ସୋର-୨୦/୦୯ : -ସୋର ବ୍ଲକ ବାଗୁଡ଼ି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଅୟୁଷ ଡାକ୍ତରଙ୍କ ମନମାନୀ, ଦୁର୍ବ୍ୟବହାର ଏବଂ ରୋଗୀ ସେବାରେ ଅସହଯୋଗ, ଅବହେଳା ପାଇଁ ଜନ ଅସନ୍ତୋଷ ଦେଖାଯାଇଛି । ଡାକ୍ତରଖାନାରେ ଉପସ୍ଥିତ ରୋଗୀମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିବା ଫଳରେ ସ୍ଥାନୀୟ ଜନ ସାଧାରଣ ଉତ୍ତେଜିତ ହୋଇ ଉକ୍ତ ଡାକ୍ତରଙ୍କୁ ତୁରନ୍ତ ବଦଳି ପାଇଁ ଦାବି କରିଛନ୍ତି । ପ୍ରକାଶ ଯେ ଏହି ଡାକ୍ତରଖାନାରେ ଦୈନିକ ଶତାଧିକ ରୋଗୀଙ୍କର ଭିଡ଼ ସକାଳଠାରୁ ଦିନ ୨ଟା ପର୍ଯ୍ୟନ୍ତ ଲାଗିରହିଥାଏ । ଏଠାରେ କାର୍ଯ୍ୟରତ ଆୟୁଷ ଡାକ୍ତର ସଂଘମିତ୍ରା ବୁଦ୍ଧପ୍ରିୟା ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ଏଠାରେ କାର୍ଯ୍ୟ କରୁଥିବା ମୁଖ୍ୟ ଡାକ୍ତର ଲକ୍ଷ୍ମୀପ୍ରସାଦ ରାଉତଙ୍କୁ ଏହି ଚିକିତ୍ସା ସେବାରେ ଅସହଯୋଗ କରିବା, ଦୀର୍ଘଦିନ ଧରି ରୋଗୀମାନଙ୍କୁ ନ ଦେଖିବା, ନିଜ ଉପସ୍ଥାନ ଖାତାରେ ଦସ୍ତଖତ ନକରିବା ଏବଂ ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ନହେବା ଫଳରେ ଡାକ୍ତର ରାଉତ ୧୫ ଦିନ ପୂର୍ବରୁ ସୋର ମେଡ଼ିକାଲ ସୁପରିଟେଣ୍ଡେଣ୍ଟ ଡା. ସତ୍ୟନାରାୟଣ ନାୟକଙ୍କୁ ଲିଖିତ ଭାବେ ଜଣାଇ ଦେଇଥିଲେ । ମାତ୍ର ଏ ସଂପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ବେଳେ ରୋଗୀମାନଙ୍କ ପ୍ରତି ଅସହଯୋଗ ମନୋଭାବ ପ୍ରଦର୍ଶନ ଯୋଗୁଁ ଆଜି ଉପସ୍ଥିତ କେତକ ରୋଗୀ ଓ ତାଙ୍କର ସଂପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଖବରପାଇ ସ୍ଥାନୀୟ ଜନ ସାଧାରଣମାନେ ପହଞ୍ଚି ଡାକ୍ତର ସଂଘମିତ୍ରାଙ୍କୁ ତୁରନ୍ତ ବଦଳି ପାଇଁ ଦାବି କରିଥିଲେ । ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ନାୟକ ଏବଂ ସ୍ଥାନୀୟ ସରପଞ୍ଚ ଗଦାଧର ମହାପାତ୍ର ସେଠାରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ସିଡିଏମ୍ଓଙ୍କ ସହିତ ଆଲୋଚନା କରି ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ କହିଥିôଲେ ।
