ସୋର, ୯/୫ ରାଜ୍ୟ ରାଜପଥ ସୋର-କୁପାରୀ ରାସ୍ତାର ନୟନଜୋରୀକୁ ଜବର ଦଖଲ କରି ନିଆଯାଉଥିବାରୁ ବର୍ଷାଋତୁରେ ଜଳ ନିଷ୍କାସନ ବାଧା ଉପୁଜିବା ଦ୍ୱାରା କୃତ୍ରିମ ବନ୍ୟା ସୃଷ୍ଟି ହେବା ସହିତ ପାଖାପାଖି ୧୦୦ ଏକର ଚାଷ ଜମିରେ ଧାନଚାଷ ପ୍ରତିବର୍ଷ କ୍ଷତିଗ୍ରସ୍ତ ହେଉଛି । ଏହି ନୟନଜୋରୀକୁ ଜବରଦଖଲ କବଳରୁ ମୁକ୍ତ କରିବା ପାଇଁ ସୋର ବ୍ଲକ ଅନ୍ତର୍ଗତ ଶରଶଙ୍ଖ ପଂଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ତରଫରୁ ତହସିଲ କାର୍ଯାଳୟ ଘେରାଉ କରିବା ସହିତ ତହସିଲଦାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସ୍ଥାନୀୟ ସରପଂଚ କରୁଣାକର ଖୁଂଟିଆ ଏହାର ନେତୃତ୍ୱ ନେଇଥିଲାବେଳେ ତହସିଲଦାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବାଧ୍ୟହୋଇ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଶରଶଙ୍ଖ ପଂଚାୟତର ୧୨ ନମ୍ବର ୱାର୍ଡ଼ରେ ଥିବା ଶରଶଙ୍ଖଠାରୁ କଲେଛକ ପର୍ଯ୍ୟନ୍ତ ଦୀର୍ଘ ୨ କି.ମି.ବ୍ୟାପି ସୋର କୁପାରୀ ରାସ୍ତାର ଉଭୟ ପାର୍ଶ୍ୱ ନୟନ ଜୋରୀକୁ ବେଆଇନ ଭାବରେ ଜବରଦଖଲ କରିନିଆଯାଇଛି । ଯାହାଦ୍ୱାରାକି ବର୍ଷା ଜଳ ନିଷ୍କାସନରେ ବ୍ୟାଘାତ ଦେଖାଦେବା ସହିତ ଉଭୟପାଶ୍ୱର୍ ଚାଷ ଜମିରେ ଦୀର୍ଘଦିନ ଧରି ଜଳ ଜମି ରହିବାଦ୍ୱାରା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହେଉଛି । ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ସ୍ଥାନୀୟ ସରପଂଚ କରୁଣା କର ଖୁଂଟିଆ ପୂର୍ବରୁ ଜିଲ୍ଲାପାଳ, ବିଧାୟକଙ୍କୁ ମଧ୍ୟ ଅବଗତ କରାଇଥିଲେ ବି ସୋର ତହସିଲଦାରଙ୍କ ଉଦାସୀନତାରୁ ଏହା କାର୍ଯ୍ୟକାରୀ କରିବାରେ ବିଫଳତା ଦେଖାଦେଇଛି ବୋଲି ସରପଂଚ ଶ୍ରୀ ଖୁଂଟିଆ ପ୍ରକାଶ କରିଛନ୍ତି । ଏପରିକି ଏସମ୍ପର୍କରେ ସ୍ଥାନୀୟ ପୁର୍ତ୍ତବିଭାଗକୁ ଜଣାଇବାରୁ ସହକାରୀ ଯନ୍ତ୍ରୀ ତହସିଲଦାରଙ୍କୁ ଚିଠି ନମ୍ବର ୩୨୩ ତା ୨୦.୪.୨୩ ରିଖରେ ଯୁଗ୍ମ ମାପଚୁପ କରିବା ପାଇଁ ଅବଗତ କରାଇଥିଲେ । କିନ୍ତୁ ତହସିଲଦାର ଏ ଦିଗରେ କୌଣସି ପଦକ୍ଷେପ ନନେଉଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତହସିଲଦାରଙ୍କ ଅନୁପସ୍ଥିତିରେ ତହସିଲର ବରିଷ୍ଠ କିରାଣୀଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା । ୫୦ ରୁ ଉର୍ଦ୍ଧ୍ୱ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ସରପଂଚ କରୁଣାକର ଖୁଂଟିଆ, ଗ୍ରାମର ବରିଷ୍ଠ ନାଗରିକ ସୀତାରାମ ସାହୁ, ରମାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏପରିକି ସୋର ତହସିଲଦାର ଯଦି ୧୫ ଦିନ ମଧ୍ୟରେ ନୟନଜୋରୀ ଜବରଦଖଲମୁକ୍ତ କରିବା ନିମନ୍ତେ କୌଣସି ଦୃଢ ପଦକ୍ଷେପ ନନିଅନ୍ତି ତାହାଲେ ବାଧ୍ୟ ହୋଇ ପଂଚାୟତବାସୀଙ୍କ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।