ଜଳେଶ୍ୱର : ପଶ୍ଚିମବଂଗର ପୂର୍ବ ମେଦିନୀପୁର ଜିଲା ଅନ୍ତର୍ଗତ ବାଲିଚକ ଅଂଚଳରୁ ଆସି ଜଳେଶ୍ୱରର ନୂଆବଜାର ନିକଟ ରେଳଲାଇନ୍କଡରେ ଘର କରି ସାପଧରି ତାକୁ ଖେଳାଇ ଦି ପାଇସା ରୋଜଗାର କରୁଥିବା ଜଣେ କେଳାର ଆଜି ସର୍ପଦଂଶନରେ ମୃତ୍ୟୁ ଘଟିଛି । ଦୀର୍ଘ ୫ବର୍ଷ ଧରି ଜଳେଶ୍ୱରରେ ରହି ବିଭିନ୍ନ ଅଂଚଳରୁ ବିଷଧର ସାପଗୁଡିକୁ ଧରି ତାକୁ ପେଡିରେ ରଖି ବିଭିନ୍ନ ସ୍ଥାନରେ ଖେଳାଇ ଅର୍ଥ ଉପାର୍ଜନ କରି ସ୍ୱାମୀ ସ୍ତ୍ରୀ ଚଳି ଆସୁଥିଲେ । ଗତ କିଛିଦନିନ ଧରି ତା ନିକଟରେ ଏକ ବିଶାକ୍ତ କଳାନାଗ (ତମ୍ପ) ଧରି ରଖିଥିବା ବେଳେ ଆଜି ଏକ ଗୋଖର ଧରିବାଲାଗି ଚମାରଦିଘୀ ଅଞ୍ଚଳକୁ ଯାଇଥିଲା ।
ରଂଜନ ନାୟକ (୬୦) ସାପ ଖେଳାଇ ନିଜର ଗୁଜୁରାଣ ମେଣ୍ଟାଇ ଆସୁଥିବା ବେଳେ ତାର ପୁତ୍ର ଓ ପୁତୁରାମାନେ ତା ନିକଟକୁ ଆସୁନଥିବାର ଆଜି ତାର ସ୍ତ୍ରୀ ପ୍ରକାଶ କରିଛି । ରଂଜନ ନାୟକର ଡାହାଣ ହାତରେ ସାପକାମୁଡାର ଚିହ୍ନ ଥିବା ବେଳେ ସେ ସେଠାରେ ପଡିଥିବାର ଦେଖି ସ୍ଥାନୀୟ ଲୋକେ ତା ସ୍ତ୍ରୀକୁ ଖବର ଦେଇ ଜିକେଭଟ୍ଟର ହସ୍ପିଟାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ବିଷାକ୍ତ ସର୍ପ ଧରିବା ଓ ଖେଳାଇବା ଏକ ଅପରାଧ ହୋଇଥିବା ବେଳେ ସ୍ଥାନୀୟ ପୁଲିସ୍ କିମ୍ବା ବନବିଭାଗ ଏଥିପ୍ରତି ଦୃଷ୍ଟି ନ ଦେବା ଏକ ଆଲୋଚ୍ୟର ବିଷୟ ହୋଇଛି ।