Odisha news

“ସତ୍ସଙ୍ଗ”

0

ସୁଧାଂଶୁ ଶେଖର ଦ୍ବିବେଦୀ : ସତ୍ସଙ୍ଗ ଶବ୍ଦ ଦୁଇଟି ଶବ୍ଦର ସନ୍ଧି ବିଛେଦରେ ହୋଇଥାଏ ଯଥା ସତ ଏବଂ ସଙ୍ଗ।ସତର ଅର୍ଥ ପରମାତ୍ମା ଓ ସଙ୍ଗର ଅର୍ଥ ଆସକ୍ତି।ଅର୍ଥାତ ଯେଉଁସବୁ କାରଣରୁ ପରମାତ୍ମାଙ୍କ ପ୍ରତି ଆସକ୍ତି ସୃଷ୍ଟି ହୋଇଥାଏ ଏବଂ ସେଥିପାଇଁ ସତ୍ସଙ୍ଗ କରିବାକୁ ପଡେ।ସତ କେବଳ ଏବଂ କେବଳ ପରମାତ୍ମା ଅଟନ୍ତି ଅବ ଶିଷ୍ଟ ଅସତ୍ୟ ଅଟେ।ଯେକୌଣସି ମାଧ୍ୟମରେ ଆମର ପର ମାତ୍ମାଙ୍କ ପ୍ରତି ଆସକ୍ତି ସୃଷ୍ଟି ହେଲେ ତାଙ୍କପ୍ରତି ପ୍ରେମଭାଵ ଜାଗ୍ରତ ହୋଇଥାଏ।

ଏହାହିଁ ସତ୍ସଙ୍ଗ ଅଟେ।ଯାହାଙ୍କ ସଂସ୍ପର୍ଶ ରେ ଆସିବା ଦ୍ୱାରା ଆମ ଭିତରେ ପରମାତ୍ମାଙ୍କ ପ୍ରତି ପ୍ରେମ ଭାଵ ସୃଷ୍ଟି ହୋଇଥାଏ ଓ ଯାହା ବାର୍ତ୍ତାଳାପ ହୁଏ ତାହାହିଁ ସତ୍ସଙ୍ଗ ଅଟେ।ବେଦ ଓ ଶାସ୍ତ୍ରକୁ ପଢିବା ଦ୍ୱାରା ମନରେ ଯଦି ପରମାତ୍ମାଙ୍କ ଭାବ ଉଦ୍ରେକ ହେଲା ତାହେଲେ ସେହି ବେଦ ଓ ଶାସ୍ତ୍ରକୁ ପଢିବା ହିଁ ସତ୍ସଙ୍ଗ ଅଟେ।ପ୍ରକୃତିର ସୌନ୍ଦର୍ଯ୍ୟକୁ ଏକାନ୍ତରେ ନିରୀକ୍ଷଣ କରିବାରେ ଯଦି ଆମ ଭିତରେ ପରମାତ୍ମାଙ୍କ ପ୍ରତି ପ୍ରେମଭାବ ଅନୁଭୂତ ହୁଏ ତେବେ ସେହି ଏକାନ୍ତ ପରିବେଶ ହିଁ ସତ୍ସଙ୍ଗ ଅଟେ।ମୌନ ସମୟରେ ଆମ ଭିତରେ ପରମାତ୍ମାଙ୍କୁ ଚିନ୍ତନ କରୁଥିଲେ ସେହି ଚିନ୍ତନର ଭାବ ହିଁ ସତ୍ସଙ୍ଗ ଅଟେ।

ଦୁର୍ଭାଗ୍ୟବଶତ ଆଜି ଆମେମାନେ କଥିତ ପ୍ରବଚନ କାର୍ତ୍ତାଙ୍କ ଦ୍ୱାରା ପ୍ରସ୍ତୁତ ପ୍ରବଚନ ସ୍ଥଳର ସାଜସଜ୍ଜା,ସଙ୍ଗୀତ ଓ ନୃତ୍ୟର ତାଳେ ତାଳେ ପ୍ରଭାବିତ ହୋଇପଡିଛୁ ତଥା ସେଠାରେ ନିଜକୁ ଉପସ୍ଥିତ କରାଇ ତାକୁ ହିଁ ସତ୍ସଙ୍ଗ ବୋଲି ମାନି ନେଇଛୁ।ପ୍ରକୃତରେ ସେଭଳି ସ୍ଥାନରେ ଉପସ୍ଥିତ ରହିବା ଦ୍ୱାରା ଭୌତିକତା ପ୍ରତି ଆସକ୍ତି ହୋଇ ପରମାତ୍ମାଙ୍କୁ ଭୁଲି ଯାଇଥାଉ।କାରଣ ଭୌତିକତା ଅସତ୍ୟ ସତ୍ୟ ନୁହେଁ।ଏଭଳି ଆୟୋଜନକୁ ସତ୍ସଙ୍ଗ କହିବା ଉଚିତ ମନେ ହୁଏନାହିଁ।ବାସ୍ତବିକ ସତ୍ସଙ୍ଗରେ ପରମାତ୍ମାଙ୍କ ପ୍ରତି ପ୍ରେମଭାଵ ସୃଷ୍ଟି ହେବା ଦ୍ୱାରା ଆତ୍ମ ବିଭୋର ହୋଇଥାଉ।ଏହାବ୍ୟତୀତ ଭୌତିକତା ଆକର୍ଷଣର ଭୂମିକା ଏଥିରେ ନଥାଏ।

କେବଳ କୌଣସି ସତ୍ସଙ୍ଗରେ ଉପସ୍ଥିତ ହୋଇଯିବା ମଧ୍ୟ ପର୍ଯ୍ୟାପ୍ତ ହୋଇନଥାଏ ବରଂ ସତ୍ସଙ୍ଗରେ ଦିଆ ଯାଉଥିବା ଜ୍ଞାନର ସ୍ତରକୁ ଜାଣିବା ଆବଶ୍ୟକ ହୋଇଥାଏ।ଯଦି କୌଣସି ପ୍ରବଚନରେ ତତ୍ତ୍ୱର କଥା ଅଧିକ ହେଉଥାଏ ତାହେଲେ ସେଠାରେ ସାଧାରଣ ବ୍ୟକ୍ତିଙ୍କ ପାଇଁ ତାକୁ ଶୁଣି ବୁଝିବା ବହୁତ କଠିନ ହୋଇପଡେ।ତାହାର କାରଣ ଏହିକି ଯେ ସେହି ବ୍ୟକ୍ତି ଏପର୍ଯ୍ୟନ୍ତ ଆଧ୍ୟାତ୍ମିକ ମାର୍ଗରେ ଚାଲିବା ପ୍ରାରମ୍ଭ କରି ନାହାନ୍ତି।ତାତ୍ତ୍ଵିକ ପ୍ରବଚନ କେବଳ ସେହିଭଳି ସାଧକଙ୍କ ପାଇଁ ଉପ ଯୋଗୀ ହୋଇଥାଏ ଯେଉଁମାନେ ଆଧ୍ୟାତ୍ମିକତାର ପ୍ରାରମ୍ଭିକ ଚରଣକୁ ଅତିକ୍ରମ କରି ସାରିଛନ୍ତି।ଯେଉଁମାନଙ୍କ ମନ ମଧ୍ୟରେ ପରମାତ୍ମାଙ୍କୁ ଜାଣିବା ପାଇଁ ଉତ୍କଣ୍ଠା ଥାଏ।

ସେହି ବ୍ୟକ୍ତି କୌଣସି ତାତ୍ତ୍ଵିକ ସତ୍ସଙ୍ଗର ଲାଭ ଉଠେଇ ପାରନ୍ତି।ଶ୍ରୋତାଙ୍କ ସ୍ତରକୁ ଆକଳନ କରିବା ସତ୍ସଙ୍ଗରେ ପ୍ରବଚନ କାର୍ତ୍ତାଙ୍କୁ ଆବ ଶ୍ୟକ ପଡ଼ିଥାଏ ଏବଂ ସେହି ଅନୁସାରେ ଯେଉଁ ଶ୍ରତାମାନଙ୍କର ଭଜନରେ ମନ ନିବେଶ ହୋଇଥାଏ ସେମାନଙ୍କୁ ଭଜନ ମାଧ୍ୟମରେ ପରମାତ୍ମାଙ୍କ ସହିତ ଯୋଡ଼ା ଯାଇପାରେ।ଯେଉଁ ମାନଙ୍କର ତତ୍ତ୍ୱ ଜ୍ଞାନରେ ଆଶା ଥାଏ ତାଙ୍କୁ ତତ୍ତ୍ୱର ପ୍ରବଚନ ଶୁଣେଇବା ପ୍ରୟୋଜନ ହୋଇଥାଏ।ତେବେ ଆଜିର ଏ ଭୌତିକ ଯୁଗରେ ପ୍ରବଚନ ଓ ସତ୍ସଙ୍ଗରେ ସଙ୍ଗୀତ ଓ ଭଜନ ସହିତ ନୃତ୍ୟର ଭେଳିକି ଦେଖିବାକୁ ମିଳୁଛି।ପ୍ରକୃତରେ ଏଭଳି ଆୟୋଜନ ଏକ ସୀମା ପର୍ଯ୍ୟନ୍ତ ବହୁଳତାକୁ ଆକର୍ଷିତ କରି ବାରେ ସଫଳ ସାବ୍ୟସ୍ତ ହୋଇପାରେ ମାତ୍ର ଏହାକୁ ସତ୍ସଙ୍ଗ କହିବା ଉଚିତ ମନେ ହୁଏନାହିଁ।ତଥାପି ଏଭଳି ଆୟୋଜନରେ ଭାଗ ନେବା ଉପରାନ୍ତେ ଯଦି କୌଣସି ବ୍ୟକ୍ତିଙ୍କୁ ପରମାତ୍ମାଙ୍କ ପ୍ରତି ପ୍ରେମଭାଵ ବଢିଯାଏ ଏବଂ ଆଧ୍ୟାତ୍ମିକତା ମାର୍ଗରେ ଆଗକୁ ଯାତ୍ରା କରିବାପାଇଁ ପ୍ରସ୍ତୁତ ହୁଅନ୍ତି ତେବେ ଏହା ନିହାତି ଉଚିତ ଅଟେ।

କୌଣସି ସନ୍ଥଙ୍କର ସାନ୍ନିଧ୍ୟ ମିଳୁ ଏହାହିଁ ଜୀବନର ବଡ଼ ମହତ୍ତ୍ୱ ପୂର୍ଣ୍ଣ ଅବଶୋଷ ଅଟେ।କେବଳ ଶାସ୍ତ୍ର ଓ ପୁସ୍ତକ ପଢି ସବୁ କିଛି ଜାଣିହୁଏ ନାହିଁ ବରଂ ପଢ଼ିସାରି ଜ୍ଞାନ ପ୍ରାପ୍ତ କରିବାରେ ନିଜର ବିବେକକୁ ଜାଗ୍ରତ କରିବା ଲାଗି କୌଣସି ଗୁରୁ କିମ୍ବା ସନ୍ଥଙ୍କର ଆଵଶ୍ୟକତା ପଡ଼ିଥାଏ।ଗୁରୁ ଓ ସନ୍ଥ ନିଃସ୍ୱାର୍ଥ ଭାବ ରେ ଆମର ଉଚିତ ମାର୍ଗ ଦର୍ଶନ କରାଇଥାନ୍ତି।ଯେମିତି ଧୂଳିକୁ ବାୟୁର ସାନ୍ନିଧ୍ୟ ମିଳିଗଲେ ଆକାଶର ଉଚ୍ଚତାକୁ ମାପିନିଏ,ପୁଣି ଯେବେ ସେଇ ଧୂଳି ପାଣିର ସାନ୍ନିଧ୍ୟକୁ ଆସେ ତାହା ମଇଳାରେ ପରିବର୍ତ୍ତିତ ହୋଇଯାଏ।ଅର୍ଥାତ ମନୁଷ୍ୟକୁ ନିଜ ଜୀବନରେ କୁସଙ୍ଗକୁ ପରିତ୍ୟାଗ କରି ଆଧ୍ୟାତ୍ମିକ ପଥରେ ଆଗକୁ ବଢି ପାରିଲେ ଜୀବନ ସାର୍ଥକ ହେବ ନିଶ୍ଚୟ।

Nalco
Leave A Reply