ସୋର,୯/୪ : ସୋର ପୌରପାଳିକା ଅନ୍ତର୍ଗତ ରାଧାନାଥ ସ୍ମୃତି ମଣ୍ଡପ ପରିସରରେ ରାଧାନାଥ ପାଠାଗାର ଆନୁକୂଲ୍ୟରେ ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା କବିବର ରାଧାନାଥଙ୍କ ୧୧୫ ତମ ଶ୍ରାଦ୍ଧ ବାର୍ଷିକ ଓ ୭୮ ତମ ସାଂସ୍କୃତିକ ସମାରୋହ ଉଦଯାପିତ ହୋଇଯାଇଛି। ପାଠାଗାରର ସଭାପତି ତଥା ସୋର ବିଧାୟକ ପର୍ଶୁରାମ ଧଡାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଶିଶୁ ସାହିତ୍ୟିକ ତଥା ସ୍ତମ୍ଭକାର ଡ଼.ପ୍ରଫୁଲ୍ଲ ସାହୁ ଯୋଗଦେଇ ଅଧ୍ୟୟନ, ଆହରଣ ଏବଂ ସମୀକରଣରେ କବିଙ୍କ ମୌଳିକତା ସ୍ପଷ୍ଟ ବାରି ହେଇପଡ଼େ ଏବଂ କବିବର ହେଉଛନ୍ତି ଆଧୁନିକ ଓଡ଼ିଆ ସାହିତ୍ୟର ବିଶ୍ୱକର୍ମା ତାଙ୍କ ପାଇଁ ଓଡ଼ିଆ ଭାଷା ବଞ୍ଚିଥିଲା ବୋଲି ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ମିଳିଲା ବୋଲି କହିଥିଲେ। ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ରଜନୀକାନ୍ତ ମହାନ୍ତି ଯୋଗଦେଇ ଯେଉଁଠି ଦ୍ୱନ୍ଦ୍ୱ ଥାଏ ସେଠାରେ ସମୀକରଣର ଆବଶ୍ୟକତା ପଡିଥାଏ ଯାହା ରାଧାନାଥିୟ ସାହିତ୍ୟରେ ସୁସ୍ପଷ୍ଟ ଏବଂ ରାଧାନାଥ ଏକ ନୁହଁ ବହୁମୁଖୀ ବହୁ ଭାଷାର ଚିନ୍ତାଧାରା କରିଥିଲେ ଏବଂ ନବ ଯୁଗର ଉନ୍ମେଷ ପର୍ବରେ ରାଧାନାଥଙ୍କ ସାହିତ୍ୟର ବାର୍ତ୍ତା ନବ ପ୍ରଜନ୍ମର ସାହିତ୍ୟିକଙ୍କ ପାଇଁ ଥିଲା ପ୍ରେରଣା ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ବାଗ୍ମୀ ତଥା ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼. କୃଷ୍ଣକେଶବ ଷଡ଼ଙ୍ଗୀ ଯୋଗଦେଇ ସତ୍ୟ ଆଧାରିତ ସାହିତ୍ୟ କାଳଜୟୀ ହୋଇଥାଏ, ଆଧ୍ୟାତ୍ମିକତା ଜଣେ କବି ହୃଦୟର ଅନ୍ତସ୍ୱର ଯାହା କବିଙ୍କ କେଦାରଗୌରୀ, ଚନ୍ଦ୍ରଭାଗା ଭଳି କାବ୍ୟ ଗୁଡିକ ମଧ୍ୟରେ ସୁସ୍ପଷ୍ଟ. ରାଧାନାଥ ପୁରାତନ ରେ ନୂତନତା ଭରି ଓଡ଼ିଆ ସାହିତ୍ୟକୁ ଜୀବନ୍ତ କରିଛନ୍ତି ତାଙ୍କ ରଚନାକୁ ଯେତେ ଆଲୋଚନା କରାଯିବ ସେତେ ଆବେଗ ଆସିବ ବୋଲି କହିଥିଲେ। ପାଠାଗାର ଯୁଗ୍ମ ସମ୍ପାଦକ ବନମାଳୀ ବେହେରା ବିବରଣୀ ପାଠ ପୂର୍ବକ ବିଗତ ଆର୍ଥିକ ବର୍ଷର ଆୟ ବ୍ୟୟ ଉପସ୍ଥାପନ କରିଥିଲେ। ପ୍ରାରମ୍ଭରେ ସନ୍ତୋଷ କୁମାର ଦ୍ବିବେଦୀ ମଙ୍ଗଳାଷ୍ଟକ ପାଠ କରିଥିବା ବେଳେ ତ୍ରିବେଣୀ କଳାକେନ୍ଦ୍ରଛାତ୍ରୀମାନେ ଭାରତ ଗୀତିକା ଏବଂ ପୁଷ୍ପାରାଣୀ ନାୟକ କବି ବନ୍ଦନା ଗାନ କରିଥିଲେ। ଏହି ଅବସରରେ ରାଧାନାଥ ସାହିତ୍ୟ ଆଧାରିତ ବିଭିନ୍ନ ବିଭାଗର ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ଏବଂ ଯୁକ୍ତ ତିନ ସ୍ନାତକ ଛାତ୍ରଛାତ୍ରୀ ମୋଟ ୧୮ ଜଣ କୃତୀ ପ୍ରତିଯୋଗୀଙ୍କୁ ରାଧାନାଥ କୃତୀ ପୁରସ୍କାର ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପବିତ୍ରା ମିଶ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶେଷରେ ଉପସଭାପତି ନବକିଶୋର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ ଦାମୋଦର ଦାଶମହାପାତ୍ର, ମାନସ କୁମାର ପଣ୍ଡା, ନିରଞ୍ଜନ ପଣ୍ଡା, ମନୀନ୍ଦ୍ର ଦୀକ୍ଷିତ, ଚେମେଇ ଦାସ, ମହେଶ୍ୱର ପଣ୍ଡା, ଅଶୋକ କୁମାର ମହାନ୍ତି, ଦେବେନ୍ଦ୍ର କୁମାର ପ୍ରଧାନ, ଚନ୍ଦ୍ରମୋହନ ମହାପାତ୍ର, ଡ଼. ରବୀନ୍ଦ୍ର ବିହାରୀ, ବିଦ୍ୟାଧର ମଲ୍ଲିକ, ଡ଼. ଶରତ ଚନ୍ଦ୍ର ମହାନ୍ତି, ଗଙ୍ଗାଧର ପାଢ଼ୀ, ଉଦ୍ଧବ ଚରଣ ବିଶ୍ୱାଳ, ରାମଚନ୍ଦ୍ର ପୃଷ୍ଟି, ବିକ୍ରମ କୁମାର ମହାପାତ୍ର, ଅନାଦି ଚରଣ ଜେନା, ପଦ୍ମଲୋଚନ ଦ୍ବିବେଦୀ,ରବୀନ୍ଦ୍ର କୁମାର ଦାସ,ପରମାନନ୍ଦ ଦାସ, ଅନନ୍ତ ପ୍ରସାଦ ବେହେରା ଏବଂ ରାଧାନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।