Odisha news

ଜେଲରୁ ଫେରାର କଏଦୀକୁ ଗିରଫ କଲା ସୋର ପୁଲିସ

0

ସୋର-୦୭/୦୯ : ଗତ ୧ ତାରିଖରେ ସୋର ସବ୍ ଜେଲରୁ ଜଣେ କଏଦୀ ଜେଲର କଡା ସୁରକ୍ଷା ଭିତରେ ଜେଲର ଏବଂ କର୍ମଚାରୀଙ୍କୁ ଚକମା ଦେଖାଇ ଚମ୍ପଟ ମାରିଥିଲା । ଏହି ଘଟଣାକୁ ନେଇ ଜେଲରଙ୍କ କାର୍ଯ୍ୟରେ ଅବହେଳା ଦର୍ଶାଇ ଉଚ୍ଚ କର୍ତ୍ତୃପକ୍ଷ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ସୋର ପୁଲିସ ଚମ୍ପଟ କଏଦୀକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏକ ଦୁଷ୍କର୍ମ ମାମଲାରେ ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ସରଡ଼ିହା ଗ୍ରାମର ଜଳିଆ ସିଂଙ୍କ ପୁଅ ଘନ ସିଂ ବିଚାରଧୀନ କଏଦୀ ଭାବେ ସୋର ସବ୍ ଜେଲରେ ଥିବା ବେଳେ ଗତ ୧ ତାରିଖ ଦିନ ଜେଲ ଗେଟ ଖୋଲାଥିବାରୁ ଦୌଡ଼ି ଫେରାର ହୋଇଯାଇଥିଲା । ଅଭିଯୁକ୍ତଙ୍କୁ ବିଲ ବାଡ଼ିରେ ସବ୍ ଜେଲର ପ୍ରିୟମ୍ବଦା ପଣ୍ଡାଙ୍କ ସହ କର୍ମଚାରୀମାନେ ଖେଜାଖୋଜି କରି ନୟାନ୍ତ ହୋଇଥିଲେ ମଧ୍ୟ ଅଭିଯୁକ୍ତର ପତ୍ତା ପାଇନଥିଲେ । ଏହାପରେ ଜେଲର ସୋର ଥାନାରେ ଏକ ଅଭିଯୋଗ କରିବା ପରେ ସୋର ପୁଲିସ ୩୮୭/୨୨ରେ ଏକ ମାମଲା ରୁଜୁ କରିଥିଲା । ଗତକାଲି ରାତିରେ ଘନ ସିଂ ଘରେ ଥିବାର କୌଣସି ସୂତ୍ରରୁ ଖବର ପାଇ ସୋର ପୁଲିସ ଜେଲ ପୁଲିସ ଓ ଶରତ ଥାନା ପୁଲିସ ସହାୟତାରେ ମିଳିତ ଚଢ଼ାଉ କରିଥିଲେ । ମାତ୍ର ଘନ ସିଂ ତାଙ୍କ ଘରେ ନରହି ଘର ଠାରୁ ଦୂରରେ ଏକ ଲେମ୍ବୁ ବଗିଚାରେ ଶୋଇଥିବା ଜାଣିପାରି ତାକୁ ସେଠାରୁ ଗିରଫ କରାଯାଇଥିଲା । ମାତ୍ର ଗ୍ରାମବାସୀମାନେ ପୁଲିସକୁ ଦେଖି ଢେଲା ପଥର ଫିଙ୍ଗିବା ସହିତ ବିରୋଧ କରିଥିଲେ । କୌଶଳକ୍ରମେ ପୁଲିସ ସେଠାରୁ ଘନକୁ ନେଇ ପଳେଇଆସିଥିବା ବେଳେ ଆଜି ଅପରାହ୍ନରେ ଡାକ୍ତରୀ ପରୀକ୍ଷା କରାଯାଇ ଘନ ସିଂକୁ କୋର୍ଟ ଚାଲାଣ କରାଯାଇଛି ।

Nalco
Leave A Reply