ସୁଶ୍ରୀ ସୌଭାଗ୍ୟବତୀ ଗିରି : ଯୌତୁକ ପ୍ରଥା ବିଷୟରେ ପ୍ରାୟ ସମସ୍ତଙ୍କୁ ଜଣା l ବିବାହ ସମୟରେ କନ୍ୟାପକ୍ଷରୁ ବାଧ୍ୟତାମୂଳକ ଭାବେ ଦିଆଯାଉଥିବା ନଗଦ ଟଙ୍କା ବହୁମୂଲ୍ୟ ଅଳଙ୍କାର,ମୂଲ୍ୟବାନ୍ ଆସବାବପତ୍ର ଇତ୍ୟାଦି ଯୌତୁକର ଅନ୍ତର୍ଭୁକ୍ତ l ଏଥିରେ ଅବହେଳା କଲେ ନବବିବାହିତାକୁ ମିଳେ ମୃତ୍ୟୁ ଉପହାର l ଖବରକାଗଜର ପୃଷ୍ଠା ମଣ୍ଡନ କରେ ଯୌତୁକ ନିର୍ଯାତନା ଓ ବଧୂହତ୍ୟା ଭଳି ଖବର l
ଯୌତୁକ ହେତୁ ଜଳେଇ ଦିଆଯାଉଥିବା ବଧୂମାନଙ୍କ ଖବର ପଢି ଅନେକ ଅବିବାହିତା କନ୍ୟାଙ୍କ କଣ୍ଠରୁଦ୍ଧ ହୋଇଯାଏ l କାନପାଖରେ ଶୁଭିଯାଏ ହାହାକାର କରୁଥିବା ଏକ ଉଦବିଗ୍ନ ଆତ୍ମାର ବିଳାପ,ବ୍ୟଥା ବେଦନାର କରୁଣ ସ୍ୱର l ସେମାନଙ୍କ ବେଦନା କୁ ସମକ୍ଷରେ ରଖିଲେ ତାହା ନିଜ କଷ୍ଟ ଠାରୁ ବି ଅଧିକ କଷ୍ଟ ଦିଏ l ଅନ୍ତର ଭିତରୁ ଶୁଭେ ଅନ୍ତରାତ୍ମାର ଶିଶୁବତ୍ ବିକଳ କ୍ରନ୍ଦନ l
ପାଶ୍ଚାତ୍ୟ ସଭ୍ୟତା ବିଷୟରେ କହିଲେ ବିବାହ ସେଠାରେ ଏକ ଅତି ନଗଣ୍ୟ ପ୍ରଥା l ଅଧିକାଂଶ ବ୍ୟକ୍ତି ସେମାନଙ୍କ ଜୀବନରେ ଏକାଧିକ ବିବାହ କରିଥା’ନ୍ତି l କିଛି ଯାଗାରେ କଣ୍ଟ୍ରାକ୍ଟ ମ୍ୟାରେଜ୍ ଦେଖିବାକୁ ମିଳେ l ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ସାମାନ୍ୟ ମନୋମାଳିନ୍ୟର ଶେଷ ପରିଣତି ହୁଏ ଛାଡପତ୍ର l ତା’ପରେ ଉଭୟ ପୁଣି ନୂଆ ଜୀବନସାଥି ବାଛି ନିଅନ୍ତି l
କିନ୍ତୁ ଭାରତୀୟ ସଭ୍ୟତାରେ ବିବାହ ଏକ ମହତ୍ତ୍ୱପୂର୍ଣ ଉତ୍ସବ l ଏହା ଦୁଇଟି ଆତ୍ମାର ମଧୁର ମିଳନ,ଏକ ପବିତ୍ର ବନ୍ଧନ l ଥରେ ବିବାହ ସମ୍ପନ୍ନ ହୋଇଗଲେ ସ୍ୱାମୀ ସ୍ତ୍ରୀ ଗୋଟିଏ ଜନ୍ମର ନୁହେଁ ବରଂ ଜନ୍ମଜନ୍ମର ସାଥୀ ହୋଇଯାଆନ୍ତି l ପାଲଟି ଯାଆନ୍ତି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ l ଜଣଙ୍କ ବିନା ଆଉ ଜଣେ ମୂଲ୍ୟହୀନ l
ମଥାରେ ସିନ୍ଦୁର,ହାତରେ ମେହେନ୍ଦି,ପାଦରେ ଅଳତା ନାଇ ବୋହୂ ସାଜି ଯେଉଁ ଘରର ଏରୁଣ୍ଡି ବନ୍ଧ ଡିଏଁ ସେଇ ଘରୁ ତା’ର କୋକେଇ ଉଠେ l ବିବାହ ବେଦୀରେ କେବଳ ଦୁଇଟି ହୃଦୟର ପବିତ୍ର ମିଳନ ହୁଏନି,ଦୁଇଟି ପରିବାର ବି ବାନ୍ଧି ହୋଇଯା’ନ୍ତି ଘନିଷ୍ଠ ଆତ୍ମୀୟତାର ବନ୍ଧନରେ l ସ୍ତ୍ରୀ କୁ ସହଯୋଗିନୀ ର ସ୍ଥାନ ଦେଇ ଜୀବନର ଅପୂର୍ଣତା କୁ ଦୂର କରିବାକୁ ଚେଷ୍ଟା କରେ ପୁରୁଷ l ଭାରତୀୟ ନାରୀ ଭିତରେ ଥାଏ ଦୟା,କ୍ଷମା,ଧୈର୍ଯ୍ୟ ଓ ସହନଶୀଳତା ଭଳି ନାରୀସୁଲଭ ଗୁଣ l ପରିବାରର ସବୁ ସୁଖଦୁ:ଖକୁ ହସିହସି ସହିଯାଏ ନାରୀ l ଗୃହ ସ୍ୱର୍ଗ ତୁଲ୍ୟ ମନେ ହୁଏ l
ପୂର୍ବ କାଳରେ ବିବାହ ସମୟରେ ଯୌତୁକ ଥିଲା ପବିତ୍ର ସ୍ନେହର ଏକ ପ୍ରତୀକ l ସେତେବେଳେ ପ୍ରତୈକ ପରିବାରରେ କନ୍ୟା ଥିଲା ସମସ୍ତଙ୍କର ନୟନ ପିତୁଳା,ସ୍ନେହ ସଦିଚ୍ଛାର ପାତ୍ରୀ l ତା’ ପ୍ରତି ଥିଲା ସମସ୍ତଙ୍କର ଅତୁଟ ଭଲପାଇବା l ତେଣୁ ବିବାହ ଭଳି ଏକ ମହତ୍ତ୍ୱପୂର୍ଣ ଉତ୍ସବରେ ବିଦାୟ ଅବସରରେ ପରିବାରର ପ୍ରତୈକ ସଦସ୍ୟ ତାକୁ ସ୍ନେହର ପ୍ରତୀକ ସ୍ୱରୂପ କିଛି ଉପହାର ଦେଉଥିଲେ l
କିନ୍ତୁ ଏବେ ଏହି ଯୌତୁକ ଆଉ ଉପହାର ହୋଇ ରହିନାହିଁ l ଏହା ସାଜିଛି ଜହର l ଭୟଙ୍କର ରୂପ ଧାରଣ କରିସାରିଛି ଯୌତୁକ l ଯୌତୁକରୂପୀ ଦାନବ ସହିତ ମିଶି ମଣିଷ ସାଜିଛି ଜହ୍ଲାଦ l
ନିଜର ବିବାହଯୋଗ୍ୟ ପୁତ୍ରକୁ ପଶୁ ପରି ନିଲାମ କରୁଛି l ତେଣୁ ବିବାହ ଏକ ପବିତ୍ର ବନ୍ଧନ ହେବା ପରିବର୍ତ୍ତେ ଏକ ଘୃଣ୍ୟ ବନ୍ଧନ ହୋଇ ଉଭୟ ପରିବାର ମଧ୍ୟରେ ରାଗରୋଷ ଓ ପରସ୍ପର ପ୍ରତି ବିଦ୍ରୋହ ମନୋଭାବ ସୃଷ୍ଟି କରିବା ସହିତ ବଧୂହତ୍ୟା ଭଳିି କୁକର୍ମକୁ ଜନ୍ମ ଦେଉଛି l ନବବିବାହିତାକୁ କେଉଁଠି ଶାବଳ ଚାପା ଦେଇ ତ ଆଉ କେଉଁଠି ପେଟ୍ରୋଲ୍ ନିଆଁରେ ଜଳେଇ ଦିଆଯାଇ ତାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଛି l ଏହା ହତ୍ୟା ହେଉ ବା ଆତ୍ମହତ୍ୟା କିନ୍ତୁ ବଳି ପଡୁଛି ନିରୀହା ନବବଧୂ l ଆଉ ବରପକ୍ଷକୁ ସହିବାକୁ ପଡୁଛି ଆଜୀବନ ଜେଲ୍ ର କାଳକୋଠରୀର ଯନ୍ତ୍ରଣା l
ପ୍ରତୈକ ପରିବାରରେ କନ୍ୟା ସନ୍ତାନଟେ ପାଦ ଦେଉଦେଉ ନୂଆ ସମସ୍ୟାଟେ ଯୋଡି ହୋଇ ଯାଉଛି l ତା ପାଇଁ ଯୌତୁକ ଯୋଗାଡ କରିବାରେ ଘରଲୋକେ ପ୍ରଥମରୁ ହିଁ ଲାଗି ପଡୁଛନ୍ତି l କନ୍ୟା ବିବାହଯୋଗ୍ୟା ହେବା ମାତ୍ରେ ଏ ଯୌତୁକ ଦାନବ କନ୍ୟାପିତାଙ୍କୁ ନାଲିଆଖି ଦେଖାଇ ଡରେଇବା ଆରମ୍ଭ କରିଦେଉଛି l
ବିଚରା ଅସହାୟ କନ୍ୟାପିତା ପରିସ୍ଥିତିରେ ପଡି ବାଧ୍ୟ ହେଉଛନ୍ତି ଏ ଦାନବକୁ କୋଳାଗ୍ରତ କରିବା ପାଇଁ l ଆଉ ତାଙ୍କ ଦୁର୍ବଳତାର ସୁଯୋଗ ନେଇ ଯୌତୁକ ଦାନବ ରକ୍ତଶୋଷଣ କରିବାରେ ଲାଗିପଡୁଛି l ସାରା ଜୀବନ ସମୟ,ସାମର୍ଥ୍ୟ,କ୍ଷମତା ଓ ପରିଶ୍ରମର ବ୍ୟୟ କରି ସଞ୍ଚିଥିବା ଅର୍ଥରୁ କନ୍ୟାପିତାଙ୍କୁ ଦେବାକୁ ପଡୁଛି ନଗଦ ଟଙ୍କା,ମୁଲ୍ୟବାନ୍ ଗହଣା ଓ ବହୁମୂଲ୍ୟ ଆସବାବପତ୍ର l ତା ସହିତ ପୁଣି ପ୍ରୋସେସନ୍,ସାଜସଜ୍ଜା,ଭୋଜିଭାତ ଓ ଅନ୍ୟାନ୍ୟ ଥାଟ୍ଟବାଟରେ କେତେ ଯେ ଖର୍ଚ୍ଚ କରିବାକୁ ପଡୁଛି ତାହା କଳ୍ପନାତୀତ l
ଆଉ ଏପଟେ ଯୌତୁକରେ ଆଣିଥିବା ଟଙ୍କାର ନଗ୍ନନୃତ୍ୟ ଆରମ୍ଭ କରି ଦେଉଛନ୍ତି ବରପକ୍ଷ l ମଦ ମାଂସର ଆସର ଜମଉଛନ୍ତି l ବହୁ ଧୁମ୍ ଧାମ୍ ରେ ଭୋଜିଭାତ କରି ବାହାବା ନେଉଛନ୍ତି l କିନ୍ତୁ ବାହାଘର ସରୁସରୁ ବୋଝ ଉପରେ ନଳିତା ବିଡା ପରି କନ୍ୟାପିତାଙ୍କ ମୁଣ୍ଡରେ ଯୌତୁକ ଓ ବାହାଘର ଖର୍ଚ୍ଚ ଉପରେ ଲଦି ହୋଇଯାଉଛି ଋଣଭାର l ଋଣଭାର ଶୁଝିଶୁଝି ତାଙ୍କ ଅବସ୍ଥା ଅତି ଦୟନୀୟ ହୋଇଯାଉଛି l
ଯୌତୁକ ପ୍ରଥା ଏକ ଘୃଣ୍ୟ ପ୍ରଥା l ଏହା ସମସ୍ତେ ଜାଣନ୍ତି l ପ୍ରତୈକ ବିଚାରଶୀଳ ଓ ନ୍ୟାୟବନ୍ତ ଲୋକ ଏହାର ଘୋର ବିରୋଧ କରୁଛନ୍ତି l ଦେଶର ପ୍ରତୈକ କୋଣ ଅନୁକୋଣରୁ ଯୌତୁକ ବିରୋଧି ଧ୍ୱନି ଶୁଣିବାକୁ ମିଳୁଛି l ସମାଜରେ ସୁଧାର ଆଣିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିବିଶେଷ ମାନେ ଟିଭି,ରେଡିଓ ଓ ବିଭିନ୍ନ ପତ୍ରପତ୍ରିକା ମାଧ୍ୟମରେ ଯୌତୁକ ବିରୋଧି ବାର୍ତ୍ତା ଦେଉଛନ୍ତି l ବିଭିନ୍ନ ନାରୀ ସଙ୍ଗଠନ ତରଫରୁ ଯୌତୁକ ବିରୋଧରେ ସ୍ୱର ଉତ୍ତୋଳନ କରାଯାଉଛି l ସରକାର ବି ଯୌତୁକ ବିରୋଧରେ ବିଭିନ୍ନ ଆଇନ୍ ପ୍ରଣୟନ କରିଛନ୍ତି l ଏବେ ଯୌତୁକ ପ୍ରଥାକୁ କେବଳ ଏକ କୁତ୍ସିତ ପ୍ରଥା ନୁହେଁ ବରଂ ଧର୍ତ୍ତବ୍ୟ ଅପରାଧରେ ଗଣା ଯାଉଛି l ତା’ପରେ ବି ଏ ଯୌତୁକ ଦାନବ ଦିନକୁ ଦିନ ତାର ପଞ୍ଝା ମେଲାଇ ଚାଲିଛି l
କାରଣ ଏ ଦାନବକୁ ବଞ୍ଚି ରହିବା ପାଇଁ ଦାନା ଯୋଗାଉଛନ୍ତି ଉଚ୍ଚଶିକ୍ଷିତ ଯୁବଗୋଷ୍ଠୀ l ସେମାନେ ଯୌତୁକ ପ୍ରଥାକୁ ଅତି ସହଜରେ ଗ୍ରହଣ କରି ନେଉଛନ୍ତି l ଯୌତୁକ ନେଉଥିବା ଯୁବକଟି ନିଜକୁ ଅତି ଶ୍ରେଷ୍ଠ ବୋଲି ଭାବୁଥିବା ବେଳେ ଯୌତୁକ ନେଇ ଶାଶୁଘରେ ପାଦ ଦେଉଥିବା ଝିଅଟି ନିଜକୁ ଧନୀକ ଶ୍ରେଣୀର ଝିଅ ଭାବି ଅହଂକାରରେ ବୁଡି ଯାଉଛି l ସମାଜ ପ୍ରତି ନିଜ କର୍ତ୍ତବ୍ୟ ଭୁଲି ଯାଉଛନ୍ତି ଯୁବଗୋଷ୍ଠୀ l ଏ ଯୌତୁକ ଦାନବକୁ ହତ୍ୟା କରି ସହସ୍ର କୋଷ ଦୂରକୁ ଫିଙ୍ଗି ଦେବାକୁ ହେଲେ ଦରକାର ଯୁବଗୋଷ୍ଠୀ ର ମିଳିତ ପ୍ରୟାସ l
ବିବାହଯୋଗ୍ୟ ଯୁବକ ମାନେ ଏ ଦିଗରେ ପ୍ରଥମେ ଆଗେଇ ଆସିବା ଦରକାର l ସେମାନେ ନିଜ ପିତାମାତାଙ୍କୁ ବୁଝେଇବା ସହିତ ସ୍ପଷ୍ଟ କହିଦେବା ଦରକାର ଯେ ସେମାନେ ପଶୁତୁଲ୍ୟ ନିଲାମ ହୋଇ ପାରିବେ ନାହିଁ l ଯୌତୁକ ନେଇ ବିବାହ କରିବା ସପକ୍ଷରେ ସେମାନେ ନୁହଁନ୍ତି l ଯଦି ଯୁବକମାନେ ସବୁ ଜାଣି ବି ଯୌତୁକ ପାଇବା ଲୋଭରେ ନୀରବ ରୁହନ୍ତି ତେବେ ଏ ଦାନବ ସହିତ ଲଢିବା ପାଇଁ ଉଚ୍ଚଶିକ୍ଷିତା ଯୁବତୀମାନେ ଆଗେଇ ଆସିବା ଦରକାର l
ସାହସ ସଞ୍ଚୟ କରି ସେମାନେ ନିଜ ପିତାମାତାଙ୍କୁ ଜଣାଇ ଦେବା ଉଚିତ୍ ଯେ ସେମାନେ ସଚ୍ଚରିତ୍ର ନିର୍ଲୋଭ ସୁଶିକ୍ଷିତ ଯୁବକକୁ ବିବାହ କରିବାକୁ ପ୍ରସ୍ତୁତ କିନ୍ତୁ ଯୌତୁକଲୋଭୀ ଜହ୍ଲାଦ ମାନଙ୍କ ଘରେ ବିବାହ କରି ନିଜ ମୃତ୍ୟୁ ସଦୃଶ ଦୁ:ଖଦାୟକ ପରିଣାମ ସୃଷ୍ଟି କରିବେ ନାହିଁ l ପ୍ରତୈକ ଉଚ୍ଚଶିକ୍ଷିତା ଯୁବତୀ ଏପରି ଜିଦ୍ ରେ ଅଟଳ ରହିଲେ ଯୌତୁକଲୋଭୀ ନରହନ୍ତା ମାନେ ଶେଷରେ ନିଜ ପୁଅ ପାଇଁ ଝିଅ ଖୋଜିବାକୁ ଦ୍ୱାରଦ୍ୱାର ହୋଇ ବୁଲିବେ l
ଏବେ ସେ ସମୟ ଆସି ଯାଇଛି l ଉଚ୍ଚଶିକ୍ଷିତା ଯୁବତୀମାନେ ଯୌତୁକ ଦାନବ ବିରୁଦ୍ଧରେ ଧର୍ମଯୁଦ୍ଧ ଠିଆ କରି ଦିଅନ୍ତୁ l ପ୍ରତୈକ ଯୁବତୀ ନିଜ କଲମ ମୁନରେ ଅନ୍ତତ: ଦୁଇ ଧାଡି ଲେଖି ଏ ସମାଜରେ ଯୌତୁକ ଦାନବ ପ୍ରତି ଘୃଣାଭାବ ଉତ୍ପନ୍ନ କରନ୍ତୁ l ଯୌତୁକ ଦେବାନେବାରେ ସମ୍ପୁର୍ଣ ଅସହଯୋଗ କରନ୍ତୁ l ବୋହୁ ଉପରେ ଅତ୍ୟାଚାର କରିବାରେ ଶାଶୁ ଓ ନଣନ୍ଦ ପ୍ରମୂଖ ଭୂମିକା ନେଇଥା’ନ୍ତି l ଏମାନଙ୍କର ଏହି ମାନସିକ ବିକଳାଙ୍ଗତା,ଶାରୀରିକ ବିକଳାଙ୍ଗତା ଠାରୁ କାହିଁ କେତେ ଗୁଣ ଅଧିକ ମାରାତ୍ମକ ପ୍ରତୀୟମାନ ହୁଏ l
ତେଣୁ ଏ ବଧୁହତ୍ୟା ଷଡଯନ୍ତ୍ରକୁ ରୋକିବାରେ ଏମାନଙ୍କ ଭୂମିକା ବହୁ ପ୍ରଭାବଶାଳୀ l ଏମାନେ ଯୌତୁକର ପାପ ଲାଳସାକୁ ମନରୁ କାଢି ଯୋଜନ ଯୋଜନ ଦୂରକୁ ଫିଙ୍ଗି ଦିଅନ୍ତୁ l ଏ ଦାନବର ହତ୍ୟା ଯେତେ ଶୀଘ୍ର କରାଯିବ ସେତେ ଶୀଘ୍ର ଏ ସମାଜର ମଙ୍ଗଳ ହେବ l ଯେ ପର୍ଯ୍ୟନ୍ତ ଏ ଦାନବ ବଞ୍ଚି ରହିଥିବ ସେ ପର୍ଯ୍ୟନ୍ତ ବିବାହକୁ ଦୁଇଟି ମନର ପବିତ୍ର ବନ୍ଧନ କୁହାଯାଇ ପାରିବ ନାହିଁ କିମ୍ବା ବିବାହ ପରବର୍ତ୍ତୀ ଦାମ୍ପତ୍ୟ ଜୀବନରେ କେବେ ବି ସୁଖଶାନ୍ତି ଓ ଅତୁଟ ସ୍ନେହର ପରିକଳ୍ପନା କରାଯାଇ ପାରିବ ନାହିଁ l
