ସିମୁଳିଆ : ସିମୁଳିଆ ବ୍ଲକ ଅଞ୍ଚଳରେ କରୋନା ଆକ୍ରାନ୍ତ ସଂଖ୍ୟା କ୍ରମଶଃ ଭୟଙ୍କର ରୂପ ନେଉଥିବାର ଦେଖାଯାଉଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଭୟର ବାତାବରଣ ଖେଲିଯାଇଛି । ସୂଚନାରୁ ପ୍ରକାଶ ସିମୁଳିଆ ମେଡିକାଲ କୋବିଡ ଟିମ୍ ପକ୍ଷରୁ ସୋମବାର ଦିନ କାଞ୍ଚପଡା ପଞ୍ଚାୟତର ସୁବର୍ଣ୍ଣ ଦେବୀ ହାଇସ୍କୁଲରେ କରୋନା ପରୀକ୍ଷା କରାଯାଇଥିଲା । ମୋଟ ୧୭୯ଜଣଙ୍କୁ ପରୀକ୍ଷା କରାଯାଇଥିବାବେଳେ ସେଥି ମଧ୍ୟରୁ ସର୍ବାଧିକ ସିମୁଳିଆରୁ ୩୯ଜଣ ପଜିଟିଭି ବାହାରିଥିଲା । ପ୍ରକାଶ ଥାଉକି ଏହି ପଞ୍ଚାୟତର ସରପଞ୍ଚ ସୁକାନ୍ତି ମହାରଣା ଜିଲ୍ଲାର ସର୍ବ ପ୍ରଥମ କରୋନା ଯୋଦ୍ଧାଭାବେ ଆକ୍ରାନ୍ତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ ଫୋନରେ କଥା ହେବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।
ଚଳିତ ମାସ ୨୦ତାରିଖରେ ସରପଞ୍ଚଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚ ଦାଶରଥି ମହାରଣା କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ବର୍ତ୍ତମାନ କୋବିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଶ୍ରୀ ମହାରଣା କୋବିଡ ହସ୍ପିଟାଲରେ ଥାଇ ପଞ୍ଚାୟତବାସୀଙ୍କୁ ଭୟଭୀତ ନ ହେବାକୁ ଫୋନ ମାଧ୍ୟମରେ କହିଛନ୍ତି । କରୋନା ଭାଇରସ ସହିତ ଯୁଦ୍ଧ କରିବାକୁ ଆହ୍ୱାନ ଦେଇଛନ୍ତି । ସେହିପରି ଚଳିତ ମାସ ୨୩ତାରିଖରେ ମେଡିକାଲ ପକ୍ଷରୁ ମେଡିକାଲ ପରିସରରେ କରୋନା ପରୀକ୍ଷା କରାଯାଇଥିଲା । ୭୩ଜଣଙ୍କୁ ପରୀକ୍ଷା କରାଯାଇଥିବାବେଳେ ୨ଜଣଙ୍କର କରୋନା ପଜିଟିଭ ବାହାରି ଥିଲା । ସେଥି ମଧ୍ୟରୁ ଜଣେ ମେଡିକାଲ ଏ.ଏନ.ଏମ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଜଣେ ପୁରୁଷୋତ୍ତମପୁର ପଞ୍ଚାୟତର ଚକ୍ରଧରପୁର ଗ୍ରାମର ବୋଲି ଜଣା ପଡିଛିା
