“ବୃଷ୍ଣୀନାଂ ବାସୁଦେବୋଽସ୍ମି ପାଣ୍ଡବାନାଂ ଧନଞ୍ଜୟଃ ।” ଶ୍ରୀଗୀତାର ଦଶମ ଅଧ୍ୟାୟରେ ଶ୍ରୀଭଗବାନ କହୁଛନ୍ତି;- ବୃଷ୍ଣିବଂଶୀମାନଙ୍କ ମଧ୍ୟରେ ମୁଁ ବସୁଦେବପୁତ୍ର ବାସୁଦେବ, ପାଣ୍ଡବମାନଙ୍କ ମଧ୍ୟରେ ମୁଁ ଧନଞ୍ଜୟ, ଅର୍ଜୁନ ।

କେବେ କେବେ ମନରେ ପ୍ରଶ୍ନ ଉଠେ,- ପାଣ୍ଡବମାନଙ୍କ ମଧ୍ୟରେ ଅର୍ଜୁନଙ୍କୁ କାହିଁକି ବାଛିଲେ ଶ୍ରୀକୃଷ୍ଣ? ଯୁଧିଷ୍ଠିର ଅର୍ଜୁନଙ୍କ ଅପେକ୍ଷା ନିଶ୍ଚିତ ଭାବେ ଅଧିକ ସତ୍ୟନିଷ୍ଠ, ଧର୍ମନିଷ୍ଠ, ନୀତିନିଷ୍ଠ, ଜ୍ଞାନୀ, ସଜ୍ଜନ, ସାଧୁ, ସରଳ,- ଏହିପରି କେତେ କେତେ ସୁଗୁଣର ଅଧିକାରୀ । ଭୀମସେନ ତ ଶାରୀରିକ ବଳରେ ଅର୍ଜୁନଙ୍କ ଅପେକ୍ଷା ବହୁଗୁଣ ବଳୀୟାନ । ନକୁଳ ଅର୍ଜୁନଙ୍କ ଅପେକ୍ଷା ବହୁତ ସୁନ୍ଦର । ସହଦେବ ବୁଦ୍ଧି, ବିଚକ୍ଷଣତା, ପୂର୍ବାନୁମାନରେ ବହୁତ ଆଗରେ । ଭଗବାନ ଅର୍ଜୁନଙ୍କୁ କାହିଁକି ପାଣ୍ଡବମାନଙ୍କ ମଧ୍ୟରେ ‘ମୁଁ’ ବୋଲି କହିଲେ!

ଯୋଗେଶ୍ୱର ଶ୍ରୀକୃଷ୍ଣ ଯୋଗସ୍ଥ ହୋଇ ଏହି ବାଣୀ ଉଚ୍ଚାରଣ କରିଛନ୍ତି; ତେଣୁ ଏହା ସଂପୂର୍ଣ୍ଣ ସତ୍ୟ । ଏହାର କାରଣ ଖୋଜିବାକୁ ହେଲେ ସାଧାରଣ ସମତଳ ଦୃଷ୍ଟି ଅପେକ୍ଷା ଆହୁରି ସୂକ୍ଷ୍ମ ଦୃଷ୍ଟି ଦରକାର । ଏହା ସାଧୁସନ୍ଥ, ବିଜ୍ଞମାନେ କରିପାରନ୍ତି । ଜଣେ ସାଧାରଣ ଲୋକ ହିସାବରେ ମୋଟାମୋଟି ଗୋ଼ଟିଏ କଥା ମନକୁ ଆସୁଛି ।

ସୁଷମ ଖାଦ୍ୟ ବା ବାଲାନସଡ୍ ଡାଏଟ୍ କଥା ଅଳ୍ପେବହୁତେ ସମସ୍ତେ ଜାଣନ୍ତି । ଶରୀର ଧାରଣ ନିମନ୍ତେ ଖାଦ୍ୟ ନିହାତି ଜରୁରୀ, ପ୍ରାଥମିକ ଜରୁରୀ, ସେ ଖାଦ୍ୟ ସୁଷମ ହେଲେ ଶରୀର ସୁସ୍ଥ, ସନ୍ତୁଳିତ ସୁନ୍ଦର, ସକ୍ଷମ ରହେ । ଦୈନନ୍ଦିନ ପ୍ରତ୍ୟେକ ବ୍ୟକ୍ତି ଯେଉଁ ଖାଦ୍ୟ ଗ୍ରହଣ କରନ୍ତି, ମୁଖ୍ୟତଃ ସେଥିରେ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଖଣିଜ ଲବଣ, ଜୀବନିକା ବା ଭିଟାମିନ୍ ଓ ଜଳ ରହିଥାଏ । ଶରୀରର ଆକାରପ୍ରକାର, ଅବସ୍ଥା ଅନୁସାରେ ଏଗୁଡିକରୁ କେଉଁଥିରୁ କେତେ ଦରକାର ଏବଂ ତାହା ଶରୀରର ବୃଦ୍ଧି ଓ ପ୍ରତିରୋଧକ ଶକ୍ତି ପାଇଁ କେତେ ପରିମାଣର ହେବା ଉଚିତ୍‌; ତାହା ବହୁ ପରୀକ୍ଷାନିରୀକ୍ଷା କରି ବିଶେଷଜ୍ଞମାନେ ସ୍ଥିର କରିଦେଇଛନ୍ତି । ଏହା ବିଜ୍ଞାନ ସମ୍ମତ । ଏହି ଉପାଦାନଗୁଡିକର ଭାଗମାପ ଏପଟସେପଟ ହୋଇଗଲେ ବା କମ୍‌ବେଶୀ ହୋଇଗଲେ, ତାହା ଶରୀରକୁ ଅସୁସ୍ଥ କରିପକାଏ । ଆମ ସମସ୍ତଙ୍କର ପ୍ରାୟତଃ ଏ ଅନୁଭୂତି ରହିଛି ଯେ, ଜିହ୍ୱା ଲାଳସାରେ କୌଣସି ସୁସ୍ୱାଦୁ ଖାଦ୍ୟ – ତାହା ଯେତେ ବଳଯୁକ୍ତ ହୋଇଥାଉ ପଛକେ – ମାତ୍ରାରୁ ଅଧିକ ହୋଇଗଲେ, ପାଚନ କ୍ରିୟାରେ ଗଣ୍ଡଗୋଳ କରିଦିଏ; ଫଳତଃ ଶରୀର ଅସୁସ୍ଥ ହୋଇପଡେ । ତେଣୁ ସନ୍ତୁଳିତ ସୁଷମ ଖାଦ୍ୟ ଶରୀର ନିମନ୍ତେ ହିତକାରୀ ।

ଏବେ  ଶ୍ରୀମୁଖବାଣୀକୁ ଫେରିବା –“ପାଣ୍ଡବାନାଂ ଧନଞ୍ଜୟଃ ।” ଅର୍ଜୁନଙ୍କ ପରେ ଅନ୍ୟ ଭାଇମାନଙ୍କର ସୁଗୁଣଗୁଡିକ ସନ୍ତୁଳିତ ଅବସ୍ଥାରେ ରହିଥିଲା । ସେ ଯେପରି  ଧାର୍ମିକ, ସେପରି ନୈତିକ; ଯେପରି ନୀତିନିଷ୍ଠ, ସେପରି ସତ୍ୟନିଷ୍ଠ, ଧର୍ମନିଷ୍ଠ, ଯେପରି ବଳଶାଳୀ, ସେପରି କୌଶଳୀ, ଯେପରି ସମରବିଜୟୀ, ସେପରି ସ୍ନେହଶୀଳ, ପ୍ରେମିକ, ଭକ୍ତ, ବଂଧୁବତ୍ସଳ । ରୂପଟି ଯେପରି ସୁନ୍ଦର, ଗୁଣଗୁଡିକ ସେପରି ଉକୃଷ୍ଟ । ଏଥିପାଇଁ ଅର୍ଜୁନଙ୍କୁ ଶାସ୍ତ୍ରମାନଙ୍କରେ ‘ଦ୍ୱିତୀକୃଷ୍ଣ’ କୁହାଯାଏ । କହିବାକୁ ଗଲେ, ତାଙ୍କର ସନ୍ତୁଳିତ ବ୍ୟକ୍ତିତ୍ୱ ଥିଲା । ସମ୍ଭବତଃ, ଏଇଥିପାଇଁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପାଣ୍ଡବମାନଙ୍କ ମଧ୍ୟରେ ‘ମୁଁ’ ବୋଲି କହିଛନ୍ତି ।

ମହାଭାରତର ବର୍ଣ୍ଣନାରୁ ମିଳେ ଯେ, ପଂଚପାଣ୍ଡବ ପୃଥକ୍ ପୃଥକ୍ ଶରୀର ଧାରଣ କରିଥିଲେ ମଧ୍ୟ ସେମାନଙ୍କର ଆତ୍ମା ଏକ ଥିଲା । ଏକ ଆତ୍ମା, ଏକ ଧର୍ମ, ଏକ ବିଶ୍ୱାସ, ଏକ ଉଦ୍ୟମ, ସେମାନଙ୍କୁ କେଡେକେଡେ ମହାବିପତିରୁ ରକ୍ଷା କରିଛି । ତାହା ପ୍ରାଞ୍ଜଳ ଭାବେ ମହାଭାରତରେ ବର୍ଣ୍ଣିତ ହୋଇଅଛି ।

କିନ୍ତୁ, ଶାସ୍ତ୍ରପୁରାଣର ଚରିତ୍ର, ଘଟଣାଗୁଡିକୁ ପଢି କେବଳ ମନୋରଞ୍ଜନ କଲେ, ଲାଭ କଣ? ଏହି ଉତମ ଶିକ୍ଷାଗୁଡିକୁ ବର୍ତମାନ କ’ଣ ଆମ ସମାଜରେ ଆମେ ପ୍ରଚଳନ କରି ପାରିବା ନାହିଁ? ସେ ଯୁଗ ଅପେକ୍ଷା ବର୍ତମାନ ତ ବହୁ ବୈଜ୍ଞାନିକ ସାଧନ ସହଜରେ ଉପଲବ୍‌ଧ! –ଏହାର ଉତର ‘ହଁ’ ହେବ । କିନ୍ତୁ ଗୋ଼ଟିଏ ବିରାଟ ପ୍ରଶ୍ନ ଏଇଠି ଉଠେ ଯେ “କିଏ? କିଏ ଏହିଗୁଡିକୁ ପ୍ରଚଳନ କରିବ !” ଉତର ଆସିବ – ‘ଆମେ’; ଆମେ ଅର୍ଥାତ୍ ମୁଁ ଓ ଆପଣ ମିଶି କରି ଆମେ କହୁଛେ । ମୁଁ ଓ ଆପଣ ମିଶିକରି ଏକ ସଂକଳ୍ପ, ଏକ ଲକ୍ଷ୍ୟ, ଏକ ବିଶ୍ୱାସ, ଏକ ଉଦ୍ୟମ କରିବା । ଯଦି ଆପଣ କଲେ, ମୁଁ କଲି ନାହିଁ ବା ମୁଁ କଲି ଆପଣ କଲେ ନାହିଁ, ତାହାହେଲେ ସବୁ ନିଷ୍‌ଫଳ ହୋଇଯିବ ।

ଏହି ମହାନ୍ କର୍ମଟିକୁ କରିବାକୁ ହେଲେ, ପାଣ୍ଡବମାନଙ୍କ ପରି ଆମମାନଙ୍କର କୁନ୍ତୀମାତା ଥିବା ଦରକାର । କୁନ୍ତୀ ଯେପରି ତାଙ୍କର ପାଂଚୋଟି ପୁତ୍ରଙ୍କୁ ସତ୍‌ଶିକ୍ଷା ଦେଇ ସେମାନଙ୍କର ଉଜ୍ୱଳ ବଜ୍ରଦୃଢ ଚରିତ୍ର ଗଢି ଦେଇଥିଲେ, ସେହିପରି ଆମ ସମାଜ ପାଇଁ, ଉଜ୍ୱଳ ସମାଜ ପାଇଁ ପ୍ରତ୍ୟେକ ମାତା ତା’ର ସନ୍ତାନଙ୍କୁ ଉପଯୁକ୍ତ କରିବାକୁ ହେବ । ଏହା ମାତୃସମାଜ ପାଇଁ ଏକ ବିରାଟ ଆହ୍ୱାନ । କେବଳ ସ୍ନେହ, ମମତା, ଆଦର ଦେଇ ଯାହା ମାତାମାନଙ୍କର ସନ୍ତାନ ପ୍ରତି ସ୍ୱାଭାବିକ ଦାନ, ଅଟକି ଗଲେ ଭବିଷ୍ୟତର ପଂଚପାଣ୍ଡବ ଗଢି ପାରିବେ ନାହିଁ ।

କେବଳ ମା’ ନୁହଁନ୍ତି, ପତ୍ନୀମାନଙ୍କର ଦାୟିତ୍ୱ ଆହୁରି ଅଧିକ । ସେମାନେ ସନ୍ତାନମାନଙ୍କୁ ଉପଯୁକ୍ତ ଶିକ୍ଷାଦେଇ ଭବିଷ୍ୟତର ସୁନାଗରୀକ ଗଢିବା ସଂଗେ ସଂଗେ ପତିମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହ, ପ୍ରେରଣା, ସମାଧାନ ଯୋଗାଇ ଦେଇ ତାଙ୍କର କର୍ତବ୍ୟ ପାଳନ କରିବା ଉଚିତ୍ । ତାହାହେଲେ, ଆମର ସମାଜ ଏକ ଆଦର୍ଶ ସମାଜରେ ପରିଗଣିତ ହୋଇପାରିବ ।

LEAVE A REPLY

Please enter your comment!
Please enter your name here