ସୋର, ୧୯/୩ – ସୋର ପୌରପାଳିକା ଅନ୍ତର୍ଗତ ୨ ନମ୍ବର ୱାର୍ଡ଼ କମରପୁର, ଉତ୍ତରେଶ୍ୱର ଏବଂ ଖରିଦା ଗ୍ରାମରେ ସଂପ୍ରତି ବହୁ ସଂଖ୍ୟାରେ ନୂତନ ଗୃହ ନିର୍ମାଣ ହେବାରେ ଲାଗିଛି । କେତେକ ସ୍ଥାନରେ ସରକାରୀ ଜମି ଏବଂ ଗୋଚରକୁ ଜବରଦଖଲ କରାଯିବା ଫଳରେ ଗୋରୁ ଗାଈ ଚରିବା ପାଇଁ ସ୍ଥାନ ମିଳୁ ନାହିଁ । ଏହାକୁ ଦୃଷ୍ଟିରେ ରଖି ଏହି ୱାର୍ଡ ବାସିନ୍ଦାମାନେ ସୋର ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ସହିତ ଏହାର ପ୍ରତିକାର ବ୍ୟବସ୍ଥା କରା ନଗଲେ ଅଗାମୀ ଦିନରେ ଗୃହପାଳିତ ପଶୁଙ୍କ ସହିତ ଜାତୀୟ ରାଜପଥ ଅବରୋଧ କରିବା ପାଇଁ ଧମକ ଦେଇଛନ୍ତି । ଏହି ଅଞ୍ଚଳରେ ଗତ କିଛିବର୍ଷ ହେଲା ବର୍ଷାଦିନେ ଜଳ ନିଷ୍କାସିତ ହୋଇ ନପାରି କୃତ୍ରିମ ବନ୍ୟାରେ କମରପୁର, ଉତ୍ତରେଶ୍ୱର ଏବଂ ଖରିଦା ମୌଜାର ଅଧିକାଂଶ ଘର ଜଳବନ୍ଦୀ ଅବସ୍ଥାରେ ରହୁଛି ।
ଏପରି ସ୍ଥଳେ ନୂତନ ଭାବେ ଗୃହ ନିର୍ମାଣ ବେଳେ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଉ ନଥିବାରୁ ଆଗାମୀ ଦିନରେ ଅଧିକ ସଂକଟ ଦେଖାଦେବାର ସମ୍ଭାବନା ରହିଛି । ପ୍ରସ୍ତାବିତ ସବ୍ଡିଭିଜନ ଜାଗାରେ ନିର୍ମାଣ କରାଯାଇଥିବା ପାଚେରିକୁ ଭାଙ୍ଗି କେତେକ ବ୍ୟକ୍ତି ବ୍ୟବହାର କରୁଥିବା ବେଳେ ଅନ୍ୟ କେତେଜଣ ଏହି ମୌଜାରେ ଥିବା ଗୋଚରକୁ ଜବର ଦଖଲ କରିଥିବା କାରଣରୁ ଗୋରୁ ଗାଈ ଚଳ ପ୍ରଚଳ ଏବଂ ଚରିବାରୁ ବଞ୍ଚିତ ହେଉଛନ୍ତି । ଏହି ମୌଜାରେ ରହିଥିବା ଚାଷଜମିକୁ ରାସ୍ତା ରଖା ନଯାଇ ଗୃହ ନିର୍ମାଣ କରାଯାଉଥିବାରୁ ଚାଷୀମାନେ ଘୋର ଅସୁବିଧାରେ ପଡ଼ୁଥିବା ଅଭିଯୋଗ ହୋଇଛି । ଏହି ସମସ୍ତ ଅସୁବିଧା ବର୍ଷାଋତୁ ପୁର୍ବରୁ ଦୂର କରିବା ପାଇଁ ସୋର ତହସିଲଦାରଙ୍କ ନିକଟରେ ଗ୍ରାମବାସୀ ଶ୍ରୀପତି ଜେନା, ଗଂଗାଧର ବେହେରା, ବିଭୂତି ଭୂଷଣ ଦାସ, ମହେଶ୍ୱର ପଣ୍ଡା,ଶମ୍ଭୁ ସିଂ, ଶମ୍ଭୁନାଥ ପରିଡ଼ା, ମୁରଲୀଧର ବେହେରା, ଗଣେଷ ପ୍ରସାଦ ମଲ୍ଲିକ, ବସନ୍ତ ନାୟକ, ବଂଶୀଧର ବେହେରା, ଶୁଭ୍ରାଂଶୁ ସାହୁ,, ଶକୁନ୍ତଳା ଦାସ, ନରେନ୍ଦ୍ର ପାତ୍ର, ରବିନାରାୟଣ ପାତ୍ର, ସ୍ୱର୍ଣ୍ଣଲତା ସାହୁ ଏବଂ ସନ୍ତୋଷ ବେହେରା ପ୍ରମୁଖ ଅଭିଯୋଗ କରିବା ସହିତ ଆଗାମୀ ଦିନରେ ଆନ୍ଦୋଳନ କରିବାର ଧମକ ଦେଇଛନ୍ତି ।
