Odisha news

ଛେପ ପକାଇବା ମନା

0

ଶୁଭନାରାୟଣ ଶତପଥୀ : ପାନଖଣ୍ଡେ ପାଟିରେ ଜାକି, ମୁହଁରେ ମୁଖା ପିନ୍ଧି, ପନିପରିବା କିଣିବାକୁୁ ବାହାରିଲେ ସନ୍ତୋଷ ମଉସା । ମଉସା ଜାଣନ୍ତି ଏ କରୋନା ପାଇଁ ତୁଣ୍ଡି ବନ୍ଧା, ସାମାଜିକ ଦୂରତା ଓ ଛେପ ପକାଇବା ମନା । କିନ୍ତୁ ପାନ ଖାଇବାକୁ ତ ମନା ନାହିଁ ନା । ସେ ଭରସାରେ ଦେଖିବା କହି ପାନକୁ ପାକୁଳେଇ ଚାଲିଥାନ୍ତି । ହାଟରେ ପହଂଚୁ ପହଂଚୁ ପାଟିରେ ପାଟିଏ ପାନଛେପ ହେଲାଣି । ଲୋକ ଗହଳି ଦେଖି କେଉଁଠି ଛେପ ପକେଇବେ ଜଣିପାରୁନଥାନ୍ତି । ଆଗ ଛେପ କାଢିଲେ ତ ଦୋକାନୀଠୁ ପରିବା କିଣିବେ । ବଡ ଅଡୁଆରେ ପଡିଲେ ସନ୍ତୋଷ ମଉସା ।

ଏହି ସମୟରେ ବିଜୁ ଅଜା ହାତରେ ବ୍ୟାଗଟିଏ ଧରି ସମ୍ନାରୁ ଆସୁଥାନ୍ତି । ସନ୍ତୋଷ ମଉସା ମୁହଁକୁ ଟେକି ପଚାରିଲେ କୁଆଡେ ? ମଉସାଙ୍କ ଠାରକୁ ବୁଝିପାରି ଅଜା ସେହି ସାଂକେତିକ ଠାଣିରେ ମୁହଁକୁ ପରିବା ହାଟଆଡକୁ ବୁଲେଇ କହିଲେ……ଉଁ । ଅଜାଙ୍କ ଆଖି ସହ ନଜର ମିଶାଇବା ପରେ ମଉସା ପୁଣି ବୁଲି ଦେଖନ୍ତିତ ଅଜା କୁଆଡେ ଅନ୍ତର୍ଦ୍ଧାନ ହୋଇ ଗଲେଣି । ପୁଣି ଦଶ ମିନିଟ ପରେ ବିଜୁ ଅଜା ଆସି ପଚାରିଲେ ସନ୍ତୋଷ ତୁମେ ତୁମ ଗାଁ ମୁଣ୍ଡରୁ ପନିପରିବା କିଣିଲନି । ଏତେ ବାଟ କାହିଁକି ଆସିଲା ? ଏପଟେ ସନ୍ତୋଷ ମଉସାଙ୍କ ପାଟି ପାନଛେପ ଭର୍ତି ଯୋଗୁଁ କଥା କହିପାରୁନଥାନ୍ତି ।

କିନ୍ତୁ ବିଜୁ ଅଜା ଏଥର ସୁଲଭ ଶୈାଚାଳୟ ଆଡକୁ ଇଙ୍ଗିତ କଲେ । ସନ୍ତୋଷ ମଉସା ବୁଝିଗଲେ ଯେ ବିଜୁ ଅଜା ଛେପ ପକାଇବାକୁ ସୁଲଭ ଶୈାଚାଳୟର ବ୍ୟବହାର କରିଛନ୍ତି । ଏକ ନମ୍ବର ବାହାନାରେ ଯାଇ ଛେପ ପକାଇବା କାମ ସାରି ଚାଲି ଆସିଲେ । ଛେପ ଓ ଲାଳକୁ ଜାକି ସେତେବେଳକୁ ତାଙ୍କ ପାଟିଟା ଦରଜ ହୋଇସାରିଲାଣି । ସେଦିନଠୁ ସନ୍ତୋଷ ମଉସା ଓ ବିଜୁଅଜା ଉଭୟ କାନମୋଡି ହେଲେ ଓ ନିଷ୍ପତି କଲେ ପାନଖାଇବୁ ତ ଘରେ । କିନ୍ତୁ ଆଉ ଛେପଜାକି ବାହାରକୁ ଯିବୁନାହୁଁ ।
ବର୍ତମାନ ଦ୍ରୁତ କରୋନା ସଂକ୍ରମଣର ଏକ ମାଧ୍ୟମ ପାଲଟିଛି ଏହି ଛେପ ପକାଇବାର ଅଭ୍ୟାସ । ଯେଉଁମାନଙ୍କର ଛେପ ପକାଇବା ଅଭ୍ୟାସ ଅଛି ସେ ତ ସୁଯୋଗ ଦେଖି ନିଶ୍ଚିତ ଛେପ ପକାଇବେ । ତେବେ ବର୍ତମାନ ରାସ୍ତାଘାଟରେ ଯିବା ଆସିବା ବେଳେ କିଛି ଲୋକ ମୁଖାକୁ ଖସେଇ, ହେଲମେଟକୁ ଟେକି ଛେପ ପକାଉଥିବା ଦୃଷ୍ଟିଗୋଚର ହୁଏ ।

ତେବେ ଏହା ନିଶ୍ଚିତ ଯେ ଦ୍ରୁତ ବା ଚଳନ୍ତା ଗାଡି, ସାଇକେଲରେ ବସି ଛେପ ପକାଇଲେ ଏହା ବାୟୁରେ ବିପରୀତ ଦିଗକୁ ଅନେକ ଦୂର ପର୍ଯ୍ୟନ୍ତ ଯିବ ଓ ପଛରେ ଆସୁଥିବା ବ୍ୟକ୍ତି ଏହି ଛେପ ସଂସ୍ପର୍ଶରେ ଆସି ସଂକ୍ରମିତ ହେବାର ସମ୍ଭାବନା ଅଛି । ଏହି ଛେପ ପକାଇବା ନିମନ୍ତେ ଆଗରୁ ବାରଣ କରାଯାଉଥିବାର କାରଣ ହେଉଛି ହେପାଟାଇଟିସ, ଭାଇରାଲ ମେନିଞିଟାଇଟିସ ଇତ୍ୟାଦି ବ୍ୟପିବାରୁ ରୋକିବା । ସଂପ୍ରତି କରୋନା ଭୁତାଣୁ ସଂକ୍ରମଣ ରୋକିବା ଆଶାରେ ସର୍ବସାଧାରଣରେ ଛେପ ପକାଇବା ମନା । ତେବେ ପାଟିରୁ ଛେପ ବାହାରିବାର ଅନେକ କାରଣ ମଧ୍ୟ ରହିଛି ଯଥା; ପାନ ଖାଇଲେ, ପାଟି ଅସ୍ୱାଦିଆ ଲାଗିଲେ, ଦୁର୍ଗନ୍ଧ ପରିବେଶକୁ ଗଲେ, କାହା ପ୍ରତି ରାଗିବା ବା ଅସମ୍ମାନ ପ୍ରଦର୍ଶନ କରିବା ପାଇଁ ଅନେକ ବ୍ୟକ୍ତି ଛେପବାହାର କାରିଥାନ୍ତି । ପ୍ରାୟ ୧୭୦୦ ଖ୍ରୀଷ୍ଟାବ୍ଦ ପୂର୍ବରୁ ପାଶ୍ଚାତ୍ୟ ଦେଶଗୁଡିକରେ ଛେପ ପକାଇବା ଜୀବନର ଏକଅଂଶ ଥିଲା । ଏମିତିକି ଛେପପକାଇବା ପ୍ରତିଯୋଗୀତା ମଧ୍ୟ ସେଠାରେ ଅନୁଷ୍ଠିତ ହେଉଥିଲା । ଭାରତର ଗ୍ରାମୀଣ ଇଲାକାରେ ଦୁଷ୍ଟ ଶକ୍ତିଠାରୁ ଶିଶୁମାନଙ୍କୁ ଦୂରେଇ ରଖିବା ତଥା ନଜର ନ ଲାଗିବା ପାଇଁ ଅନ୍ଧବିଶ୍ୱାସର ବଶବର୍ତି ହୋଇ ଛେପ ପକାଇଥାନ୍ତି ମାଆ କିମ୍ବା ଗୁରୁଜନମାନେ । ଯାହା ଏବେ ମଧ୍ୟ ସମାଜରେ ଦୃଶ୍ୟମାନ ।

ତେବେ ଅଧିକ ଛେପ ପକାଇବାର ଅଭ୍ୟାସକୁ କେହି କେହି ସାମାଜିକ ର୍ଦୁବ୍ୟବହାର, ରୋଗ ବା ବିଶୃଙ୍ଖଳିତ ଆଚରଣ ବୋଲି କହିଥାନ୍ତି । ଅତ୍ୟଧିକ ଲାଳ ବା ଛେପ ସୃଷ୍ଟି ହେବାର ପ୍ରକ୍ରିୟାକୁ ହାଇପରସାଲିଭେସନ ବୋଲି କୁହାଯାଏ । ଏକ ରିପୋର୍ଟରୁ ଜଣାଯାଏ ଯେ ପାନକ୍ରିୟାଜ ସମସ୍ୟା, ଲିଭର ଜନିତ ରୋଗ, ପାଟିରେ ସଂକ୍ରମଣ, ଗର୍ଭଧାରଣ, ଜଳାନ୍ତକ ଆଦି ରୋଗରେ ମଧ୍ୟ ଛେପ ବା ଲାଳ ଉଦଗୀରଣ ହେବାର ସମ୍ଭାବନା ରହିଛି । ଏଥିପାଇଁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଜରୁରୀ । ତେବେ ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜର ସ୍ୱାସ୍ଥ୍ୟ ସମନ୍ଧୀୟ ଛୋଟ ଛୋଟ ସମସ୍ୟାକୁ ଅଣଦେଖା କରିଥାଏ । କିନ୍ତୁ ଛେପ ପକାଇବା ମନା ନିୟମ ଯୋଗୁଁ ଛେପକୁ ନିୟନ୍ତ୍ରଣ କରିବାକୁ ସମସ୍ତେ ବ୍ୟଗ୍ର ହେବା ସ୍ୱାଭାବିକ କଥା । ୟାଭିତରେ ଯଦି ପାଟିରୁ ଅତ୍ୟଧିକ ଛେପ ବାହାରୁଛି ବା ଛେପ ବାହାରିବା ପ୍ରକ୍ରିୟାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ ତେବେ ତାର କରଣକୁ ଚିହ୍ନଟ କରି ସବୁ ବର୍ଗର ବ୍ୟକ୍ତିବିଶେଷ ସଚେତନ ହେବା ଆବଶ୍ୟକ ।

ଆମ ଭିତରୁ ଅନେକଙ୍କର ପାନ ଖାଇ ଛେପ ପକାଇବାର ଅଭ୍ୟାସ ଅଛି । ରେଳ ଷ୍ଟେସନ, ବସଷ୍ଟାଣ୍ଡ, ଅଫିସ, ଶିକ୍ଷାନୁଷ୍ଠାନ ଅଦି ସ୍ଥାନରେ ପୂର୍ବରୁ ଏହାକୁ ନିଷିଦ୍ଧ କରାଯାଇଛି ଓ ଉଲଂଘନକାରୀଙ୍କୁ ଜରିମାନା ଦଣ୍ଡ ପାଇଁ ନିଦେ୍ର୍ଦଶ ରହିଛି । ବୋଧହୁଏ ଏହାର ସଂପୂର୍ଣ୍ଣ ଅନୁପାଳନ ଏଯାଏଁ ହୋଇପାରିନଥିବାରୁ ଛେପ ପକାଇବାର ଅଭ୍ୟାସକୁ ଆମେ ଛାଡିପାରିନାହୁଁ । ବର୍ତମାନ କରୋନା ସଂକ୍ରମଣର ଭୟାବହତାକୁ ବିଚାରକୁ ନେଇ କୁହାଯାଇପାରେ ଯେ ସର୍ବସାଧାରଣରେ ଛେପ ପକାଇବା ଅର୍ଥ ହେଉଛି ଅନେକ ଜୀବନ ପ୍ରତି ବିପଦ ସୃଷ୍ଟି କରିବା । ଏହାକୁ ଦୃଷ୍ଟିରେ ରଖି ପାନ ଖାଇବା ପଛେ ଛାଡିଦେବା କିନ୍ତୁ ଛେପ ନପକାଇବାକୁ ଶପଥ କରିବା । କାରଣ କିଏ କହିବ ଆମ ଛେପ ଅଦୃଶ୍ୟ କରୋନା ଭୂତାଣୁର ବାହାକ ସାଜି ଅନ୍ୟ କାହାର ମୃତ୍ୟୁର କାରଣ ପାଲଟିବ ।

ତୃଣମୂଳ ସ୍ତରରୁ ଜିଲ୍ଲା, ରାଜ୍ୟସ୍ତରର କର୍ମଚାରୀମାନେ କରୋନା ବିରୁଦ୍ଧରେ ଅହରହ କାର୍ଯ୍ୟରତ । ଏହି ପରିପ୍ରେକ୍ଷୀରେ ବାଟରେଘାଟରେ ଛେପ ପକାଉଥିବା ଅମାନିଆଙ୍କ ନାମ ରେକର୍ଡ କରିବା ଓ ଜରିମାନା ଆଦାୟ କରି ଦଣ୍ଡପାଇଁ ସୁପାରିଶ କରାଯାଇପାରେ । ତେବେ ଗୋଷ୍ଠୀ ସ୍ତରରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଦାୟିତ୍ୱ ସମସ୍ତଙ୍କୁ ମୁଖା ପିନ୍ଧିବାକୁ ପ୍ରର୍ବତାଇବେ ଓ ତାହା ନିଶ୍ଚିତ କରିବେ । ତାସହ ବାରମ୍ବାର ଛେପ ପକାଇବା ଅଭ୍ୟାସ ଥିବା ବ୍ୟକ୍ତିଙ୍କୁ ତାଲିକାଭୁକ୍ତ କରିବେ । ତେବେ ଯାଇ ଛେପ ପକାଇବା ମନା ନିୟମର ମହତ୍ୱ ପ୍ରତିପାଦିତ ହେବ । ନଚେତ କଥାକଥାରେ ଏ ଅଭ୍ୟାସ ରହିଯିବ । ସନ୍ତୋଷ ମଉସା ଓ ବିଜୁଅଜାଙ୍କ ଭଳି ଲୋକେ ପାନ, ଗୁଟଖା ଖାଇବା ଛାଡିବେନି ଓ ଶୋ÷ଚାଳୟ ବି ଛେପ ପକାଇବାର ସ୍ଥାନ ପାଲଟିଯିବ ।

Nalco

Leave A Reply