ସୋର, ୨୧/୪ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଡାଇଭରସନ ନିକଟରେ ଗତ ସୋମବାର ଦିନ କାର ଧକାରେ ଗୁରୁତ୍ତର ଆହତ ହୋଇଥିବା ରାଇପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମ ସୁନ୍ଦର ସାହୁଙ୍କର ଚିକିତ୍ସାଧୀନ ଅବସ୍ଥାରେ କଟକ ର ଏକ ଘରୋଇ ହସପିଟାଲରେ ମୃତ୍ୟୁ ହୋଇଯାଇଛି । ସୂଚନା ଯୋଗ୍ୟ ସୋର ପୌରପାଳିକା ଅନ୍ତର୍ଗତ ରାଇପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ସାହୁ ତାଙ୍କ ବୋହୁ ତୁଳସୀ ରେଖା ତ୍ରିପାଠୀଙ୍କୁ ବାଇକ ଯୋଗେ ସବିରାରୁ ଘରକୁ ଫେରୁଥିବା ସମୟରେ ଏହି ଛକ ନିକଟରେ ୨୩ବିଏଚ୩୦୧୨ବି ନମ୍ବର ବିଶିଷ୍ଟ ଏକ କାର ତାଙ୍କ ବାଇକ ପଛରୁ ଧକା ଦେଇ ଫେରାର ହୋଇଯାଇଥିଲା । ଫଳରେ ଉଭୟ ଶଶୁର ଓ ବୋହୁ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରିଥିବା ବେଳେ ବାଲେଶ୍ୱର ଡେପୁଟି ଫାୟାର ଅଫିସର ସତ୍ୟପ୍ରିୟ ବେହେରା ଏହି ରାସ୍ତାରେ ଯାଉଥିବା ବେଳେ ଅଟକି ତାଙ୍କ ଗାଡ଼ିରେ ସୋର ଡାକ୍ତରଖାନାକୁ ଆଣିଥିଲେ ଏବଂ ସୋର ଅଗ୍ନିଶମ ବିଭାଗ କର୍ମଚାରୀମାନେ ସୋର ମେଡିକାଲରେ ପହଞ୍ଚି ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ. ସେଠାରେ ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ଉଭୟଙ୍କୁ କଟକ ସ୍ଥାନାନ୍ତର କରିଥିଲେ । ପରିବାର ଲୋକେ ଉଭୟଙ୍କୁ ଗୁରୁତ୍ତର ଅବସ୍ଥାରେ କଟକ ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ୟାମସୁନ୍ଦରଙ୍କର ଗତକାଲି ରାତିରେ ମୃତ୍ୟୁ ହୋଇଯାଇଥିଲା । ଆଜି ସନ୍ଧ୍ୟାରେ ତାଙ୍କ ମୃତ ଦେହ ସୋରରେ ପହଞ୍ଚିବା ପରେ ସ୍ୱର୍ଗରଥରେ ଶୋଭାଯାତ୍ରାରେ ନିଆ ଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଛି ।