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ‘ଓଡ଼ିଶା ପୁଷ୍ଟିଶସ୍ୟ ମିଶନ’ ଅଧୀନରେ ଆରମ୍ଭ ହୋଇଥିବା ଏହି ସଂପ୍ରସାରଣ କାର୍ଯ୍ୟକ୍ରମରେ ସଂପୃକ୍ତ ୪ଟି ବ୍ଲକର ୩ ହଜାର ହେକ୍ଟରରୁ ଅଧିକ ଚାଷଜମିରେ ମାଣ୍ଡିଆ ଉତ୍ପାଦନ ଲାଗି ଲକ୍ଷ୍ୟ ରଖାଯାଇଛି । କୃଷି ବିଭାଗ ଅଧୀନରେ ଥିବା “ଆତ୍ମା’ର ତତ୍ୱାବଧାନରେ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଚାଷକୁ ସଫଳ ରୂପାୟନ ଦେବା ପାଇଁ ଉଦ୍ୟମ କରାଯାଉଛି । ସେହିପରି ୱାସନ୍୍ ଏବଂ ଏନ୍୍ସିଡିଏସ୍୍ ପକ୍ଷରୁ ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି । ତୃଣମୂଳସ୍ତରରେ ପ୍ରତି ବ୍ଲକ୍୍ ପାଇଁ ଗୋଟିଏ ଲେଖାଏଁ ସାମାଜିକ ସଙ୍ଗଠନକୁ ସହଯୋଗୀ ସଂସ୍ଥା ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି ।”ଓଡ଼ିଶା ପୁଷ୍ଟିଶସ୍ୟ ମିଶନ’ ଅଧୀନରେ ଜିଲ୍ଲାରେ ମାଣ୍ଡିଆ ଚାଷୀମାନଙ୍କୁ ଚିହ୍ନଟ କରାଯିବା ସହିତ ସେମାନଙ୍କୁ ତାଲିମ ଦେବା, ବୈଷୟିକ ସହାୟତା ଯୋଗାଇ ଦେବା ଏବଂ ବିହନ ବଂଟନ ବ୍ୟବସ୍ଥା କରାଯାଉଛି । ଚଳିତ ଖରିଫ୍ ଋତୁରେ ନୂଆ କରି ମାଣ୍ଡିଆ ଚାଷ ହେଉଥିବା ପ୍ରତି ବ୍ଲକରେ ଅନ୍ତତଃ ୧୦୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରିବା ପାଇଁ ପଦକ୍ଷେପ ନିଆଯାଉଛି । ପୂର୍ବରୁ “ଓଡ଼ିଶା ପୁଷ୍ଟିଶସ୍ୟ ମିଶନ’ ଅଧୀନରେ ଜିଲ୍ଲାର ୪ଟି ବ୍ଳକ ରାଜଗାଙ୍ଗପୁର, କୁତ୍ରା, କୁଆଁରମୁଣ୍ଡା ଏବଂ ନୂଆଗାଁରେ ମାଣ୍ଡିଆ ଚାଷ କରାଯାଉଛି ।
