Odisha news

ଶ୍ରୀକାକୁଲମରୁ ଚାଲି ଚାଲି ଆସୁଥିବା ୧୬ ଶ୍ରମିକ ଉଦ୍ଧାର, ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଥଇଥାନ

0

ଛତ୍ରପୁର : ଲକ୍ଡାଉନ୍ ଯୋଗୁଁ ଶ୍ରୀକାକୁଲମରେ ଫସି ରହିଥିବା ମୟୁରଭଞ୍ଜ ଜିଲ୍ଲାର ୧୬ ଜଣ ଶ୍ରମିକ ଶେଷରେ ଚାଲି ଚାଲି ଜିଲ୍ଲାକୁ ଫେରୁଥିଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଉକ୍ତ ଶ୍ରମିକମାନେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଗ୍ରାମର ବୋଲି ଜଣାପଡିଛି । ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଛତ୍ରପୁର ବ୍ଲକ ଚମାଖଣ୍ଡି ସ୍ଥିତ ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଥଇଥାନା କରାଯାଇଛି ।

ଗତକିଛି ମାସ ହେଲା ସମସ୍ତ ଶ୍ରମିକ ଶ୍ରୀକାକୁଲମ ଠାରେ ଏକ ଗ୍ରାନାଇଟ୍ କମ୍ପାନୀରେ କାମ କରୁଥିଲେ । ଲକ୍ଡାଉନ୍ ସମୟରେ କମ୍ପାନୀ ବନ୍ଦ ରହିଥିବାରୁ ଶ୍ରମିକମାନଙ୍କୁ ଖାଇବା ପିଇବା ନ ଦେଇ କମ୍ପାନୀ ମାଲିକ ଘଉଡାଇ ଦେଇଥିଲେ ।

ଶେଷରେ ଶ୍ରମିକମାନେ ନିରାଶ୍ରୟ ହୋଇ ଶ୍ରୀକାକୁଲମ ଠାରୁ ଗତ ଚାରିଦିନ ହେଲା ଚାଲି ଚାଲି ବାହାରିଥିବା ବେଳେ ଗୁରୁବାର ଗଞ୍ଜାମ ଜିଲ୍ଲାରେ ପହଞ୍ଚିଥିଲେ । ଛତ୍ରପୁର କଲେଜ ଛକ ସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ କଡରେ ଶ୍ରମିକମାନେ ବିଶ୍ରାମ ନେଇଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟିରେ ପଡିଥିଲା ।

ଭୋକ ଉପାସରେ ଶ୍ରମିକମାନଙ୍କୁ ବିସ୍କୁଟ୍, ପାଣି ଯୋଗାଇଥିବା ସହ ସେମାନଙ୍କୁ ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖିବା ପାଇଁ ପରାମର୍ଶ ଦେଇଥିଲେ ।

Leave A Reply