ଝୁମୁକୁ ଝାଇଁ
ତଳେ ପଡିଗଲା ଗୋବରୀ ଆଈ
ଫାଟିଗଲା ମୁଣ୍ଡ ତା’ର,
ଅଜା ନେଇଗଲେ ଡାକତରଖାନା
ବୋହିଲା ରକତ ଧାର ।
ଝୁମୁକୁ ଝାଇଁ
ପଢା ବେଳେ କୁନା ମାରିଲା ହାଇ
ବାପା ମାରିଦେଲେ ଛାଟ,
କହିଲେ ବୁଝାଇ ଅଳସୁଆ ହେଲେ
ହେବୁ କିରେ ଭଲ ଚାଟ ?
ଝୁମୁକୁ ଝାଇଁ
ଦୁଧଭାତ ଧରି ଆସିଲେ ମାଇଁ
ମୁନା କୁ ଡାକିଲେ ଯାଇ,
“ଆ’ ଖାଇ ଦିଏ ଗୋଳାଇ ଦେଉଛି
ଧନ ମୋ ରାଗିଛୁ କାହିଁ !”
ଝୁମୁକୁ ଝାଇଁ
ବାଡିରେ ପଶିଲା କଷରା ଗାଈ
ଫସଲ ଖାଇଲା କେତେ,
ଜେଜେ ଡାକ ଦେଲେ ବାଡି ଧରି ଦାଣ୍ଡେ
“ପଘା ଦିଅ ଆଣି ମୋତେ ।”
ଝୁମୁକୁ ଝାଇଁ
“ଆସରେ ଆସରେ ଝଅଟି ଧାଇଁ
ଘରେ ମୋ ପଶିଛି ଚୋର,”
ବାପା ରଡିକଲେ ବାହାରକୁ ଯାଇ
“ନେଇଯିବ ଧନ ମୋର ।”
ଝୁମୁକୁ ଝାଇଁ
ପବନ ବହିଲା ସାଇଁକି ସାଇଁ
ଗଛରୁ ଖସିଲା ତାଳ ,
ଢୋ’ କି ପଡିଲା ଜେଜେଙ୍କ ପିଠିରେ
ବୋହିଲା ଗରମ ଝାଳ ।
ଝୁମୁକୁ ଝାଇଁ
ବିଲେଇ କହିଲା ମୂଷାକୁ ଯାଇ
“ଯିବା ଚାଲ ମାଛ ଧରି,
କେତେ ଦିନ ହିଲା ଆଇଁଷ ଖାଇନି
ଖାଇବାକୁ ଇଚ୍ଛା ଭାରି ।”
——————
ଶରତ କୁମାର ଦାସ
ଅଧ୍ୟାପକ ରାଜନୀତି ବିଜ୍ଞାନ ବିଭାଗ
ବଡବିଲ ମହାବିଦ୍ୟାଳୟ, ବଡବିଲ
