ସୌଭାଗ୍ୟବତୀ ଗିରି : ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପୀଠସ୍ଥଳୀ ପୁରୀରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ହିନ୍ଦୁମାନଙ୍କର ସବୁଠୁ ବଡ ପର୍ବ l ଏହା କେବଳ ପୁରୀରେ ନୁହେଁ ଓଡିଶାର ଅନେକ ଦେବପୀଠ ତଥା ବିଦେଶରେ ମଧ୍ୟ ପାଳନ କରାଯାଏ l କିନ୍ତୁ ପୁରୀ ରଥଯାତ୍ରା ବିଶ୍ୱପ୍ରସିଦ୍ଧ l ଏହି ରଥଯାତ୍ରା ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ପାଳନ କରାଯାଏ l ଏହା ଏକ ଅତି ପ୍ରାଚୀନ ପରମ୍ପରା ବୋଲି ଜଣାପଡେ l ବେଦକୁ ଅନୁସରଣ କରି ଦେଖିଲେ ଏଥିରେ ରଥ ଶବ୍ଦର ବ୍ୟବହାର ହୋଇଥିବା ଦେଖିବାକୁ ମିଳେ l ମାଦଳା ପାଞ୍ଜିରେ ମଧ୍ୟ ରଥଯାତ୍ରା ବିଷୟରେ ଉଲ୍ଲେଖ ଅଛି l ରଥଯାତ୍ରାର ବହୁ ଆଗରୁ ପୃଥିବୀର କୋଣ ଅନୁକୋଣରୁ ଭକ୍ତମାନେ ଭାବବିହ୍ୱଳ ହୋଇ ଦୌଡି ଆସନ୍ତି ମହାବାହୁଙ୍କ ଦର୍ଶନ ଟିକେ ପାଇବା ପାଇଁ l ଉତ୍ସାହ ଉନ୍ମାଦନାରେ ଆତ୍ମହରା ହୋଇ ପଡି ଥାଆନ୍ତି ସମସ୍ତେ l
ରଥଯାତ୍ରାର ଉତ୍ସବର ମୂଖ୍ୟ ରଥଗଢା ପାଇଁ ପ୍ରସ୍ତୁତି ପର୍ବ ଶ୍ରୀପଞ୍ଚମୀ ଠାରୁ ଆରମ୍ଭ ହୋଇଯାଏ l ଶ୍ରୀପଞ୍ଚମୀ ଦିନ ଶ୍ରୀନଅର ସମ୍ମୁଖରେ ଥିବା ରଥଖଳାରେ ରଥକାଠ ପହଞ୍ଚେ l ତାପରେ ବିଧି ପୂର୍ବକ ଅନୁକୂଳ ନୀତି ଆରମ୍ଭ ହୁଏ l ପରେ ଶ୍ରୀରାମନବମୀରେ ରଥକାଠ ଚିରା ଅନୁକୂଳ ହୁଏ ଓ ଅକ୍ଷୟତୃତୀୟା ଦିନ ରଥନିର୍ମାଣର ଶୁଭାରମ୍ଭ ହୋଇଥାଏ l କିନ୍ତୁ ରଥଗଢାକୁ ଛାଡିଦେଲେ, ରଥଯାତ୍ରା ଉତ୍ସବ ସ୍ନାନଯାତ୍ରା ପାଖରୁ ଆରମ୍ଭ ହୋଇ ଅନବସର,ନେତ୍ରୋତ୍ସବ, ଶ୍ରୀଗୁଣ୍ଡିଚା,ହେରାପଞ୍ଚମୀ,ଆଡପ,ବା ହୁଡା,ସୁନାବେଶ ଇତ୍ୟାଦି ପରେ ନିଳାଦ୍ରୀବିଜେରେ ଶେଷ ହୁଏ l ପ୍ରଥମେ ଜ୍ୟେଷ୍ଠ ପୂର୍ଣିମା ବା ସ୍ନାନପୂର୍ଣିମା ଦିନ ସ୍ନାନଯାତ୍ରା ପାଇଁ ଶ୍ରୀବିଗ୍ରହ ମାନେ ରତ୍ନବେଦୀରୁ ଧାଡିପହଣ୍ଡିରେ ଯାଇ ଆନନ୍ଦ ବଜାରରେ ଥିବା ସ୍ନାନମଣ୍ଡପରେ ବିଜେ କରନ୍ତି l ସେଇଦିନ ସ୍ନାନନୀତି ସରିବା ପରେ ବିଳମ୍ବିତ ରାତ୍ରୀରେ ପୁଣି ସ୍ନାନମଣ୍ଡପରୁ ଗୋଟିପହଣ୍ଡିରେ ଯାଇ ଅଣସର ପିଣ୍ଡିରେ ବିଜେ କରନ୍ତି l
ଏହି ଅଣସର ସମୟରେ ଶ୍ରୀବିଗ୍ରହମାନେ ଜ୍ୱର ପୀଡିତ ଥିବାରୁ ଜ୍ୱର ଭଲ ହେବା ପାଇଁ ଶ୍ରୀମନ୍ଦିରର ବୈଦ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ମୋଦକ ଭୋଗ କରାଯାଏ l ଏହି ସମୟରେ ଅଣସର ପଣା,ଚକା ଅପସର,ଖଳିଲାଗି ଇତ୍ୟାଦି ଗୁପ୍ତନୀତି କରାଯାଏ l ଶ୍ରୀବିଗ୍ରହ ମାନେ ପୀଡିତ ଥିବାରୁ ଏହି ସମୟରେ ବାସୁଦେବ,ଭୁବନେଶ୍ୱରୀ ଓ ନାରାୟଣ ପଟିଦିଅଁ ଭାବରେ ଦର୍ଶନ ଦିଅନ୍ତି l ଦୀର୍ଘ ୧୪ ଦିନ ପରେ ଶ୍ରୀବିଗ୍ରହ ମାନଙ୍କ ଜ୍ୱର ଭଲ ହୁଏ l ଶ୍ରୀଗୁଣ୍ଡିଚା ପୂର୍ବ ଦିନ ଅନୁଷ୍ଠିତ ହୁଏ ନେତ୍ରୋତ୍ସବ l ନେତ୍ରୋତ୍ସବ ଦିନ ରଥଗୁଡିକୁ ଶ୍ରୀମନ୍ଦିର ସାମ୍ନାକୁ ଅଣାଯାଏ l ସେହି ଦିନ ବିଳମ୍ବିତ ରାତ୍ରିରେ ବାହୁଟକଣ୍ଟ ଓ ଶୁକ୍ଳସଜ ଭଳି ନୀତି ହୋଇଥାଏ l
ଶ୍ରୀଗୁଣ୍ଡିଚା ଦିନ ପ୍ରତ୍ୟୁଷରୁ ଶ୍ରୀଜିଉ ମାନଙ୍କ ମଙ୍ଗଳଆଳତି,ମଇଲମ ଓ ଅନ୍ୟ କେତେକ ନୀତି ହୁଏ l ବିଜେ କାହାଳୀ ବାଜି ମଙ୍ଗଳାଅର୍ପଣ ହେବା ପରେ ଧାଡି ପହଣ୍ଡି ଆରମ୍ଭ ହୁଏ l ଜଗମୋହନର ସାତ ପାହାଚରେ ଶ୍ରୀଜିଉ ମାନଙ୍କୁ ଟାହିୟା ଲଗାଯାଏ l ପହଣ୍ଡିରେ ଝୁଲିଝୁଲି ରଥପାଖକୁ ଚାଲନ୍ତି ଶ୍ରୀବିଗ୍ରହମାନେ l ବଡ ଦେଉଳର ସେବକ ଦଇତାପତି ମାନେ ବିଗ୍ରହ ମାନଙ୍କୁ ସ୍ୱତନ୍ତ୍ର ରଥ ଉପରକୁ ଉତ୍ତୋଳିତ କରି ନିଅନ୍ତି l ତାପରେ ଶ୍ରୀବିଗ୍ରହ ମାନଙ୍କୁ ରଥର ଆସ୍ଥାନରେ ସ୍ଥାପନ କରାଯାଏ l ବିଗ୍ରହମାନେ ରଥାରୂଢ ହେବାପରେ ପ୍ରଥମେ ଜଗତ୍ ଗୁୁରୁ ଶଙ୍କରାଚାର୍ଯ୍ୟ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରନ୍ତି l ଏହାପରେ ପାରମ୍ପରିକ ନୀତିରେ ଛେରାପହଁରା କରାଯାଏ l ଏଇ ସମୟରେ ରଥରେ ସାରଥୀଙ୍କୁ ଅଧିଷ୍ଠିତ କରାଯିବା ସହିତ ଘୋଡା ମଧ୍ୟ ବନ୍ଧାଯାଏ l ତାପରେ ରଥଟଣା କାର୍ଯ୍ୟ ଆରମ୍ଭ ହୁଏ l ଝାଞ୍ଜ,ମୃଦଙ୍ଗ,କରତାଳ,ହୁଳହୁଳି ଶବ୍ଦରେ ଗଗନପବନ ପ୍ରକମ୍ପିତ ହୁଏ l ହରିବୋଲ ଶବ୍ଦରେ ଶ୍ରୀଧାମ ଉଛୁଳି ପଡେ l ବର୍ତ୍ତୁଳାକାର ଚକ୍ଷୁବିଶିଷ୍ଟ,ହରିଦ୍ରାବର୍ଣ ବସ୍ତ୍ର ପରିହିତ,ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମା ଦର୍ଶନରେ ଲକ୍ଷଲକ୍ଷ ଭକ୍ତ ଭାବବିହ୍ୱଳ ହୋଇ ଉଠନ୍ତି l ଆନନ୍ଦାଶ୍ରୁ ପୂର୍ଣ ନୟନରେ ଗାନ କରନ୍ତି ଜଣାଣ l ସ୍ତୁତି ଓ ସଂକୀର୍ତ୍ତନରେ ଉଛୁଳି ପଡେ ଶ୍ରୀକ୍ଷେତ୍ର l ବିରାଟ ଜନସମୁଦ୍ର ଭିତରେ ସିଂହଠାଣିରେ ବାଟ କାଟି ଗଡି ଚାଲେ ରଥତ୍ରୟ l ବଡଦାଣ୍ଡର ଉଭୟପାର୍ଶ୍ୱରେ ଥିବା ମଠବାଡି ଓ ବଡବଡ କୋଠା ଗୁଡିକରୁ ଅସଂଖ୍ୟ ଭକ୍ତ ଅପଲକ ନେତ୍ରରେ ଚାହିଁ ରହିଥା’ନ୍ତି ଶ୍ରୀବିଗ୍ରହ ମାନଙ୍କୁ l
ରଥ ଉପରେ ଥିବା ସେବକ ମାନେ ପୂଜା ବିଧିରେ ବ୍ୟସ୍ତ ଥାଆନ୍ତି l ଭକ୍ତ ମାନେ ଭାବବିହ୍ୱଳ ହୋଇ ରଥ ଦଉଡିକୁ ଟାଣି ଟାଣି ନିଅନ୍ତି l ପରମ୍ପରା ଅନୁଯାୟୀ ମାଉମୀ ମା’ ମନ୍ଦିରରେ ପୋଡପିଠା ଖାଇ ଶ୍ରୀବିଗ୍ରହ ମାନେ ଗୁଣ୍ଡିଚା ମନ୍ଦିର ଅଭିମୂଖେ ଯାତ୍ରା କରନ୍ତି l ଶରଧାବାଲିକୁ ଅତିକ୍ରମ କରି ପହଞ୍ଚି ଯାଆନ୍ତି ଗୁଣ୍ଡିଚା ମନ୍ଦିରରେ l ସେଠାରେ ନଅ ଦିନର ରହଣି ମଧ୍ୟରେ ବିଧି ଅନୁସାରେ ସେବାପୂଜା ପାଆନ୍ତି l ଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନେ ଯେଉଁ ସ୍ଥାନରେ ଏକ ସପ୍ତାହ ବ୍ୟାପୀ ଅବସ୍ଥାନ କରନ୍ତି ତାହାକୁ ଆଡପ ମଣ୍ଡପ କୁହାଯାଏ l ଏହି ଆଡପ ମଣ୍ଡପରେ ସନ୍ଧ୍ୟାଦର୍ଶନ କଲେ ମହାପୂଣ୍ୟ ମିଳେ ବୋଲି ଶାସ୍ତ୍ର ରେ ବର୍ଣିତ ଅଛି l ହେରାପଞ୍ଚମୀ ଏହି ପର୍ବର ଅନ୍ୟ ଏକ ମୂଖ୍ୟ ଆକର୍ଷଣ l ସେଠାରେ ଶୁକ୍ଳପକ୍ଷ ଷଷ୍ଠୀ ଦିନ ହେରାପଞ୍ଚମୀ ପର୍ବ ଅନୁଷ୍ଠିତ ହୁଏ l ମହାପ୍ରଭୁ ଜଗନ୍ନାଥ ତାଙ୍କ ପ୍ରାଣପ୍ରିୟା ଲକ୍ଷ୍ମୀ ଠାକୁରାଣୀଙ୍କୁ ବଡଦେଉଳରେ ଛାଡି ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଯାଇଥିବାରୁ ବିରହ ପୀଡିତା ଲକ୍ଷ୍ମୀ ଠାକୁରାଣୀ ଏହିଦିନ କ୍ରୋଧାନ୍ୱିତ ହୋଇ ଜଗନ୍ନାଥଙ୍କ ରଥ ଭାଙ୍ଗିଦେବାର ପ୍ରଥା ରହିଛି l ସୁସଜ୍ଜିତ ବିମାନରେ ମା’ ଲକ୍ଷ୍ମୀଙ୍କୁ ଗୁଣ୍ଡିଚା ମନ୍ଦିର ଯାଏ ନେଲା ପରେ ଜଗନ୍ନାଥଙ୍କ ରଥକାଠରୁ ଖଣ୍ଡିଏ ଭାଙ୍ଗି ଦିଆଯାଏ l ତା’ପର ଦିନ ଲକ୍ଷ୍ମୀ ଠାକୁରାଣୀଙ୍କ ଅଭିମାନକୁ ସମ୍ମାନ ଜଣାଇ ରଥକୁ ଦକ୍ଷିଣ ମୋଡ କରି ଦିଆଯାଏ l
ଏହାପରେ ଶୁକ୍ଳ ଦଶମୀ ଦିନ ଅନୁଷ୍ଠିତ ହୁଏ ଶ୍ରୀବିଗ୍ରହ ମାନଙ୍କର ପ୍ରତ୍ୟାବର୍ତ୍ତନ ପର୍ବ ବାହୁଡା ଯାତ୍ରା l ବାହୁଡା ଦିନ ବିଧି ସମାପନ ପରେ ଶ୍ରୀବିଗ୍ରହ ମାନେ ବଡଦେଉଳ ଅଭିମୂଖେ ଯାତ୍ରା ଆରମ୍ଭ କରନ୍ତି l ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ରଥ ସିଧାସଳଖ ସିଂହଦ୍ୱାର ସମ୍ମୁଖକୁ ଆସୁଥିବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଶ୍ରୀନଅର ଠାରେ ଅଟକେ l ସେଠାରେ ଲକ୍ଷ୍ମୀନାରାୟଣ ଭେଟ ନୀତି ହୁଏ l ତା’ପରେ ରଥ ସିଂହଦ୍ୱାର ସମ୍ମୁଖକୁ ଆସେ l ଆଷାଢ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଶ୍ରୀଜିଉ ମାନଙ୍କର ସୁନାବେଶ ଅନୁଷ୍ଠିତ ହୁଏ l ମହାପ୍ରଭୁ ଙ୍କର ବିଭିନ୍ନ ବେଶ ହେଉଥିବା ବେଳେ ସୁନାବେଶ ଅତ୍ୟନ୍ତ ଆକର୍ଷଣୀୟ ବେଶ l ସୁନାବେଶର ପରଦିନ ଅଧରପଣା ଭୋଗ ହୁଏ l ଅଧର ପଣା ର ପରଦିନ ରଥଯାତ୍ରାର ଶେଷ ପର୍ବ ନିଳାଦ୍ରୀବିଜେ ଅନୁଷ୍ଠିତ ହୁଏ l ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ବିଜେ କରନ୍ତି l ଏହିପରି ଏକ ଭାବଭକ୍ତିର ଆସର ସହିତ ମହା ସମାରୋହ ଭିତରେ ସମାହିତ ହୁଏ ଘୋଷଯାତ୍ରା ବା ରଥଯାତ୍ରା l ରଥଯାତ୍ରା ଆମ ହିନ୍ଦୁମାନଙ୍କର ଏକ ବଡ ଉତ୍ସବ ହେଲେ ମଧ୍ୟ ଏହି ଉତ୍ସବରେ ସାରା ବିଶ୍ୱବାସୀ ସାମିଲ୍ ହୋଇଥା’ନ୍ତି l
ଏଥର କରୋନା ମହାମାରୀ ପ୍ରଭାବିତ କରି ଚାଲିଛି ମହାପ୍ରଭୁଙ୍କ ପ୍ରତିଟି ନୀତିକୁ l ପ୍ରଭାବିତ ହୋଇଛି ସ୍ନାନଯାତ୍ରା ପର୍ବ l ଭକ୍ତମାନେ ଭାବବିହ୍ୱଳ ହେଲେ ବି ଜୋର୍ ଜବରଦସ୍ତ୍ ଭାବେ ବଞ୍ଚିତ ହୋଇଛନ୍ତି ମହାପ୍ରଭୁଙ୍କ ଦର୍ଶନରୁ l ରଥଯାତ୍ରାକୁ ମଧ୍ୟ ଏ କରୋନା ବହୁମାତ୍ରାରେ ପ୍ରଭାବିତ କରିବ,ଏହା ନି:ସନ୍ଦେହ l ତଥାପି ଏହା କୁହାଯାଇ ପାରେ ଯେ ଭକ୍ତ ଆଉ ଭଗବାନ୍ ଭାବରେ ବନ୍ଧା l ସେ ଭିତରେ ଆସିବାର ଶକ୍ତି ଦୁନିଆରେ କାହାର ନାହିଁ l ଯେତେ ଦୂରେ ଥିଲେ ବି ଭକ୍ତ ଭଗବାନଙ୍କର ଆଉ ଭଗବାନ୍ ଭକ୍ତର l ଏହା ଯୁଗେଯୁଗେ ପ୍ରମାଣିତ l ଦୂରରେ ଥାଇ ବି ଜଗତର ନାଥ ଶ୍ରୀଜଗନ୍ନାଥ ସାରା ଜଗତର ମଙ୍ଗଳ କରନ୍ତୁ l ଏହି ପବିତ୍ର ପର୍ବ ଅବସରରେ କେବଳ ଏତିକି ହିଁ କାମନା l