ସୋର,୭/୫: ସୋର ଅବକାରୀ ବିଭାଗ ତରଫରୁ ସୋର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବାଇକ ସହ ଦେଶୀ, ବିଦେଶୀମଦ ଏବଂ ଜିଞ୍ଜର ଜବତ କରିଥିବା ବେଳେ ୩ ଜଣଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛି. ସୋର ଅବକାରୀ ଅଧିକାରୀ ସନ୍ତୋଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ସକାଳେ ସୋର ପୌରପାଳିକା ଅନ୍ତର୍ଗତ ଖଣ୍ଡାସାହି ଗ୍ରାମରେ ଚଢ଼ାଉ କରି ଓଡି 01 ଡ଼ବ୍ଲୁ 2616 ନମ୍ବର ବିଶିଷ୍ଟ ୟାମହା ଏଫଜେଡ ବାଇକରେ ସୂର୍ଯ୍ୟକାନ୍ତ ମହାଳିକ 80 ଲିଟର ଦେଶୀମଦ ନେଇ ଯାଉଥିବା ବେଳେ ମଦ ସହ ବାଇକକୁ ଜବତ କରିଥିବା ବେଳେ ସୂର୍ଯ୍ୟକାନ୍ତକୁ ଗିରଫ କରିଥିଲେ. ସେହିପରି କାଁଥିଗଡିଆ ଗ୍ରାମର ଶଶୀକାନ୍ତ ପଣ୍ଡା ନିକଟରୁ ୩୫ ଲିଟର ଦେଶୀମଦ ଏବଂ ପୁରୁଷୋତ୍ତମପୁର ଗ୍ରାମର କାଳନ୍ଦୀ ମଳିକ ନିକଟରୁ ୨୭ ଲିଟର ଜିଞ୍ଜର ଜବତ କରିବା ସହିତ ସମସ୍ତଙ୍କୁ ଗିରଫ କରିଥିଲେ. ଅପରାହ୍ନରେ ସମସ୍ତଙ୍କର ଡାକ୍ତରୀ ମାଇନା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି. ଏହି ଚଢ଼ାଉରେ ଏଏସଆଇ ଉର୍ମିଳା ବେହେରା, କନେଷ୍ଟବଳ ଗଣେଶ ସିଂ ଏବଂ ରଜନୀକାନ୍ତ ସାହୁ ସାମିଲ ହୋଇଥିଲେ.