Odisha news

ଲାଜ କିଆଁ ଲାଗୁଛି ?

0
ଯାଜ୍ଞସେନୀ ସାହୁ  : ସହରର ଚାକଚକ୍ୟ ମଧ୍ୟରେ ଷ୍ଟାଟସ୍ ମେଣ୍ଟେନ୍ ଭଳି ବୃଥା ଇଚ୍ଛାଶକ୍ତିଟା ଦାଉଦାଉ ହୋଇ ଜଳିବାରେ ଲାଗୁଛି ।ହଁ ସହରଟା ରଙ୍ଗୀନ ଲାଗୁଛି ସତ, ହେଲେ କେବଳ ଗର୍ବ ଅହମିକାର ବହ୍ନିରେ ।ସେଠି ଜଳିପୋଡି ପାଉଁଶ ହେଉପଛେ ଆତ୍ମତୃପ୍ତିଟା।
ଏଇ ଯେମିତି କଲୋନୀକୁ ନୂଆ ନୂଆ ଆସିଥିବା ଗୋଚ୍ଛାୟତ ଦମ୍ପତି ।ସ୍ୱାମୀ ସ୍ତ୍ରୀ ଆଉ ପୁଅଟିଏ।ଗୋଚ୍ଛାୟତ ବାବୁ ଜଣେ ସରକାରୀ କର୍ମଚାରୀ ।ବଦଳି ହୋଇ ଏବେ ଏବେ  ଆସିଛନ୍ତି ବୋଧହୁଏ ।ଘରକରଣା, ଆସବାବପତ୍ର ନାନାଦି ଘର ସଜଡା ସଜଡି ସାଙ୍ଗକୁ ଟିଭି ଷ୍ଟାର ଲାଇନ୍, ଗ୍ୟାସ୍ କାର୍ଡ ବଦଳି ଏମିତି ବହୁତ୍ କିଛି ଦାୟିତ୍ୱ ।ବାବୁଆଣୀ ଆମର ପରଫେକ୍ସନିଷ୍ଟ। ଯେଉଁଠା ଜିନିଷ ସେଇଠି ନ ରହିଲେ ମାଡାମ୍ ରାଗିକି ଖପା ହୋଇଯାଆନ୍ତି।ନିଜକୁ ସର୍ବଶ୍ରେଷ୍ଠ ଦର୍ଶାଇବାଟା ତାଙ୍କର ଜନ୍ମଗତ ।ଏଥିରୁ ସେ ବାଦ୍ ପଡି ନିଜ ପରିବାରକୁ ବି ଛାଡନ୍ତିନି।ନୂଆ ସହରକୁ ଆସିବା ପରେ ପୁଅର ପାଠପଢ଼ା ଓ ନୂଆ ସ୍କୁଲରେ ଆଡମିଶନ୍ ,ସବୁଠୁ ବଡ ଚିନ୍ତାର ବିଷୟ ।ପ୍ରତିଦିନ ସକାଳେ ମିସେସ୍ ଗୋଚ୍ଛାୟତ କିଚେନ୍ ରୁ ଲକ୍ଷ୍ୟ କରନ୍ତି ଯେ କନଭେଣ୍ଟ୍ ସ୍କୁଲର ଗାଡି ଆସେ କଲୋନୀ ପାଖକୁ।ଭଳିକି ଭଳି ଶାଢୀ ଓ ଗହଣା ମଣ୍ଡିତା ସୋ କଲ୍ଡ ମମ୍ମିମାନେ ପିଲାଙ୍କୁ ନେଇ ବସ୍ ପାଖକୁ ଯାଆନ୍ତି ।ସେମାନଙ୍କ ମେକ୍ ଅପ୍ ,ହେୟାର ଷ୍ଟାଇଲ୍ ଚକ୍କରରେ ମନେ ମନେ ପୁଅକୁ ସେହି ସ୍କୁଲରେ ଦାଖିଲ କରିବାକୁ ମନସ୍ଥ କରିନେଲେ।ଗୋଚ୍ଛାୟତ ବାବୁ ସନ୍ଧ୍ୟାରେ ଅଫିସ୍ ରୁ ଫେରିବା ପରେ  ସ୍ତ୍ରୀର କଥା ଶୁଣି ହରଡଘଣାରେ।ପୁଅ ତ ଗାଆଁ ସରକାରୀ ବିଦ୍ୟାଳୟରୁ ଆସିଛି। ଏବେ ପୁଣି ଇଂରାଜୀ ମିଡିୟମ୍ ରେ କେମିତି ଖାପ ଖୁଆଇବ।ୟାକୁ ନେଇ ସେଦିନ ଘରେ ପାଟିତୁଣ୍ଡ ।
-“ବୁଝିଲ ତମେ ଯୋଉ ଗାଉଁଲିକୁ ସେଇଆ ହୋଇ ରହିଯିବ।କଲୋନୀର ସବୁ ଛୁଆଙ୍କୁ ଦେଖୁନ ସେମାନଙ୍କ କଥାବାର୍ତ୍ତା ଚାଲିଚଳନ ପୂରା ଆଧୁନିକ।ମିସେସ୍ ମହାନ୍ତିଙ୍କ ପୁଅ ପରା କାଲି ମୋତେ ହ୍ୟାଲୋ ଆଣ୍ଟି ଗୁଡମର୍ଣିଙ୍ଗ୍ ବୋଲି କହିଲା।କେଡେ ସ୍ମାର୍ଟ ନୁହେଁ ? ଆଉ ଆମର ଇଏ ।ଦୁଷ୍ଟାମି ବ୍ୟତୀତ କୋଉ କଥାକୁ ନୁହଁ ।ଆଉ ୟାକୁ କେବେ ମୁଁ କିଟି ପାର୍ଟି କୁ ନେଲେ ମୋତେ କହିବ।”- ଏହିପରି ବ୍ୟାଖ୍ୟାନ ମିସେସ୍ ଙ୍କର।
କିଟି ପାର୍ଟି ର ନୂଆ ମେମ୍ବର ହେବା ପରଠୁ ସବୁଥିରେ ମାଡାମ୍ ଙ୍କ ଆଶା ଓ ଚାହିଦା ବଢି ବଢି ଚାଲିଛି।ଅନ୍ୟର ସମକକ୍ଷ ହେବାପାଇଁ ପ୍ରତିଦ୍ୱନ୍ଦିତା ଭିତରେ ମାଡି ଚାଲିଛନ୍ତି ସେ।ତେବେ ପୁଅର ଅବସ୍ଥା ସେପଟେ ବେହାଲ୍ ।ଇଂରାଜୀ ପାଠ୍ୟକ୍ରମ ସହ ନା ନିଜକୁ ଅଭ୍ୟସ୍ତ କରିପାରିଲା ନା ସହପାଠୀଙ୍କସହ ନିଜର ସନ୍ତୁଳନ ରକ୍ଷା କରିପାରିଲା। ଶିକ୍ଷାବର୍ଷ ସମାପ୍ତ  ହୋଇଗଲା ହେଲେ ପୁଅ ଆଉ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିଲା ନାହିଁ ।ଗୋଚ୍ଛାୟତ ବାବୁଙ୍କ ଅବସ୍ଥାଟା ସେତେ ଗମ୍ଭୀର ନହେଲେ ମଧ୍ୟ, ମାଡାମ୍ ପୁଅ ପିଠିରେ ଦୁଇ ଚାରୋଟି ଶକ୍ତ ମାଡ ଥୋଇ ବେଡ୍ ରୁମରେ ପଶିଗଲେ।ଅଯଥା ଦେଖାଣିଆ  ଆଳରେ କେବଳ ଗୋଟିଏ ଶିକ୍ଷାବର୍ଷ ନଷ୍ଟ ହୋଇଗଲା ତା ନୁହେଁ,  ବିଚରା ନିରୀହ ଶିଶୁଟିର ମାନସିକ ସ୍ୱାସ୍ଥ୍ୟ   ଉପରେ ପ୍ରଭାବ ପଡିଲା।
ଯଥେଷ୍ଟ ବୁଝିବାଶକ୍ତି ଥିବା ଅନୁଭବୀ ମଣିଷ ମାନଙ୍କ ଏଇ “ଲାଜ ଲାଗିବା” ଡରଟି ପାଇଁ ସମାଜଟା ସତେ ଯେମିତି ଅସନ୍ତୁଳିତ ହୋଇଯାଏ।ଏଇ ଡରଟା ନିରନ୍ତର  ବଡଠୁ ସାନ ଜୋରଜବରଦସ୍ତ ଦବାଇଦିଆଯାଏ ପୀଢିକୁ ପୀଢି।ଯେମିତି ଏଇ ଗୋଚ୍ଛାୟତ ଦମ୍ପତି ।ଭିନ୍ନ ଭିନ୍ନ ମଣିଷ ଭିନ୍ନ ଭିନ୍ନ ଉତ୍କୃଷ୍ଟତା ସହ ଜନ୍ମ ହୋଇଥିଲେ ବି ତା ଯୋଗ୍ୟତା ଓ କ୍ଷମତାକୁ ଟାଳିଦିଆଯାଏ।ନିଜ ଅନିଚ୍ଛା ସତ୍ତ୍ବେ ପିଲାଟିକୁ ସେହି ବିଷୟ ପଢିବାକୁ ପଡେ ଯାହା ତା ଉପରେ  ଲଦିଦିଆଯାଏ ବାଧ୍ୟବାଧକତାର ସହ ।ନୂତନ ଯୁଗକୁ ଆଖି ଆଗରେ ରଖି ଡାକ୍ତର ଇଞ୍ଜିନିୟର ହେବାପାଇଁ ଠେଲିଦିଆଯାଏ, ହେଉ ପଛେ  ସେ ନୃତ୍ୟ ସଙ୍ଗୀତ ଆଦି କଳାପ୍ରିୟ।ସନ୍ତାନର ମାନସିକତା ଉପରେ ପ୍ରଭାବ ପଡିଲେ ମଧ୍ୟ ନିଜ ସମ୍ପର୍କୀୟ,ସହକର୍ମୀ, ପଡୋଶୀ ଙ୍କ ମଧ୍ୟରେ ବାଃ ବାଃ ନେବାର ଏକ ପ୍ରକିୟା ।
ଲିଙ୍ଗଗତ ବିଷୟ ଉପରେ ଦୃଷ୍ଟିନିକ୍ଷେପ କଲେ ମଧ୍ୟ ଜଣାଯାଏ, ରାକ୍ଷସରୂପୀ ମଣିଷଟିଏ  ଯେତେବେଳେ ଅନ୍ୟ ନାରୀ ଉପରେ ଲୋଲୁପ ଦୃଷ୍ଟି ପକାଏ ତାକୁ ଲାଜ ଲାଗେନି,କିନ୍ତୁ  ସ୍ୱାଧୀନ ରାଷ୍ଟ୍ରରେ ନିଜ ଘର ଝିଅ ବୋହୂ ଘରୁ ଗୋଡକାଢି ବାହାରେ ସାମାନ୍ୟ ଜୋରସେ ଫେଁ ଫେଁ କରି ହସିଦେଲେ, ଦୁମ୍ ଦୁମ୍ କରି ଚାଲିଗଲେ  ସେମାନଙ୍କୁ  ସମାଜ ଆଗରେ ଲାଜ ଲାଗେ।ନାରୀ ସ୍ୱାଧୀନତାକୁ କଏଦ କରି ନିଜ ପୁରୁଷପଣିଆର ପରାକାଷ୍ଠା ଦେଖାଇବାରେ ଲାଜ ଲାଗେନି , କିନ୍ତୁ ମୁକ୍ତ ଚିନ୍ତାଧାରା ସହ ସ୍ତ୍ରୀ  ଦି ପଇସା କମାଇ ରୋଜଗାରକ୍ଷମ ହୋଇଗଲେ ଲାଜ ଲାଗେ।କାରଣ ସେମାନେ ଭୟ କରନ୍ତି ଏହାଦ୍ବାରା ବଂଶ ମର୍ଯ୍ୟାଦା  ନତୁବା  ପୁରୁଷତ୍ୱରେ ଦାଗ ଲାଗିଯିବ।ନିଷ୍ପାପ କନ୍ୟାଭୃଣଟିର ହତ୍ୟା  କରିବାରେ ଲାଜ ଲାଗେନି, କିନ୍ତୁ ବାପା ମାଆଙ୍କ କୋକେଇଠୁ ନେଇ ଶବସତ୍କାର ପର୍ଯ୍ୟନ୍ତ କର୍ମ ଝିଅ କଲେ ସମାଜ ଆଗରେ ନିନ୍ଦନୀୟ  ହେବାକୁ ପଡେ।
ସମାଜରେ ଏମିତି ବି ଲୋକ ଅଛନ୍ତି, ଠିକ୍  ଯେମିତି “ଅଣ୍ଟିରେ ନଥାଇ ଧନ ପୁଅ ବାହାକରି ମନ”। ପେଟକାଟି ପଛେ ଓଦାକନା ଦେଇ ଶୋଇବେ।ହେଲେ ଆଉ କାହାଘର ସୋଫାସେଟ୍, ଏୟାର କଣ୍ଡିସନର ଦେଖି ଲୋନ୍ କରି ବାକି କରି ହେଉ ପଛେ କିଣିବା ଯାଏଁ ଥୟ।ଆରମ୍ଭ ହୁଏ ପ୍ରତିଯୋଗୀତା।ପୁଣି ଜଣକେ ଆରେକ ଅନୁକରଣ କରି ସଭିଁଏ ସେହି ଦିଗରେ।ଘଟଣା କଣ ନା,ସମସ୍ତଙ୍କ ସହ ପାଦ ନ ମିଳେଇ ଚାଲିଲେ  ଶୁଦ୍ଧ ଭାଷାରେ “ଲାଜ ଲାଗିବ”। କିନ୍ତୁ ବିଡମ୍ବନା ଏହା ଯେ, ଯେଉଁ ବିଷୟଗୁଡିକ ପାଇଁ ଲାଜ ଲାଗିବା କଥା, ସେହି ଉପରେ କେବେ ଲାଜ ଲାଗେନି।ଅନୁଭବରୁ ଠଉରେଇଥିବା ଉଦାହରଣ ସ୍ୱରୂପ, ଭିକାରୀଟିଏ ଖରାତରାରେ ଆସି ଦାଣ୍ଡମୁହଁରେ ଭିକ ମାଗୁଥିବା ବେଳେ କିଛି ଲୋକ ଏକ ଟଙ୍କା କିମ୍ବା ଚାରିଅଣା ଆଠଅଣାଠୁ ବେଶୀ ନ ଦେଇ ଜଲଦି ବିଦା କରିଦିଅନ୍ତି ।ପିନ୍ଧିବାକୁ ଲୁଗାଟିଏ କି ଭାତପାଣି ଟିକେ ମାଗିଲେ ଗରଗର ହୋଇ ତାଟିକବାଟ ଦେଇଦିଅନ୍ତି ନହେଲେ ଚାଖଣ୍ଡେ ଦୂରରୁ ଫିଙ୍ଗି ଦିଅନ୍ତି  ଛୁଇଁଦେଲେ ନିଜ ଜାତିଗୋତ୍ର ହରାଇବା ଭୟରେ।ତେବେ ଏଇଭଳି ଆବୋରି ବସିଥିବା ବ୍ୟକ୍ତିତ୍ୱ ପାଇଁ  ଆମକୁ ଲାଜ ଲାଗେନି।କିନ୍ତୁ ଭୋଜିଭାତ ଅନ୍ୟାନ୍ୟ ପର୍ବରେ ପାଟଶାଢୀ,ଗହଣାଗାଣ୍ଠି ନଥିଲେ ନିହାତି  ଲାଜ ଲାଗେ ।ସମାଜର ହିତ ସାଧନ ତଥା ଅସହାୟ ଗରିବଙ୍କ ଉନ୍ନତି ପାଇଁ ଅର୍ଥଦାନ ନକଲେ ଲାଜ ଲାଗେନି,କିନ୍ତୁ ଦୁର୍ନୀତି କରି ପଇସା ଖାଇ  ଦୁଇ ମହଲାଟେ ନ ବାଡେଇ ପାରିଲେ ଲାଜ ଲାଗେ ।ଜାତିଭେଦ,ଧର୍ମଭେଦ ଉପରେ ଏକପାଖିଆ ନ୍ୟାୟ କରି ନିଜକୁ ଉଚ୍ଚଗୋଷ୍ଠୀର କହି ଡିଣ୍ଡିମ ପିଟିବାରେ ଲାଜ ଲାଗେନି, କିନ୍ତୁ ମନ୍ଦିର ଯାଇ ହଜାର ହଜାର ଦାନଦକ୍ଷିଣା ଦେଇ ଚିତାକାଟି ନିଜକୁ ଧାର୍ମିକ ଉପସ୍ଥାପନ ନ କଲେ ଆମକୁ ଲାଜ ଲାଗେ ।
ତେବେ କଥାର ସାରାଂଶ ଏହା ଯେ, ଏହି ଲାଜ ଲାଗିବା ଓ ନ ଲାଗିବା ପରି ଦୁଇଟି ସ୍ତମ୍ଭର ନିୟମ ଓ ସର୍ତ୍ତାବଳୀ ସମାଜ ଯୁଗ ଯୁଗ ଧରି ନିଜେ ଭରିଆସିଛି।ଏସବୁର ବର୍ଗୀକରଣ ନ କରି ସମାନତା ଆଧାରରେ ଆମେ ଯଦି ପ୍ରତିଟି ବିଷୟକୁ ସହଜରେ ବିନା ସଙ୍କୋଚରେ ସମ୍ମାନର ସହ ଗ୍ରହଣ କରିପାରନ୍ତେ, ତେବେ  ନା ଆମକୁ ଅନ୍ୟ ହିସାବରେ ବଞ୍ଚିବାକୁ ପଡନ୍ତା ନା ଅଯଥା କ୍ଳେଶ ରୁହନ୍ତା।ଯଦି ବା ଲାଜ ଲାଗିବା କଥା,ତେବେ ଆମର ନୀଚ୍ଚ ମାନସିକତା, ପଶୁସମ ପ୍ରବୃତ୍ତି, ସୂକ୍ଷ୍ମ ଓ ସଂକୀର୍ଣ୍ଣ ଚିନ୍ତାଧାରା ତଥା ଅର୍ଥହୀନ ସାମାଜିକ କାର୍ଯ୍ୟକଳାପ ପାଇଁ ଲାଗିବା ଦରକାର ।ଏହା ହିଁ ସୁସ୍ଥ ସମାଜର ଅସଲ ଚାବିକାଠି।
Nalco
Leave A Reply