ସୋର, ୧୩/୪ : ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ସୋର ପ୍ରାଣୀ ଚିକିତ୍ସାଳୟ ତାଲିମ କେନ୍ଦ୍ରରେ ଜୀବନିଷ୍ଠୁରତା ନିରାକରଣ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି. ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ଅକ୍ଷୟ ମହାଳିକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ପ୍ରାକ୍ତନ ଜିଲ୍ଲା ଜୀବ ମଙ୍ଗଳ ଅଧିକାରୀ ବିଜୟ କୁମାର ଷଡ଼ଙ୍ଗୀ ମୁଖ୍ୟ ବିଶେଷଜ୍ଞ ଭାବେ ଯୋଗଦେଇ ଉପସ୍ଥିତ ଶିବିରାର୍ଥୀ ମାନଙ୍କୁ ଜୀବନିଷ୍ଠୁରତା ନିରୋଧ ଆଇନ ଓ ତାର ଦଣ୍ଡବିଧାନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେବା ସହ କର୍ମକ୍ଷୟିଷ୍ଣୁ ଗୋସମ୍ପଦର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ. ତତ ସଙ୍ଗେ ସଙ୍ଗେ ସ୍ଥାନୀୟ ଗୋଶାଳା ଏ ଦିଗରେ ସହଯୋଗ କରିବାକୁ ନିବେଦନ କରିଥିଲେ.ଅନ୍ୟତମ ବିଶେଷଜ୍ଞ ଭାବେ ଡା.ସ୍ୱରୂପାନନ୍ଦ ପତି ଗୋସୁରକ୍ଷା ଏବଂ ଗାଈଗୋରୁ ପାଳନର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଶିବିରାର୍ଥୀ ମାନଙ୍କୁ ସୂଚନା ଦେଇଥିଲେ. ସୋର ଗୋଶାଳାର ସମ୍ପାଦକ ଡମ୍ବରୁଧର ନାୟକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗନେଇଥିବା ବେଳେ ପ୍ରାଣୀଧନ ନିରୀକ୍ଷକ ଅନନ୍ତ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ. ଆଖପାଖ ଅଞ୍ଚଳରୁ ପଚାଶରୁ ଉର୍ଦ୍ବ ଶିବିରାର୍ଥୀ ଏହି ଶିବିରରେ ଯୋଗଦେଇଥିଲେ.