ସିମୁଳିଆ : ସିମୁଳିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ଧରୁନି । ଆଜି ସିମୁଳିଆ ଅଞ୍ଚଳରେ ପୁଣି ଏକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସିମୁଳିଆ ଅଞ୍ଚଳରେ କୋକୁଆଭୟ ଖେଳିଯାଇଛି । ହେଲେ କୋବିଡ ନିୟମ ଭଙ୍ଗକାରୀଙ୍କର ଚେତା ପଶୁନି ।
ବିବରଣୀରୁ ପ୍ରକାଶ ସିମୁଳିଆ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବା ଫଳରେ ଅଞ୍ଚଳବାସୀ ଏକ ପ୍ରକାର ଭୟର ବାତାବରଣ ଜୀବନଯାପନ କରୁଥିବାବେଳେ ଆଜି ମାର୍କୋଣା ସବରେଜିଷ୍ଟାର କାର୍ଯ୍ୟାଳୟରୁ ଆଉ ଏକ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ମାର୍କୋଣା ପଞ୍ଚାୟତର କୁଣିଆରୀ ଗ୍ରାମର ୩୫ବର୍ଷିୟ ଯୁବକ । ସେ ସେହି କାର୍ଯ୍ୟାଳୟର ଅନ୍ୟ ଏକ ଆକ୍ରାନ୍ତଙ୍କ ଲିଙ୍କରେ ଆସିଥିବାର ଜଣାଯାଇଛି ।
ରକ୍ତ ନମୂନା ପରୀକ୍ଷାରେ ଥିବାବେଳେ ଥଣ୍ଡା କାଶ ହେବାରୁ ସେମାନଙ୍କୁ ବାଲେଶ୍ୱର କୋବିଡ ସେଣ୍ଟରକୁ ଚିକିତ୍ସା ନିମନ୍ତେ ପଠାଯାଇ ପରୀକ୍ଷାର ରିପୋର୍ଟ ଆସିବା ପରେ ତାଙ୍କୁ କୋବିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଛି । ଏଥି ସହିତ ସିମୁଳିଆ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଥିବାର ଜଣାଯାଇଛି ।
