Odisha news

ଗରିବ ସମାଜ ଓ ଗାଁ ପରିବେଶ

0
ପ୍ରାକୃତିକ ରମ୍ୟ ପରିବେଶର ବର୍ଣ୍ଣାଳୀ ଭିତରେ ଏକ ସୁନ୍ଦର ଛୋଟିଆ ଗାଁ ଟିଏ ।ଯେଉଁଠି  ପ୍ରକୃତି ରାଣୀ ସଦା ସର୍ବଦା  ସୁନାର ଗହଣା ପିନ୍ଧେ ।ପ୍ରଭାତର ସ୍ୱର୍ଣ୍ଣିମ କିରଣ ସେହି ଗାଁର ମଥା ମଣ୍ଡନ କରୁଥିଲା ବେଳେ ସନ୍ଧ୍ୟାର ଗୋଧୂଳି ସେ ଗାଁ ଟିକୁ ବଧୂ ବେଶରେ ସଜାଇ ଦେଇଥାଏ  ।ସବୁଜ ସୁନ୍ଦର ଗଛ ପତ୍ରର ପରିବେଷ୍ଟନୀ ଭିତରେ ସେ ପଲ୍ଳୀର ଶୋଭାକୁ ଦେଖିଲେ ଲାଗେ ସତେ  ପ୍ରକୃତିର  ଅପୂର୍ବ  ବରଦାନ ଏହି ଗାଁ   ।ଅନବଦ୍ୟ, ବିରଳ,  ଚିତ୍ରିତ ଏହି ଗାଅାଁ ର ଚିତ୍ର  । ନୀଳ ନୀଳ  ଜଳ ରାଶିର ବିସ୍ତିର୍ଣ୍ଣ ହୃଦୟରୁ  କାନ୍ତିର ଚମକ୍ ସାଉଁଟି ଆଣି ଜଣେ ଆଗନ୍ତୁକ କୁ  ଅତି ନିଜର କରିଥାଏ । ଚିଲିକାର  ଜଳ କଳକଳ ହୋଇ ଛୋଟ ଛୋଟ  ଲହରୀର କଅଁଳ ନିନାଦ ରେ ଗାଆଁର ପାଦ ପଖାଳି ଦେଇଥାଏ ।ଏଠି କିଛି ସମୟ ଠିଆ ହେଲେ ଅନୁଭବ ହୁଏ ସତେ ଯେମିତି  ଅପସରୀର ପାଦ  ନୂପୁର ର ଶବ୍ଦ ସୁରଭି ମୂର୍ଛନାରେ ରୁଣୁ ଝୁଣୁ ହୋଇ ସଂଗୀତର ତାଳେ ତାଳେ ନାଚି ଉଠୁଛି । ମୃଦୁ ମଳୟର ସୁଗନ୍ଧ ରାଜି,  ପାରିଜାତ ଉଦ୍ୟାନର ଏକ ସମ୍ୟକ ଅଂଶ ବିଶେଷ ପରି ପ୍ରତୀୟମାନ ହେଲାପରି ଲାଗେ  । ମାନସ ହୃଦୟକୁ ବିଭୋର କରି ବସେ ଏହି ସୁରମ୍ୟ ଗ୍ରାମଟି । ନାମଟି ତାର ଅଠରବାଟିଅା  ।
ଉପକୂଳ ଅଞ୍ଚଳ ହୋଇଥିବା ଯୋଗୁଁ  ଏହି ଗ୍ରାମର ଲୋକମାନେ ସାଧାରଣତଃ ନିଜର ଜୀବନ ଜୀବିକା ପାଇଁ ଚିଲିକା ହ୍ରଦ ଉପରେ ନିର୍ଭର କରି ଚଳନ୍ତି । ମାଛଧରାକୁ ନିଜର କୌଳିକ ବୃତ୍ତି  ହିସାବରେ  ଗ୍ରହଣ କରି କାଳ ଅତିବାହିତ କରିଥାନ୍ତି । ।ଅତି ସରଳ ନିରୀହ ଏମାନେ । ସ୍ୱାଧିନତାର ଦୀର୍ଘ ୭୪ ବର୍ଷ ବିତି ଯାଇଥିଲେ ମଧ୍ୟ ଏମାନଙ୍କ ଜୀବନ ଧାରଣର ମାନରେ ଆଜି ଯାଏଁ ସେମିତି କିଛି ଉନ୍ନତି ପରିଲିଖିତ  ହୋଇ ନାହିଁ କହିଲେ ଚଳେ ।ମୁଣ୍ଡ ଝାଳ ତୁଣ୍ଡରେ ମାରି ଲହୁ ଲୁହାଣ ହୋଇ ଖରା ବର୍ଷା ଶୀତ କାକର ଓ ଝଡ ତୋଫାନକୁ ଖାତିର ନକରି  ଦୁଇ ଓଳା ଖାଇବା ଯୋଗାଡ କରିବା ପାଇଁ ସବୁବେଳେ ଜୀବନ ସହିତ ସଂଗ୍ରାମ କରି ବଞ୍ଚୁଥାନ୍ତି ଏହି ଧିବର ଜାତି । ନୁଆଣିଆଁ ଚାଳ ଛପର ବାଉଁଶ ଘର ଏମାନଙ୍କର ଆଶ୍ରୟ ସ୍ଥଳୀ  । ନିଜେ କଷ୍ଟ ସହି ଅନ୍ୟକୁ ଆହାର ଯୋଗାଉ ଥିବା ଦୁଃଖି ମଣିଷର ଦୁଃଖ କୁ ଆଜି ବୁଝୁଛି କିଏ ? ପୁରାଣ ବର୍ଣ୍ଣିତ ଯେଉଁ ବିଜ୍ଞାନୀ  ଧିବର ର ଗୌରବ କାହାଣୀ ଗାଥା ଆଜି ମନେ ପଡିଲେ ଶରୀର ର ଲୋମ ଟାଙ୍କୁରି ଉଠେ ।ଦେହ ଶୀତେଇ ଯାଏ  । ଏହି ସେହି ଭକ୍ତ  ସମାଜ । ଯାହାଙ୍କ ସେବାର ପ୍ରତିଫଳ ସ୍ୱରୁପ ଜଗତର ନାଥ ଜଗନ୍ନାଥଙ୍କ ନୀଳଚକ୍ର ବାନା ପତିତ ଉଦ୍ଧାର ପାଇଁ ଫର ଫର ହୋଇ ଉଡୁଛି ।ଯେଉଁ ନେତ କୁ ଥରେ ଚାହିଁ ଦେଲେ ଆଖି ପବିତ୍ର ହୋଇ ଯାଏ ।ସାତ ଜନମର ପାପ ଧୋଇ ହୋଇ ଯାଏ ।
ସେହି କୈବର୍ତ୍ତ  ଜାତିର କଥା,  ନିଜର ଝାଳ ପୋଛା ଗାମୁଛାରେ ଯିଏ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମଙ୍କର ପାଦ ଧୌତ କରି ଦେଇ ଆଜି କାଳ କାଳକୁ ଅମର ବାନା ଉଡାଇ ଦେଇ ଯାଇଛନ୍ତି  ।  ଏକ  ସରଳ ସମାଜର ଜୀବନର କାହାଣୀ ।ମାଛ ଧରି ପେଟ ପୋଷୁଥିବା ଏକ ସଂଗ୍ରାମୀ ବଂଶଧର । ଆଧୁନିକ ଭାରତ ବୋଲି କହୁଥିବା ଆଜିର ମଣିଷ  ବିଜ୍ଞାନ ଯୁଗରେ ପାଦ ଥାପି ବିଶ୍ୱରେ ବେଶ୍ ପରିଚିତ ହୋଇଛି ସତ,  ହେଲେ  ଗ୍ରାମ୍ୟ ଜୀବନରେ ଲୋକ ମାନଙ୍କ ଦୁଃଖ ଦୁର୍ଦ୍ଦଶା କୁ ଦୁଇ ଆଖିରେ ଆଖି ପୁରେଇ ଦେଖିଛି କିଏ ?  ଆଜିର ବଡପଣ୍ଡା ମାନେ କି   ? ଗାନ୍ଧିଜୀଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଗଲା ପରି ମନେ ହେଉଛି । ଗରିବ ମାନଙ୍କ ପଇସାକୁ ଠକି ହରଣ କରୁଥିବା ସମାଜର ଏହି ବଡ ପଣ୍ଡାମାନେ ଗରିବ ହାତରେ ଗଢା ଇନ୍ଦ୍ରପ୍ରସ୍ଥ  ପରି ଜାଜୁଲ୍ୟମାନ ଅଟାଳିକା ରହି ଦେଶର ଶାସନ କଳକୁ ମୋଡୁଛନ୍ତି । ଏହି  ବଡପଣ୍ଡା ଓ ପୁଞ୍ଜିପତି ମାନେ କେବେ ହେଲେ  ଦିନେ  ସେମାନେ ସମାଜର ନିଷ୍ପେଶିତ  ଶ୍ରମିକ, କୃଷକ ଓ ଏଭଳି ଗରିବ ଧିବର ସମାଜର  ଦୁଃଖ କୁ  ଅନୁଭବ କରି ନାହାଁନ୍ତି । କେବଳ ରଙ୍ଗୀନ ଦୁନିଆଁରେ ବୁଲି ରଙ୍ଗୀନ ସ୍ୱପ୍ନ ପଛରେ ଗୋଡାଇ ବିଳାସବ୍ୟସନରେ ମାତି ରହି ନିଜର ଆଗାମୀ ଭବିଷ୍ୟକୁ ନେଇ ଚିନ୍ତା କରୁଥାନ୍ତି । ନିଜ ସ୍ୱାର୍ଥ ପଛରେ ଅନ୍ଧ ହୋଇ ଯାଇଛନ୍ତି ଆଜିର ଏ ସ୍ୱାର୍ଥ ଲୋଭୀ ବଡପଣ୍ଡା ମାନେ  । ଦରିଦ୍ରତାର  କଷା ଘାତରେ ବଞ୍ଚୁଥିବା ଦୁଃଖୀଙ୍କର ଦୁଃଖ କୁ ବୁଝେ ବା କିଏ ? କିଏ କହୁଛି ସମାଜର ଉନ୍ନତି ହେଇଛି ? ଯଦି ସମାଜର ଉନ୍ନତି ହୋଇଛି ତାହା ହେଲେ ଭାରତ ଭଳି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ରେ ମଣିଷ କାହିଁକି ଆଜି ଭୋକ ବିକଳରେ ରାସ୍ତା କଡରେ ଘୁରି ବୁଲୁଛି ।
ଦାଦନ ଖଟିବାକୁ ଗୋଟିଏ ପ୍ରଦେଶରୁ ଅନ୍ୟ ପ୍ରଦେଶ କିମ୍ବା ବିଦେଶକୁ ଚାଲି ଯାଉଛି ।ପ୍ରାକୃତିକ ସମ୍ବଳରେ ଭରପୁର ଏହି ଭାରତ ମାଟିରେ  ଭିକ୍ଷା କୁ କାହିଁକି ଆଜି ସେ ନିଜେ ବଞ୍ଚିବାର ରାହା ଭାବି  ଆପଣେଇ ନେଇଛି ?  । ସମାଜର ବିକାଶ ଗ୍ରାମ୍ୟ ଜୀବନରୁ ବିକଶିତ ହୋଇ ସହରୀ  ଜୀବନକୁ ଆପଣେଇ ନେଇଛି ସତ,  ହେଲେ ପଲ୍ଲୀ ଜୀବନର ବିକାଶ ସମୁଦ୍ରକୁ ଶଙ୍ଖ ପରି ଅଧା ରାସ୍ତାରେ ଅଟକାଇ ଦେଇଛି । ଅାସ ଆମେ ସମସ୍ତେ ମିଳିମିଶି ସମାଜର ପଛୁଆ ବର୍ଗର ମଣିଷ ମାନଙ୍କୁ  ଆଗକୁ ଆଣିବା ପାଇଁ ଦୃଢ ପ୍ରତିଜ୍ଞା କରିବା ।
ସେନାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଆମ ଶିକ୍ଷା ସଂସ୍କୃତିକୁ ବଞ୍ଚାଇ ରଖିବା ।ଦରିଦ୍ରତାର ତାଡନାରେ ଜୀବକା ହରାଉ ଥିବା ଗରିବ ମଣିଷ ଜାତିର ଥଇଥାନ କରି  ଏକ ସୁସ୍ଥ ସମାଜ ଗଢି ତୋଳିବା । ସେମାନଙ୍କ ସାମାଜିକ ,ଆର୍ଥିକ ଜୀବନରେ ସହାୟକ ହେବା ।ସରକାରଙ୍କର ସାହାର୍ଯ୍ୟ ସହାନୁଭୂତି କୁ ଯୋଗ୍ୟ ହିତାଧିକାରୀଙ୍କୁ ଯୋଗାଇ ଦେଇ  ଏହି ନିଷ୍କପଟୀ  ମଣିଷ ମାନଙ୍କର  ଜୀବନ ଧାରଣର ମାନକୁ ଉନ୍ନତ ଓ  ସୁଦୃଢ଼ କରିବା । ଦେଶର ପ୍ରିୟ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ  ମୋଦିଜୀଙ୍କ ନୂଆ ସ୍ୱପ୍ନ ଆତ୍ମ  ନିର୍ଭରଶୀଳ ଭାରତକୁ ପ୍ରଗତି ପଥରେ ଆଗେଇ ନେବା ।  ତେବେ ଯାଇ ଭାରତ ଏକ ସଫଳ, ଶୌର୍ଯ୍ୟ ଗରିବମୁକ୍ତ ଦେଶ ହୋଇ ପାରିବ । ଆସ ଆମେ ସମସ୍ତେ ମିଳିମିଶି ହାତକୁ ହାତ ମିଶାଇ ସ୍ୱାଭିମାନର ଭାରତ ଗଢିଦେବା । ଲାଞ୍ଚଖୋର  ଦାଦାଗିର ମୁକ୍ତ  ଏକ ନୂଆ ଦୁନିଆଁର ସ୍ୱପ୍ନ ଦେଖିବା ।
Nalco

Leave A Reply