ସୋର,୨୮/୩ : କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, କଟକ, ୟୁନିଟ -୨ ତରଫରୁ ଆଜି ସକାଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ନାଇକବନ୍ଧ ଛକ ନିକଟରେ ଚଢ଼ାଉ କରାଯାଇ ଏକ ହୋଣ୍ଡା ଆକ୍ଟିଭା ସ୍କୁଟି ସହ ଦେଶୀମଦ ଜବତ କରିଥିବା ବେଳେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିଶନର ରଜତ ପ୍ରହରାଜଙ୍କ ନିର୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରତାପଚନ୍ଦ୍ର ଦାସ ଙ୍କ ତତ୍ୱାବଧାନରେ ଆଇଆଇସି ସତ୍ୟଜିତ ଖଟୁଆଙ୍କ ନେତୃତ୍ୱରେ ଏକ ଟିମ ଏହି ଛକ ନିକଟରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ବାଲେଶ୍ୱର ରୁ ସୋର ଅଭିମୁଖେ ଆସୁଥିବା ଓଡ଼ି 01ଏଜେ 5613 ନମ୍ବର ବିଶିଷ୍ଟ ହୋଣ୍ଡା ଆକ୍ଟିଭା ସ୍କୁଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସେଥିରେ 80 ଲିଟର ଦେଶୀମଦ ଚାଲାଣ ହେଉଥିବା ଏହି ଟିମ ଜାଣିବାକୁ ପାଇଥିଲେ। ଫଳରେ ବାଇକ ସହ ମଦକୁ ଜବତ କରି ପୁରୁଣା ବାଲେଶ୍ୱର ଗ୍ରାମର ଟିଟୁ ବେହେରା (32) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏସଆଇ ଦିବ୍ୟଜ୍ୟୋତି ସତ୍ୟପ୍ରକାଶ,ଏଏସଆଇ ଆଲୋକ ପ୍ରଧାନ, ରମେଶ ଚନ୍ଦ୍ର ବାରିକ, କିଶୋର ରାଉତ ଓ କନେଷ୍ଟବଳ ରାଜେଶ କିଷାନ, ବସନ୍ତ ମଲ୍ଲିକ,ସୁମିତ୍ରା ସାମଲ,ମାନସ ରଞ୍ଜନ ବେହେରା,ଧବୀର ପଟ୍ଟନାୟକ ଓ ଜଗନ୍ନାଥ ନାୟକ ପ୍ରମୁଖ ସାମିଲ ହୋଇଥିଲେ।
