ନୂଆଦିଲ୍ଲୀ, ୧୭ା୧୧ (ଏଜେନ୍ସି) : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ଶୃଙ୍ଖଳା ଆଗାମୀ ୨୭ ଆରମ୍ଭ ହେବାକୁ ଯାଉଛି । ଟିମ୍ ଇଣ୍ଡିଆର ସବୁ ଖେଳାଳି ଏଥିପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ମଙ୍ଗଳବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ଼ (ବିସିସିଆଇ) ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ମହମ୍ମଦ ସିରାଜ ନେଟ୍ରେ ଝାଳବୁହା ବୋଲିଂ କରୁଥିବା ଦେଖିବାକୁ ମିଳିଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ୨୭ ନଭେମ୍ବରରେ ସିଡନୀରେ ଆୟୋଜିତ ହେବ । ଏହାପରେ ଶୃଙ୍ଖଳାର ଅବଶିଷ୍ଟ ଦିନିକିଆ ମ୍ୟାଚ୍ ୨୯ ନଭେମ୍ବର ଏବଂ ୨ ଡିସେମ୍ବରରେ ଖେଳାଯିବ । ତା’ପରେ ୪, ୬ ଏବଂ ୮ ଡିସେମ୍ବରରେ ଦୁଇ ଦଳ ମଧ୍ୟରେ ତିନିଟି ଟି-୨୦ ମ୍ୟାଚ୍ ଖେଳାଯିବ । ପରେ ଡିସେମ୍ବର ୧୭ରୁ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବ ।
