ଶ୍ସୌଭାଗ୍ୟବତୀ ଗିରି : ଶ୍ରେୟସଂ ଶିବଂ ଭଦ୍ରଂ କଲ୍ୟାଣଂ ମଙ୍ଗଳଂ ଶୁଭଂ l ଅର୍ଥାତ୍ ଶିବ ଶବ୍ଦର ଅର୍ଥ ପରମ ମଙ୍ଗଳ ଓ ପରମ କଲ୍ୟାଣ l ଆଉ ଶକ୍ତି, ଗିରିରାଜ କିଶୋରୀ ଜଗତଜନନୀ ମା’ ଜଗଦମ୍ବା l ଯାହାର ଆଶୀର୍ବାଦର ହାତ ସବୁବେଳେ ଆମ ଉପରେ ଢାଙ୍କି ହୋଇ ରହିଥାଏ l ସେଇ ଶିବ ଓ ଶକ୍ତିଙ୍କର ମିଳନ ଓ ବିରହ ପରେ ପୁନର୍ବାର ମହାମିଳନ ହୋଇଥିଲା l ଏହି ମହାମିଳନ ଦିନଟି ଶୀତଳଷଷ୍ଠୀ ନାମରେ ଖ୍ୟାତ l ଏହି ଶୀତଳଷଷ୍ଠୀ ପର୍ବ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଏ l ଏହା ସାରା ଓଡିଶାରେ ପାଳନ କରାଯାଉଥିଲେ ବି ଏହା ପଶ୍ଚିମ ଓଡିଶାର ମୂଖ୍ୟ ପର୍ବ l
ପୁରାଣରୁ ଜଣାଯାଏ ରାଜା ଦକ୍ଷପ୍ରଜାପତି ନିଜର କଠୋର ତପସ୍ୟା ବଳରେ ବ୍ରହ୍ମଦେବ ଙ୍କୁ ସନ୍ତୁଷ୍ଟ କରି ମା’ ସତୀଙ୍କୁ ପୁତ୍ରୀ ରୂପରେ ପାଇଥିଲେ l ମାତା ସତୀ ବିବାହଯୋଗ୍ୟା ହେଲା ପରେ ପିତାଙ୍କ ବିରୋଧ ସତ୍ତ୍ୱେ ବି ଚିତାଭସ୍ମ ବିଲେପିତ,ମୁଣ୍ଡମାଳାଧାରୀ,ଶ୍ମଶାନଚା ରୀ ଶିବଶଙ୍କରଙ୍କୁ ପତି ରୂପରେ ବରଣ କଲେ l ଏହି ବିବାହ ପିତା ଦକ୍ଷଙ୍କର ସଂପୂର୍ଣ ଅସହମତିରେ ହୋଇଥିବାରୁ ସେ ଶିବଶଙ୍କରଙ୍କୁ ଜାମାତା ବୋଲି ଗ୍ରହଣ କରୁନଥିଲେ କି ପସନ୍ଦ କରୁନଥିଲେ l କନ୍ୟା ସତୀଙ୍କ ବିବାହ ପରେ ଦକ୍ଷପ୍ରଜାପତି ଏକ ବିଶାଳ ଯଜ୍ଞର ଆୟୋଜନ କରିଥିଲେ l ଏହି ଯଜ୍ଞକୁ ଅନେକ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଥିଲେ ମଧ୍ୟ ଜାଣିଶୁଣି ଶିବଶଙ୍କରଙ୍କୁ ଆମନ୍ତ୍ରିତ କରିନଥିଲେ l
ମାତା ସତୀ ଏହି ଖବର ଜାଣିବା ପରେ ପିତା ବୋଧେ ସେମାନଙ୍କୁ ଖବର ଦେବାକୁ ଭୁଲି ଯାଇଛନ୍ତି ବୋଲି ଭାବି ସେ ଯଜ୍ଞକୁ ଯିବାକୁ ପତିଙ୍କୁ କହିଥିଲେ l ମାତ୍ର ଶିବଶଙ୍କର ନିଜେ ଯିବାକୁ ମନା କରିବା ସହିତ ସତୀଙ୍କୁ ମଧ୍ୟ ଯିବା ପାଇଁ ବାରଣ କରିଥିଲେ l ହେଲେ ସତୀ ତାଙ୍କ ବାରଣ ନ ମାନି ବାପଘରେ ଯଜ୍ଞସ୍ଥଳରେ ପହଞ୍ଚିବା ପରେ ପିତା ଦକ୍ଷପ୍ରଜାପତି ତାଙ୍କୁ ଦେଖି କ୍ରୋଧଜର୍ଜରିତ ହୋଇ ଯାଇଥିଲେ l ସତୀଙ୍କୁ କିଛି ନ କହି ସେ ଶିବଶଙ୍କରଙ୍କ ବିଷୟରେ ଅନେକ ଅପମାନଜନକ କଥା କହିଥିଲେ ଓ ତାଙ୍କୁ ଧିକ୍କାର କରିଥିଲେ l ନିଜ ସ୍ୱାମୀଙ୍କ ଅପମାନ ସହି ନପାରି ସତୀ ସେଇ ଯଜ୍ଞକୁଣ୍ଡରେ ନିଜକୁ ଝାସ ଦେଇଥିଲେ l ଏକଥା ଶିବଶଙ୍କରଙ୍କୁ ଜଣା ପଡିଲା ପରେ ସେ ସେଠାକୁ ଆସି ରୁଦ୍ର ରୂପ ଧାରଣ କରି ଯଜ୍ଞସ୍ଥଳକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଥିଲେ ଏବଂ ମାତା ସତୀଙ୍କ ଶରୀରକୁ ନିଜ କାନ୍ଧରେ ପକାଇ ବ୍ରହ୍ମାଣ୍ଡ ପରିକ୍ରମା କରିବାକୁ ଲାଗିଥିଲେ l ସାରା ସୃଷ୍ଟି ପ୍ରତି ବିପଦର ଆଶଙ୍କା କରି ସମସ୍ତ ଦେବାଦେବୀ ଚକ୍ରାୟୁଧ ନାରାୟଣଙ୍କ ଶରଣ ନେଲେ l
ନାରାୟଣ ନିଜ ସୁଦର୍ଶନ ଚକ୍ର ଦ୍ୱାରା ସତୀଙ୍କ ଶରୀରକୁ ବାଉନ ଖଣ୍ଡ କରି ଦେଇଥିଲେ l ସେଇ ବାଉନ ଖଣ୍ଡ ପୃଥିବୀ ପୃଷ୍ଠରେ ଯୋଉଠି ପଡିଲା ସେଠି ଗୋଟେ ଗୋଟେ ଶକ୍ତିପୀଠ ଗଢି ଉଠିଲା l ଏବେ ବି ଭାରତରେ ସେ ବାଉନଟି ଶକ୍ତିପୀଠ ରହିଛି l ସତୀଙ୍କ ଶରୀର ହାତରୁ ଚାଲିଯିବା ପରେ ଶିବଶଙ୍କର ତାଙ୍କ ରୂଦ୍ର ରୂପ ତ୍ୟାଗ କରିଥିଲେ l କିନ୍ତୁ ତାଙ୍କ ପ୍ରାଣପ୍ରିୟା ସତୀଙ୍କ ବିରହ କଷ୍ଟକୁ ଭୁଲିପାରି ନଥିଲେ ଶିବଶଙ୍କର l ସମୟକ୍ରମେ ପୁଣି ସେଇ ବ୍ରହ୍ମଦେବଙ୍କ ବରରେ ବଳୀୟାନ୍ ହେଲା ତାରକାସୁର l ତାର ଅତ୍ୟାଚାରରେ ତିନି ପୁରରେ ସମସ୍ତେ ବ୍ୟତିବ୍ୟସ୍ତ ହେଇ ପଡିଲେ l ଦେବତାମାନେ ଅତିଷ୍ଠ ହୋଇ ଶେଷରେ ବ୍ରହ୍ମାଙ୍କ ଶରଣ ପଶିଲେ l କେବଳ ଶିବଙ୍କ ଔରସରୁ ଜନ୍ମିତ ସନ୍ତାନ ହିଁ ତାରକାସୁରକୁ ବଦ୍ଧ କରିପାରିବ ବୋଲି ଜାଣିବା ପରେ ଦେବଗଣ ମାତା ପାର୍ବତୀଙ୍କୁ ତପସ୍ୟା କରିବାକୁ ଲାଗିଲେ l
ଦେବଗଣଙ୍କ ତପସ୍ୟାରେ ପ୍ରୀତ ହୋଇ ମାତା ପାର୍ବତୀ ଗିରିରାଜ ହିମାଳୟଙ୍କ ଗୃହରେ ପାଦ ଦେଲେ l ଏଇ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପୁଣିଥରେ ଶିବଶଙ୍କର ଓ ମାତା ପାର୍ବତୀଙ୍କ ପୁନର୍ମିଳନ ହେଲା l ଶିବ ଓ ଶକ୍ତି ଙ୍କ ପୁନର୍ମିଳନ ପରେ ଭଗବାନ୍ ଶିବଶଙ୍କର ତାଙ୍କ ପ୍ରଚଣ୍ଡରାଗୀ ରୂଦ୍ରରୂପ ପରିତ୍ୟାଗ କରି ହେଲେ ଶାନ୍ତଶୀତଳ l ତେଣୁ ଏହାକୁ ଶୀତଳଷଷ୍ଠୀ କୁହାଗଲା ବୋଲି ଲୋକବାଣୀ ଅଛି l
ଏହି ଶୀତଳଷଷ୍ଠୀ ଓଡିଶାର ଅନେକ ସ୍ଥାନରେ ପାଳନ କରାଯାଏ l ଯେମିତି କି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର,ପୁରୀର ଲୋକନାଥ ମନ୍ଦିର ଇତ୍ୟାଦି l କିନ୍ତୁ ପଶ୍ଚିମ ଓଡିଶାର ଏହା ମୂଖ୍ୟ ପର୍ବ l ଏହି ପର୍ବ ଏଠାରେ ବହୁ ଆଡମ୍ବର ରେ ଧୁମ୍ ଧାମ୍ ରେ ପାଳନ କରାଯାଏ l ସମ୍ବଲପୁରରେ ନନ୍ଦପଡାର ଶ୍ରୀଶ୍ରୀ ବମ୍ ବରାଡ ବାଲୁଙ୍କେଶ୍ୱର ବାବା,ଝାଡୁଆପଡାର ଶ୍ରୀଶ୍ରୀ ଲୋକନାଥ ବାବା,ମୁଦିପଡାର ଶ୍ରୀଶ୍ରୀ ଜାଗେଶ୍ୱର ବାବା,ବାଲିବନ୍ଧର ଶ୍ରୀଶ୍ରୀ ସୋମନାଥ ବାବା,ବଡବଜାରର ଶ୍ରୀଶ୍ରୀ ଶୀତଳେଶ୍ୱର ବାବା ଙ୍କ ମନ୍ଦିରରେ ଶୀତଳଷଷ୍ଠୀ ଅନୁଷ୍ଠିତ ହୁଏ l ଶୀତଳଷଷ୍ଠୀର ଆଦ୍ୟପର୍ବ ହେଉଛି ଥାଳିଉଠା ପର୍ବ l ଏହା ଶୀତଳଷଷ୍ଠୀର ଠିକ୍ ଏକମାସ ପୂର୍ବରୁ ଅକ୍ଷୟତୃତୀୟା ଦିନ ଅନୁଷ୍ଠିତ ହୁଏ l ପିତଳ ଓ ରୌପ୍ୟ ଥାଳିରେ ବେଲପତ୍ର,ପଦ୍ମଫୁଲ ରଖାଯାଇ ସେଥିରେ ହଳଦିଆ କିମ୍ବା ଲାଲ୍ ରଙ୍ଗର ପାଟବସ୍ତ୍ର ଘୋଡେଇ ରଖାଯାଏ l
ଭକ୍ତମାନେ ଏହି ଥାଳକୁ ଭଗବାନ୍ ଶିବଶମ୍ଭୁ ଓ ଜଗତଜନନୀ ମାତା ପାର୍ବତୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥା’ନ୍ତି l ଏହା ହିଁ ଥାଳଉଠା ପର୍ବ l ଶଙ୍ଖ,ଘଣ୍ଟଘଣ୍ଟା ଓ ପଣ୍ଡିତଙ୍କ ମନ୍ତ୍ରୋଚ୍ଚାରଣ ସହିତ ଥାଳଉଠା ହେବା ସମୟରେ ବାଜା ରୋଷଣୀରେ ମନ୍ଦିର ଦୁଲୁକି ଯାଏ l ହଜାର ହଜାର ଭକ୍ତଙ୍କ ଜୟଧ୍ୱନୀରେ ଗଗନପବନ ପ୍ରକମ୍ପିତ ହୁଏ l ଏହି ଥାଳଉଠା କାର୍ଯ୍ୟକ୍ରମରେ ବିଭିନ୍ନ କମିଟି ସାମିଲ୍ ଥାଆନ୍ତି l ମହାଦେବଙ୍କ ଉପରେ ଜଳାଭଷେକ କରିବା ପରେ କନ୍ୟାପିତାମାତା ଚୟନ କରାଯାଏ l ଏହି ଦିନଠାରୁ କନ୍ୟାର ବିବାହ ପାଇଁ ସୁନାଗହଣା,ଶାଢୀପଟା,ବାସନକୁସନ ଇତ୍ୟାଦି କିଣାରେ କନ୍ୟାପକ୍ଷ ଲାଗିପଡନ୍ତି l
ତାପରେ ଶୀତଳଷଷ୍ଠୀର ଠିକ୍ ଦୁଇଦିନ ପୂର୍ବରୁ ଆରମ୍ଭ ହୋଇଯାଏ ବିବାହ ସମ୍ବନ୍ଧିତ ବିଭିନ୍ନ ପର୍ବ l ପ୍ରଥମେ ପତରପେଣ୍ଡି ବା କନ୍ୟା ଅନ୍ୱେଷଣ ପର୍ବ ଆରମ୍ଭ ହୁଏ l ବାଲୁଙ୍କେଶ୍ୱର ପୀଠରେ ପତରପେଣ୍ଡି ସାମଗ୍ରୀ ରଖାଯାଇ ପୂଜାର୍ଚ୍ଚନା କରାଯାଏ l ତାପରେ ପତରପେଣ୍ଡି ଭାର ସହିତ ବରପିତା ସପ୍ତଋଷିଙ୍କ ଗହଣରେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ସହିତ କନ୍ୟା ଅନ୍ୱେଷଣରେ ବାହାରନ୍ତି l ସେମାନଙ୍କ ସହିତ ଏଥିରେ ସାମିଲ୍ ଥାଆନ୍ତି ଦେବତା,ନର,କିନ୍ନର ଓ ବ୍ରାହ୍ମଣ l ଢୋଲ,ପାରମ୍ପରିକ ବାଦ୍ୟ ଓ ପାରମ୍ପରିକ ନୃତ୍ୟଗୀତର ଆସର ସହିତ ଚାଲେ କନ୍ୟା ଅନ୍ୱେଷଣ ପ୍ରକ୍ରିୟା l ଦୁଲୁଦୁଲି,ଝଣ୍ଡା,ଛତ୍ର,ବୈରଖ ଓ ବାଡିନାଚରେ ରାଜରାସ୍ତା ଦୁଲୁକି ଯାଏ l ଏମିତି ଆନନ୍ଦ ଉଲ୍ଲାସର ମାହୋଲ୍ ଭିତରେ ପତରପେଣ୍ଡି ଭାର ସହିତ ବରପିତା କନ୍ୟାପିତାଙ୍କ ବାସଭବନରେ ପହଞ୍ଚନ୍ତି l
ସାଧାରଣ ବାହାଘର ପରି ଏଥିରେ ବି ବରପକ୍ଷ କନ୍ୟାର ଏବଂ କନ୍ୟାପକ୍ଷ ବରର ଗୁଣଗ୍ରାମ ପଚାରି ବୁଝନ୍ତି l ରାଜମହଲରେ ବଢିଥିବା ନିଜ ଅଲିଅଳୀ କନ୍ୟା ପାର୍ବତୀଙ୍କୁ ଶ୍ମଶାନବାସୀଙ୍କୁ ଶିବଶଙ୍କରଙ୍କୁ କାହିଁକି ଦେବୁ ବୋଲି କନ୍ୟାପକ୍ଷ ପଚାରନ୍ତି l ସ୍ୱୟଂ ମାତା ପାର୍ବତୀ ଶିବଶଙ୍କରଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ଶହଶହ ବର୍ଷ ଧରି ତପସ୍ୟା କରିଛନ୍ତି ବୋଲି ବରପକ୍ଷ ଉତ୍ତର ଦିଅନ୍ତି l ଏହି ଉତ୍ତରରେ ସନ୍ତୁଷ୍ଟ ହୋଇ କନ୍ୟାପକ୍ଷ ମାତା ପାର୍ବତୀଙ୍କ ହାତ ମହାଦେବଙ୍କ ହାତରେ ଦେବା ପାଇଁ ରାଜି ହେଲା ପରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୁଏ l ବରପକ୍ଷ ଆଣିଥିବା ଶାଳପତ୍ର ବିଣ୍ଡା କନ୍ୟାପକ୍ଷଙ୍କୁ ଦିଅନ୍ତି l ତା’ପରେ ବିବାହ ସମୟ ନିର୍ଘଣ୍ଟ ହୁଏ l ତା’ ପରଦିନ ଅନୁଷ୍ଠିତ ହୁଏ ଦେବ ନିମନ୍ତ୍ରଣ ବା ଗୁଆଗୁଣ୍ଡା ପର୍ବ l ଅନ୍ୟ ସମସ୍ତ ସ୍ଥାନରେ ପବନପୁତ୍ର ହନୁମାନ ଦେବନିମନ୍ତ୍ରଣ ପାଇଁ ଯାଉଥିବା ବେଳେ ବାଲୁଙ୍କେଶ୍ୱରଙ୍କ ପାଖରେ କିନ୍ତୁ ପ୍ରଭୁ ନୃସିଂହନାଥ ଦେବ ନିମନ୍ତ୍ରଣରେ ଯାଆନ୍ତି l କିମ୍ବଦନ୍ତୀ କହେ ପ୍ରଥମେ ଯେତେବେଳେ ସମ୍ବଲପୁରରେ ଶୀତଳଷଷ୍ଠୀ ଆରମ୍ଭ ହେଇଥିଲା ସେତେବେଳେ ଶ୍ରୀକୃଷ୍ଣ ଦେବ ନିମନ୍ତ୍ରଣରେ ଯାଉଥିଲେ l କିନ୍ତୁ ଥରେ ନୃସିଂହନାଥ ମହାପ୍ରଭୁ ନିଜେ ବଢିପାଣିରେ ଭାସିଆସି ମନ୍ଦିର ପ୍ରାଙ୍ଗଣରେ ଲାଗିଥିଲେ l ସେଠୁ ତାଙ୍କୁ ଉଦ୍ଧାର କରାଯାଇ ପୂଜାର୍ଚ୍ଚନା କରାଗଲା l
ସେବେଠାରୁ ନୃସିଂହନାଥ ମହାପ୍ରଭୁ ଦେବ ନିମନ୍ତ୍ରଣରେ ଯାଉଥିବାର ଜଣାଯାଏ l ଶୀତଳଷଷ୍ଠୀର ପୂର୍ବଦିନ ପ୍ରଭୁ ନୃସିଂହନାଥ ରଥାରୂଢ ହୋଇ ସବୁ ଦେବତାଙ୍କୁ ମହାଦେବଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ମନ୍ଦିର ମନ୍ଦିର ବୁଲି ଗୁଆଗୁଣ୍ଡା ପ୍ରଦାନ ପୂର୍ବକ ନିମନ୍ତ୍ରଣ ଦିଅନ୍ତି l ଏହି ଦେବନିମନ୍ତ୍ରଣ ପର୍ବର ଦାୟିତ୍ୱ ସ୍ୱୟଂ ପ୍ରଭୁ ନୃସିଂହନାଥ ସମ୍ପାଦନ କରୁଥିବାରୁ ଏହାକୁ ନୃସିଂହନିଉତା ମଧ୍ୟ କୁହାଯାଏ l ତା’ ପରଦିନ ସକାଳୁ ଗଇଁଠାଳ ଫିଟା ନିତି ହେଲା ପରେ ବର ମହାଦେବଙ୍କୁ ନେଇ ବରଯାତ୍ରୀ ଧରି ବରପକ୍ଷର ସମସ୍ତେ କନ୍ୟାଘର ଅଭିମୁଖେ ଯାତ୍ରା କରନ୍ତି l ଏହି ବରଯାତ୍ରୀରେ ସମସ୍ତ ଦେବତା,ନର,ବ୍ରାହ୍ମଣ,କିନ୍ନର ଓ ଭକ୍ତ ଆଦି ଥାଆନ୍ତି l ସାକ୍ଷୀପଡାରୁ ସ୍ୱୟଂ ସାକ୍ଷୀ ଗୋପିନାଥ ଆସିଥାନ୍ତି ବିବାହରେ ସାକ୍ଷୀ ରହିବା ପାଇଁ l ବିଭିନ୍ନ ପାରମ୍ପରିକ ବାଦ୍ୟ,ନୃତ୍ୟ ସହିତ ରାଜରାସ୍ତା ଦୁଲୁକିଯାଏ l ମହାଦେବଙ୍କ ବରଯାତ୍ରୀ ରେ ସାମିଲ୍ ହୋଇ ଭକ୍ତମାନଙ୍କୁ ପରମ ତୃପ୍ତି ମିଳେ l ସେମାନେ ନିଜକୁ ଧନ୍ୟ ମନେ କରନ୍ତି l
କନ୍ୟାଘରେ ପହଞ୍ଚିବା ପରେ ସଂପୂର୍ଣ ବୈଦିକ ରୀତିରେ ବିବାହ ଅନୁଷ୍ଠିତ ହୁଏ l ଏହି ଅଲୌକିକ ବିବାହ ଉତ୍ସବକୁ ତିନିପୁରର ସମସ୍ତେ ଉପଭୋଗ କରନ୍ତି l ତା’ପର ଦିନ ଶିବଶଙ୍କର ପାର୍ବତୀଙ୍କୁ ନେଇ ପ୍ରତ୍ୟାବର୍ତ୍ତନ କରି ସହରବାସୀଙ୍କୁ ଶିବଶକ୍ତି ଯୁଗଳ ରୂପରେ ଦର୍ଶନ ଦିଅନ୍ତି l ଶେଷରେ ମନ୍ଦିର ପ୍ରବେଶ ଉତ୍ସବ ଅନୁଷ୍ଠିତ ହୁଏ l ଏହା ହିଁ ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା l ଏବର୍ଷ ଲକ୍ ଡାଉନ୍ ଥିଲେ ମଧ୍ୟ ଅତି ନିରାଡମ୍ବର ଭାବରେ ସଂପୂର୍ଣ ବିଧିବିଧାନର ସହିତ ଦେବ ଦେବ ମହାଦେବ ଓ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଆଡମ୍ବର ହେଉ ବା ନିରାଡମ୍ବର ହେଉ,ସମସ୍ତଙ୍କ ମନରେ ଭକ୍ତିଭାବର ଅଭାବ ନ ହେଉ l ସେଇ ମଙ୍ଗଳମୟ ଭଗବାନ୍ ସାରା ବିଶ୍ୱର ମଙ୍ଗଳ କରନ୍ତୁ l