ବାରିପଦା : କରୋନା ମହାମାରୀ ଏବଂ ତତ୍ଜନିତ ତାଲାବନ୍ଦ ଯୋଗୁଁ ଜନସାଧାରଣ ଗଭୀର ସଙ୍କଟ ମଧ୍ୟରେ ଜୀବନ ବିତାଉଥିବାବେଳେ ସାଧାରଣଜନତା ବଞ୍ଚିବା ପାଇଁ ସିଟୁ ପକ୍ଷରୁ ସରକାରଙ୍କ ସମ୍ମୁଖରେ ୧୨ଦଫା ଦାବି ଗୁଡିକ ଉପସ୍ଥାପିତ କରାଯାଇଛି । ସେଥିମଧ୍ୟରୁ କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ସିଟୁ ଲଗାତାର ଭାବେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପିତ କରିଆସିଛି । ତେଣୁ ଗୁରୁବାର ସାରାରାଜ୍ୟରେ ଶାରିରୀକ ଦୂରତ୍ୱ ଏବଂ ମାସ୍କ ପରିଧ୍ୟାନ କରି ସିଟୁ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଂଗଠିତ ହୋଇଯାଇଛି ।
ଉକ୍ତ ଦାବିଗୁଡିକ ହେଲା ଲକ୍ଡାଉନ୍ ଯୋଗୁଁ କ୍ଷତିଗ୍ରସ୍ତ ଆୟକର ସୀମା ବାହାରେ ଥିବା ସମସ୍ତ ପରିବାରଙ୍କୁ ମାସିକ ନଗଦ ୭ହଜାର୫ଶହଟଙ୍କା ୬ମାସ ପର୍ଯ୍ୟନ୍ତ ପ୍ରଦାନ କରାଯାଉ, ରେସନ କାର୍ଡରୁ ବଞ୍ଚିତ ସମସ୍ତ ପରିବାରଙ୍କୁ ତୁରନ୍ତ ରେସନ କାର୍ଡ ଯୋଗାଇ ଦିଆଯାଉ ଏବଂ ଦେଶ ଓ ରାଜ୍ୟର ସମସ୍ତ ପରିବାରଙ୍କୁ ମୁଣ୍ଡପିଛା ୧୦କି.ଗ୍ରା ହାରରେ ଚାଉଳ/ଗହମ ମାଗଣାରେ ୬ମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯାଉ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନରେ ଗ୍ରାମାଞ୍ଚଳର ସମସ୍ତ ଇଚ୍ଛୁକ ବ୍ୟକ୍ତିଙ୍କୁ ଦୈନିକ ୩ଶହ ଟଙ୍କା ମଜୁରୀ ହାରରେ ବାର୍ଷିକ ୨ଶହ ଦିନର କାମ ଯୋଗାଇ ଦିଆଯାଉ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ଭଳି ଯୋଜନା ସହରାଞ୍ଚଳକୁ ସଂପ୍ରସାରଣ କରି ସମସ୍ତ ଇଚ୍ଛୁକ ବ୍ୟକ୍ତିଙ୍କୁ ବାର୍ଷିକ ୨ଶହ ଦିନର କାମ ଯୋଗାଇ ଦିଆଯାଉ, ସମସ୍ତ ପ୍ରକାର କୃଷି କାର୍ଯ୍ୟକ୍ରମକୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ପରିସର ଭୁକ୍ତ କରି ବ୍ୟକ୍ତିଗତ ଚାଷଜମିରେ କାର୍ଯ୍ୟ ପାଇଁ ମଧ୍ୟ ଦୈନିକ ୩ଶହ ଟଙ୍କା ମଜୁରୀ ପ୍ରଦାନ କରାଯାଉ ।
ଲକ୍ଡାଉନ୍ ଯୋଗୁଁ ଜୀବନ ବଞ୍ଚାଇବା ପାଇଁ ଭିଟାମାଟିକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କ ଥଇଥାନ ନିମନ୍ତେ ରାଜ୍ୟରେ ବନ୍ଦ ହୋଇଥିବା ସମସ୍ତ ସୂତୀକଳ ଓ ଅନ୍ୟାନ୍ୟ କାରଖାନାଗୁଡିକୁ ଚାଲୁ କରି ଅନ୍ୟାନ୍ୟ ନିଯୁକ୍ତି ଦିଆଯାଉ, ଲକ୍ଡାଉନ୍ ଯୋଗୁଁ ଭିଟାମାଟିକୁ ନିଜେ ଖର୍ଚ୍ଚ ବହନ କରି ବସ, ରେଳ, ଟ୍ରକ, ଟ୍ରଲର ଇତ୍ୟାଦିରେ ଫେରି ଆସିଥିବା ଶ୍ରମିକମାନଙ୍କୁ ଗସ୍ତଖର୍ଚ୍ଚ ଫେରସ୍ତ କରାଯାଉ, ଓଡିଶାରେ କୋଭିଡ୍-୧୯ ମୁକାବିଲା ପାଇଁ ହୋଇଥିବା ମୋଟ୍ ଖର୍ଚ୍ଚ ସମ୍ପର୍କରେ ସରକାର ତୁରନ୍ତ ଶ୍ୱେତପତ୍ର ପ୍ରକାଶ କରନ୍ତୁ ଏବଂ ରଜ୍ୟରେ କୋଭିଡ୍-୧୯ ମୁକାବିଲା ପାଇଁ କିଣାଯାଇଥିବା ସାମଗ୍ରୀରେ ହୋଇଥିବା ଦୁର୍ନୀତି ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ବ୍ୟକ୍ତିଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଲକ୍ଡାଉନ୍ ସୁଯୋଗରେ ମୂଲ୍ୟବାନ ଜାତୀୟ ସମ୍ପର୍ତ୍ତି ଘରୋଇ କମ୍ପାନୀ ହାତରେ ଟେକିଦେବା ବନ୍ଦ କରାଯାଉ, ଶ୍ରମଆଇନ ସଂଶୋଧନ କରି ଶ୍ରମିକମାନଙ୍କ ଅଧିକାର ହରଣ ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ, ମହାମାରୀ ସମୟରେ ଆସିଥିବା ସମସ୍ତ ଜନବିରୋଧୀ ଏବଂ କୃଷକ ବିରୋଧୀ ଅଧ୍ୟାଦେଶଗୁଡିକୁ ପ୍ରତ୍ୟାହର କରାଯାଉ, ସଂଘରୋଧରେ ରହିବା ପାଇଁ ୧୪ ଦିନକୁ ୭ଦିନ ସଙ୍ଗରୋଧ କେନ୍ଦ୍ରରେ ଏବଂ ସାତଦିନ ନିଜ ବାସଗୃହରେ ସଙ୍ଗରୋଧ ଭାବେ ରହିବା ପାଇଁ ସରକାର ନିଷ୍ପତ୍ତି କରିଛନ୍ତି ।
ସୁତରାଂ ୭ଦିନ ଗୃହ ସଙ୍ଗରୋଧର ସମସ୍ତ ଖାଦ୍ୟ ଖର୍ଚ୍ଚ ସଂପୃକ୍ତ ପ୍ରବାସୀ ଶ୍ରମିକମାନଙ୍କୁ ପ୍ରଦାନ କରାଯିବା ନେଇ ପ୍ରମୁଖ ଦାବିଗୁଡିକ ଉପରେ ସରକାର ଏବଂ ପ୍ରଶାସନ ସବିଶେଷ ଦୃଷ୍ଟି ଦେଇ ଓଡିଶାବାସୀଙ୍କ ଜୀବନ ସହିତ ଜିବୀକା ବଞ୍ଚାଇବା ପାଇଁ ସୁନିଶ୍ଚିତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରବିଗୋସ୍ୱାମୀ, ଅକ୍ଷୟ କୁମାର ଖୁଣ୍ଟିଆ, ଖିତିଶ ଚନ୍ଦ୍ର ଶାସମଲ, ଅମଲ ଦେ, ଶକ୍ତିପଦା ସାହୁ, ସଞ୍ଜୟ କୁମାର ଜେନା, ବିରଞ୍ଚି ସିଂ, ସୁଭାଶିଷ ନାଥ ବାରିକ, ଜଗନ୍ନାଥ ବିନ୍ଧାଣୀ, ପରେଶ ମୁଖୀ, ଏସକେ ଏମଡି ରିଜୁଆନ୍, ମାଳତୀ ମହାନ୍ତ ଓ ଶର୍ମିଲା ମହାନ୍ତ ପ୍ରମୁଖ ଯୋଗଦେଇଥିଲେ ।