Odisha news

ଶରୀରମାଦ୍ୟଂ ଖଳୁ ଧର୍ମ ସାଧନମ୍ “ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ”

0

ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି : ଅରୁଣ ତା’ର ଧର୍ମପତ୍ନୀଚମ୍ପାକୁ ବେଶି ଭଲପାଏ । ସେଥିପାଇଁ ଶାଶୂଶ୍ୱଶୁର ଶଳାଶାଳୀମାନଙ୍କୁ ଭଲପାଇବାଟା ସ୍ୱଭାବିକ କଥା । ସେମାନେ ପାଂଚଭଉଣୀରେ ଗୋଟିଏ ଭାଇ ଯେତେବେଳେ ସାନପୁଅ ତା’ଙ୍କ ପରିବାର ଭିତରେ ସମସ୍ତଙ୍କର ଗେହ୍ଲା । ଅରୁଣଶ୍ୱଶୁର ଏଇ ପୁତ୍ରସନ୍ତାନଟିକୁ ଅନେଇଅନେଇ ପାଂଚଟି କାନ୍ୟାରତ୍ନ ଜନ୍ମଦେଲେ । ଯାହାହେଉ ସବାଶେଷରେ ପିଣ୍ଡଦେବାପାଇଁ ଭଗବାନ ପୁଅଟିଏ ତା’ଙ୍କ କୋଳକୁ ପଠେଇଲେ । ଅରୁଣର ସେହି ସାନଶଳା ବାବୁଲା ସୁରାଟର ସୂତାମିଲ୍ରେ ଟେକ୍ନିସିଆନ୍ କାମକରେ । ଦଶ ଦିନ ତଳେ ଓଡିଶାଫେରି କ୍ୱାରାଂଟାଇନ୍ ସେଂଟର୍ରେ ରହିଛି । ଚାରିଦିନପରେ ତା’କୁ ସେଠୁ ମୁକ୍ତିମିଳିବ । ଚମ୍ପା ଦୁଇଥର ଫୋନ୍ କଲାଣି । ବାବୁଲା ଭଣଜାଭାଣେଜୀଙ୍କ କଥା ପଚାରି କାନ୍ଦିପକାଏ, ଅଳ୍ପକଥା ହେଲାପରେ ତା’ର କଣ୍ଠରୋଧ ହୋଇଯାଏ । ସୁରାଟରୁ ଭାଣେଜୀ ପାଇଁ ଫ୍ୟାମିଲିପ୍ୟାକ୍ କାର୍ଡବୋରୀଚକୋଲେଟ୍ ଆଣିଥିଲା ଯେ ପାଣିହୋଇ ବୋହିଗଲାଣି । ଆସିଲାବେଳେ ସିନା ଏସି ରେଳଗାଡିର ଥଣ୍ଡାବଗିରେ ଚାଲିଆସିଲା, କିନ୍ତୁ ଏବେ କ୍ୱାରାଂଟାଇନ୍ ସେଂଟରରେ ଏସି କୋଉଠୁ ଆସିବ! ଅରୁଣ ବି ବଙ୍ଗାଳି ଲୋକ, ମାନେ ଟିକେ ଅଧିକ ଆଇଁଷ ପ୍ରିୟ । ତାଲାବନ୍ଦିରେ ଘରଖାଇବା ଖାଇଖାଇ ପାଟିରେ ଅଋଚି ପଶିଯାଇଛି ।

ଯାହାଖାଇଲେ ପାଟିକୁ କିଛି ସୁଆଦ ଲାଗୁନି । କାଲି ସନ୍ଧ୍ୟାରେ ମୋତେ କହୁଥିଲା ଦୁଇଟା ଦେଶୀଗଞ୍ଜାନେଇ ଜଙ୍ଗଲ ଭିତରକୁ ପଳେଇବା । ଏକଥା ମୋବାଇଲ୍ରେ କହିଲାବେଳେ ତାର ଧର୍ମପତ୍ନୀ ଚମ୍ପା ଶୁଣି ଅରୁଣକୁ କହିଲା, ‘ତୁମର ଏକୁଟିଆ ଖାଲି ପାଟି ଅଛି! ଆଉ ଆମର କ’ଣ ନାହିଁ? ଆମେ ବି ତୁମସାଙ୍ଗରେ ଜଙ୍ଗଲ ବଣଭୋଜିକୁ ଯିବୁ ।’- ‘ତେବେ ଚାଲ । ଜଲଦି ବାହାର, ଯିବା ।’ – ‘ଆମ ବାବୁଲାଟା କ୍ୱାରାଂଟାଇନ୍ ସେଂଟର୍ରେ ଭାତଡାଲ୍ମା ଖାଇକି ପଡିଛି, ମୁଁ ବଡନାନୀ ହୋଇ କେମିତି ଯାଇ ବଣଭୋଜି କରିବି? ଦି •ିଦିନର କଥା । ସିଏ ବାହାରି ଆସିଲେ, ଆମେ ସମସ୍ତେ ମିଶିକି ବଣଭୋଜି କରିବାକୁ ଯିବା ।’

ସେଇକଥା କଲେ । ଅରୁଣର ପରିବାର ସହ ସୁରାଟ ଫେରନ୍ତା ଶଳା ବାବୁଲା ଏବଂ ମୁଁ ଗତରବିବାର ଦିନ ସିତାକୁଣ୍ଡ ପଳେଇଲୁ । ଅରୁଣର ଶଳାଟି ଅବକାରି ଜିନିଷ ପ୍ରିୟ । ଏବେ ତ ସବୁ ଖୋଲା । ଥଣ୍ଡାବିୟର୍ ଦି’ବୋତଲ ପିଇ ଜଙ୍ଗଲଭିତରେ ଜଳପ୍ରପାତ ତଳେ ଘଂଟାଏ ଗାଧୋଇଲା । ପରଦିନ ସକାଳେ ନାକକାନ ସବୁ ବନ୍ଦ । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ୧୦୪କୁ ଫୋନ୍ କଲେ । କୋଭିଡ୍-୧୯ ପରୀକ୍ଷା ପରେ ଜଣାଗଲା କରୋନା ପଜିଟିଭ୍ । ପ୍ରଥମ ଚଉଦଦିନରେ କିଛି ଲକ୍ଷଣ ନଥିଲା । ଏବେ ସେ ଭୋଜିରେ ଯେତେଥିଲୁ ସମସ୍ତଙ୍କ ସ୍ୱାବ୍ ଓ ରକ୍ତନମୂନା ପାରୀକ୍ଷାହେବାରୁ ଜଣାପଡିଲା ଅରୁଣ ପଜିଟିଭ୍ । ଶଳା ସାଙ୍ଗରେ ଚିୟର୍ସ କରିଥିଲା । ଭାଣେଜୀ ପଜିଟିଭ୍, ମାମୁଁ କୋଳରେ ବସି ଗେଲ ହୋଇଥିଲା । ମୁଁ ସାନିଟାଇଜର୍ କହୁଣୀ ଯାଏ ବୋଳି ହୋଇଥିଲି ବୋଲି ବଂଚିଗଲି । ବାବୁଲା କ୍ୱାରାଂଟାଇନ୍ ସେଂଟରରୁ ବାହାରି ମାତ୍ରଦୁଇଦିନ ମସ୍ତିରେ ବୁଲାବୁଲି କରି ୧୩ଜଣଙ୍କୁ କରୋନା ବାଂଟିଛି । ସମସ୍ତେ ଏବେ କ୍ୱାରାଂଟାଇନ୍ ସେଂଟରରେ ନାମ ନେଉଛନ୍ତି । ତେଣୁ ଯେତେ ନିଜର ପ୍ରିୟବନ୍ଧୁ କି ବାନ୍ଧବୀ ହେଲେ ବି ଯେଉଁମାନେ ବାହାରୁ ଆସି କ୍ୱାରାଇଟାଇନ୍ ସେଂଟରରେ ରହି ଘରକୁ ଫେରୁଛନ୍ତି, ଅତିକମରେ ଆଉରି ଚଉଦଦିନ ଘରେ ଏକାନ୍ତବାସରେ ରହିବା ଉଚିତ୍ । ଭଲପାଉଛ ବୋଲି ଯଦି ରୋଗ ବାଂଟିଲ ତେବେ ସିଏ କୋଉ ପ୍ରେମରେ ଗଣାଯାଏ!

କାଲି ସକାଳେ ଆମ କମ୍ପାନୀ ଇନୋଭା ଡ୍ରାଇଭର ମନୋଜ ମୋତେ ଘରୁନେବାକୁ ଆସିଲାବେଳେ ପଚାରିଲି, ‘ତୁମ ମୁଖା କ’ଣ ହେଲା?’ – ‘ସାର୍! ଆଉ କେହି ପିନ୍ଧୁନାହାନ୍ତି । ମୁଁ ଆସିଲାବେଳେ ଛକରେ ପୋଲିସ୍ ଛିଡା ହୋଇଥିଲେ ଯେ କିଛି ତ କହିଲେନି ।’ ସତେ ଯେମିତି ଆମକୁ କରୋନାହେଲେ ପୋଲିସଦଳଙ୍କର ପରିବାର ଭାସିଯିବ! କାହିଁକି ଆମେ ତା’ଙ୍କ କହିବା ଯାଏ ଅପେକ୍ଷା କରିବା? ସେମାନେ କହିକହି ଥକି ଗଲେଣି । ସେଇ ଏକାକଥା କେତେଥର କହିବେ! ଅଫିସ୍ୟିବା ରାସ୍ତାରେ ମୁଁ ମଧ୍ୟାନ୍ନ ଭୋଜନପାଇଁ କିଛି ପରିବା କିଣିବାକୁ ଗୋଟିଏ ପରିବାଦୋକାନକୁ ଗଲି । ଆଗରୁ ଯେଉଁ ଗୋଲ୍ଗୋଲ୍ ଧଳାରଙ୍ଗ କୁଣ୍ଡଳି ମରାଯାଇଛି ସେଥିରେ ଛିଡାହେଲି । ଦୋକାନି କହୁଛି, ‘ସାର୍! ଆଉ ଏବେ ସେମିତି କିଛି ନିୟମ ନାହିଁ । ଆସନ୍ତୁ, କ’ଣ ଦରକାର କୁହନ୍ତୁ?’ ମୁଁ ତା’କୁ ଅଧାକିଲୋ ପୋଟଳ ଓ ଛୁଇଁ ଅଢେଇଶ ମାଗୁମାଗୁ ଜଣେ ମୋ’କାନ୍ଧରେ କାନ୍ଧଲଗେଇ ମୋ’ଗାଲପାଖକୁ ମୁହଁ ନେଇ ସଁସଁ ହୋଇ କହୁଛି ମୋତେ ଅଢେଇଶ ଟମାଟୋ ଶୀଘ୍ରଦେଲ ମୁଁ ଆଗ ପଳାଏ । ଅଟୋ ଷ୍ଟାର୍ଟରେ ଅଛି । ଚା’ଜଳଖିଆ ଦୋକାନରେ ଆଗରୁ ଯେମିତି ଗେଞ୍ଜିହୋଇ ଗୋଟିଏ ବେଂଚରେ ଚାରିଟି ସିଟ୍ରେ ପାଂଚଜଣ ବସୁଥିଲେ ଏବେ ପୁଣି ସେମିତି ସମସ୍ତେ ବସିବା ଆରମ୍ଭ କଲେଣି । ସହରରେ ଆମର ଅନେକ କାଜୁଖିଆ ବଡବଡ ଅଧିକାରୀ ଅଦ୍ଭୁତ ନିୟମମାନ ଗଢୁଛନ୍ତି ।

ପ୍ରଥମଥର ଛେପ ପକେଇଲେ ଦୁଇଶହ, ଦ୍ୱିତୀୟଥର ଛେପ ପକେଇଲେ ପାଂଚଶହ ଆଉ ତା’ପରେ ପ୍ରତିଥରକୁ ହଜାରେଟଙ୍କା ଜୋରିମନା । ଏଠି ଆମର ଶହେ ଦେଢଶ ଲୋକକୁ ଜଣେ ପୋଲିସ । ଲୋକଙ୍କ ଛେପପକା ଗଣିବା କ’ଣ ଏତେ ସହଜ? ତା’ପରେ ଯିଏ ଧର ଥରେ ଛେପପକେଇ ପୋଲିସ ହାବୁଡରେ ପଡି ଦୁଇଶହ ଗଣିଲା, ତା’ ପଛେପଛେ ସେହି ପୋଲିସ ଜଗିଲେ ସିନା ଦ୍ୱିତୀୟଥର ଛେପ ପକେଇଲାବେଳେ ପାଂଚଶହ ରସିଦ୍ କାଟିବ, ସିଏ ଯଦି ପାଲବଣିରେ ପ୍ରଥମ ଛେପପକେଇ ଦ୍ୱତୀୟଥର ଦାରୋଗାଡାହିରେ ପକାଏ ତେବେ କେମିତି ଜୋରିମନା ନେବ? ଯେଉଁ ଆଇନ ଲାଗୁ କରିହେବ ସେଇସବୁ ନିୟମ କାଢିଲେ ଠିକ୍ । ଏପରି ଅବାନ୍ତର ନିୟମମାନ କାଢି ସରକାର ପରିହାସର ପାତ୍ର ହେବା ଛଡା ଅନ୍ୟକିଛି ନୁହେଁ । ଆଶୀର୍ବାଦ ଛକରେ ଦୁଇଟା ଦଣ୍ଡାବାଳୁଙ୍ଗା କଥା ହେଉଛନ୍ତି, ‘ଚାଲ୍ ସେ ବାଲେଶ୍ୱର ଗୋଲେଇ । ମାମୁଁଦୁଇଟା ବସିଛନ୍ତି । ତା’ଙ୍କ ଆଗରେ ରାସ୍ତାରେ ଛେପପକେଇ ପାଂଚଶହ ନୋଟ୍ ଖୁଚୁରାକରିବା । ଦୁଇଶହଟଙ୍କା ସିଏ ରଖିବ, ତିନିଶହ ଫେରେଇବ । ଆମ ଦିଜଣଙ୍କର ସେତିକି ଯଥେଷ୍ଟ । ତେଣୁ ଏଭଳି ଜିନିଷକୁ ଭିନ୍ନପ୍ରକାରର ଜନସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଏଡାଇ ଦିଆଯାଇ ପାରେ । କିନ୍ତୁ ଛେପପକା ଜୋରିମନା ଆଦାୟ, ଏକ ସମ୍ଭାବ୍ୟବିକଳ୍ପ ପରି ଆଦୌ ମନେ ହେଉନାହିଁ ।

ଆଜିଦିନରେ ବିଶ୍ୱର କରୋନା ଭୂତାଣୁଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟ ପ୍ରାୟ ୭୦,୦୦,୦୦୦ ଏବଂ ୪,୦୦,୦୦୦ ଲୋକ ମରି ସାରିଲେଣି ଯାହାକି ଆଗରୁ କେବେ ବି ଏମିତି ଘଟିନଥିଲା । ଆମଦେଶରେ ଅକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୨,୫୦,୦୦୦ ଏବଂ ମୃତକଙ୍କ ସଂଖ୍ୟା ୬୬୪୯ । ଜୁନ୍ ୫ରେ ନୂଆକରି ଆକ୍ରାନ୍ତଙ୍କ ସଂଖ୍ୟା ୯୪୭୧ ବଢିଥିବା ବେଳେ ଏଇ ଗୋଟିଏଦିନରେ ୨୮୬ଜଣ ଏହି କରୋନାଭୂତାଣୁ ସଂକ୍ରମଣରେ ମୃତୁ୍ୟବରଣ କରିଛନ୍ତି । କାର୍ଗିଲ୍ୟୁଦ୍ଧରେ ସମୁଦାୟ ୭୦ଜଣ ସୈନିକ ଭାରତରେ ଶହୀଦ୍ ହୋଇଥିଲେ । କରୋନା କେବଳ ମାତ୍ର ଗୋଟିଏଦିନରେ ତା’ର •ରିଗୁଣ ନାଗରିକଙ୍କ ପ୍ରାଣ ନେଇଗଲା । ଆମରାଜ୍ୟରେ ଯେତେବେଳେ ଗୋଟିଏ ଦୁଇଟା କାଁଭାଁ କରୋନା ରୋଗିଥିଲେ ସେତେବେଳେ ଆମେ ତାଲାବନ୍ଦିରେ ରହିଲେ । ସରକାର ଜବରଦସ୍ତି ଆମକୁ ପାଣବନ୍ଦି କରି ଶିକ୍ଷା ଦେଲା, ଏବେ ନିଜ ଜୀବନ ନିଜ ହାତରେ । ତାଲାବନ୍ଦିରେ ଯେଉଁମାନେ ଘରେ ରହିରହି ବୋର୍ ହୋଇଛନ୍ତି, ସେମାନେ ଏବେ ଲମ୍ବାଲମ୍ବା ରାସ୍ତାଯାଇ ଗାଡିଚକା ଫି୍ର କରିବାକୁ ଭାବୁଛନ୍ତି, ତାହା ମୋଟେ ଠିକ୍ନୁହେଁ । ଅପରପକ୍ଷରେ କରୋନାକୁ ଆମନ୍ତ୍ରଣ ଦେଇ ଘାତକ ହୋଇପାରେ ।

ସରକାର ଅନିର୍ଦ୍ଧିଷ୍ଟ କାଳପାଇଁ କ’ଣ ତାଲାବନ୍ଦି କରିପାରିବ? ତେଣୁ ସରକାର ଯଦିଓ ତାଲା ଖୋଲି ସବୁ ମେଲା କରିଦେଲେ, ଆମେ ନିଜେ ନିଜକୁ ଏବେ ତାଲାବନ୍ଦି କରିରଖିବା ଅନିବାର୍ଯ୍ୟ । ହାତକୁ ଅଧିକଥର ସାବୁନ୍ରେ ଧୋଇ ସାନିଟାଇଜର୍ ବ୍ୟବହାର କରିବା ଆଗ ଅପେକ୍ଷା ଏବେ ବେଶି ଦରକାର । ଓଟିଶାରେ ଏବେ ପ୍ରତିଦିନ ଶହେ ଉପରେ ନୂଆ କରୋନାରୋଗୀ ବାହାରୁଛନ୍ତି । ଆଗକୁ ରଜ, ରଥ ଯାତ୍ରା ପର୍ବଦିନ ଗୁଡିକ ଆସୁଛି । ସେଥିରେ ସମାଜ ଓ ସରକାର ଉଭୟ ସମସ୍ତ ନାଗରିକଙ୍କଠାରୁ ସଂଯମିତ ବ୍ୟବହାର ଆଶା କରୁଛନ୍ତି । ସାମାଜିକ ଦୂରତା ରକ୍ଷାକରିବା ନିହାତି ଜରୁରୀ । ଗୋଟେବର୍ଷ ପୁରୀ ନଗଲେ କଣ ନର୍କଗାମୀ ହେବେ, ନା ଜଗା ରାଗିବ! ଭକ୍ତି ଉଚ୍ଛୁଳିଲେ ଘରେରହି ଟିଭି ଦେଖ ଏବଂ ଆତ୍ମାକୁ ପୁରୀ ପଠାଅ, ସେଇ ଏକାପୁଣ୍ୟ ମିଳିବ । ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ । ଶରୀରମାଦ୍ୟଂ ଖଳୁ ଧର୍ମ ସାଧନଂ ।

Leave A Reply