ତାଳଚେର ତା ୧୯/୦୨ ତାଳଚେର ଜିଲ୍ଳା ଦାବିନେଇ ତାଳଚେର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜକୁ ୭୮ଦିନ ହେବ ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶାନ୍ତିପୂର୍ଣ୍ଣଭାବେ ଗଣଧାରଣା ଦିଆଯାଇଥିଲେ ସୁଦ୍ଧା ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନଥିବାରୁ ୧୧ଜଣିଆ କମିଟିଙ୍କ ତତ୍ୱାବଧାନରେ ବିଧାନସଭାକୁ ଆଖି ଆଗରେ ରଖି ଲୋୟର୍ ପିଏମଜି ଛକ ଠାରେ ଶତାଧିକ ଅଂଚଳବାସୀଙ୍କୁ ନେଇ ଧାରଣା ଦିଆଯିବ ବୋଲି ସଂଘର ସଭାପତି ଚୈତନ୍ୟ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ତେବେ ତାଳଚେର ସମସ୍ତ ଭିତିଭୂମି ପୂରଣ କରୁଥିବା, ସର୍ବାଧିକ ରାଜସ୍ୱ ପ୍ରଦାନ କରୁଥିବା ଓ ତତ୍ ସହିତ ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟାନୟକ ତାଳଚେର ଗସ୍ତରେ ଆସି ତାଳଚେରକୁ ୩୧ନମ୍ବର ଜିଲ୍ଳାଭାବେ ଘୋଷଣା କରିବା ନେଇ ଏକ ବିଶାଳ ଜନସମାବେଶରେ ଏହା ପ୍ରକାଶ କରିଥିଲେ ଏବଂ ସେହି ସମୟରେ ତାଳଚେରରେ ଉଠିଥିବା ଜିଲ୍ଳା ଆନ୍ଦୋଳନ ସ୍ଥଗିତ ରହିଲା । ତେବେ ବିଜୁବାବୁଙ୍କ ସୁପୁତ୍ର ବର୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ଯେ, ପଦ୍ମପୁର ଉପନିର୍ବାଚନ ସମୟରେ ପଦ୍ମପୁରକୁ ଜିଲ୍ଳା କରିବା ପାଇଁ ପ୍ରକାଶ କରିଥିବା ବେଳେ ବହୁବିଧ ସମସ୍ୟା ବହୁଳ ଶିଳ୍ପନଗରୀ ତାଳଚେରକୁ ଜିଲ୍ଳା ମାନ୍ୟତା ନେଇ ଉପେକ୍ଷା କରୁଛନ୍ତି, ଏହାକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ? ଯଦି ଏହାକୁ ତୁରନ୍ତ ଜିଲ୍ଳା ଘୋଷଣା ନକରାଯାଏ ତେବେ ଆଗାମୀ ଦିନରେ ତାଳଚେର, ପର୍ଜଙ୍ଗ, ପାଲହଡ଼ା ଅଂଚଳବାସୀ ଏହାର ଉଚିତ ଜବାବ ଦେବେ ବୋଲି ସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ।
