ଶିମିଳିପାଳରେ ନିଆଁ ଲିଭୁ ନାହିଁ, ବନ୍ୟଜନ୍ତୁ ଜନବସତିଃ ମୁହାଁ : ହରିଣ ଉଦ୍ଧାର , ଓଡ୍ରାଫ୍ ଟିମ୍ ନିୟୋଜିତ, ଜିଲ୍ଲାପାଳ, ଏସପି ଓ ଡିଏଫ୍ଓଙ୍କ ମିଳିତ ପରଦର୍ଶନ
ବାରିପଦା : ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଆୟତ୍ତ ହେବା ବଦଳରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି । ଗୋଟିଏ ସ୍ଥାନରେ ଲିଭିଲାବେଳକୁ ପୁଣି ଅନ୍ୟ ସ୍ଥାନକୁ ମାଡିଯାଉଛି । ଏବେ ସବୁରି ମୁହଁରେ ଗୋଟିଏ କଥା ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭିବ କିପରି । ୧୫ଦିନରୁ ଉଦ୍ଧ୍ୱର୍ ଦିନ ଧରି ଜଙ୍ଗଲରେ ନିଆଁ ଲାଗିଥିବାରୁ ବିଶେଷ କରି ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ମାଡିଆସିଛି । ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ନିୟନ୍ତ୍ରଣକୁ ଆସୁନଥିବାବେଳେ ଏବେ ପାହାଡରୁ ପାହାଡକୁ ଡେଇଁବାରେ ଲାଗିଛି ନିଆଁ । ଆକାଶ ମାର୍ଗରୁ ମଧ୍ୟ ଅତି ଭୟଙ୍କର ଦିଶୁଛି ଜଙ୍ଗଲ ନିଆଁ ।
ବିଶେଷ କରି ଭଞ୍ଜବସା ରୁ ଅନନ୍ତପୁର, ଅନନ୍ତପୁର ରୁ ପୋଡାଡିହା, ପୋଡାଡିହା ରୁ ଦେବକୁଣ୍ଡ ଆଦି ସ୍ଥାନରେ ନିଆଁ ମାଡି ମାଡି ଚାଲିଛି । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ନିଆଁ ପ୍ରକୋପ ବଢି ଚାଲିଥିବାରୁ ଅଭୟାରଣ୍ୟରେ ବସବାସ କରୁଥିବା ବନ୍ୟଜନ୍ତୁମାନେ ଅଣନିଃଶ୍ୱାସୀ ହୋଇ ଜନବସତିଃ ମୁହାଁ ହେଉଛନ୍ତି । ଏପରି ଏକ ଘଟଣା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ବୁନେ୍ଧଇପୋଷି ଗ୍ରାମର ବିଜୁ ମହାରଣାଙ୍କ ଘରେ ଗୋଟିଏ ହରିଣ ପଶି ଆସିଥିବାର ଦେଖିବାକୁ ମିଳିଥିଲା । ପରେ ଏନେଇ ବନ ବିଭାଗକୁ ଖବର ଦିଆଯିବା ପରେ ହରିଣଟିକୁ ଉଦ୍ଧାର କରି ଚିକିସôା ଚାଲିଥିବା ଜଣାଯାଇଛି ।
ଠିକ୍ ସେହିପରି ଜଙ୍ଗଲରେ ନିଆଁ ଲାଗିଥିବା ସୁଯୋଗ ଦେଖି ଶିକାର କରିବା ଉଦେ୍ଦଶ୍ୟରେ ଜଙ୍ଗଲରେ ନିଆଁ ଲଗାଇ ଶିକାର ପାଇଁ ଫାଶ ବିଛାଉଥିବାବେଳେ ଖଡିକୁଦ ଗ୍ରାମର ସାଲୁ ତିଉଙ୍କୁ ଗିରଫ କରିଛି ବନ ବିଭାଗ । ତାଙ୍କ ନିକଟରୁ ୨୨ଟି ୪୧୫ଫୁଟ୍ର ଫାଶ ଜବତ କରିଥିବାବେଳେ ଗିରଫ ହୋଇଥିବା ଶିକାରୀ ସାଲୁ ତିଉ ଠେକୁଆ ଶିକାର କରିବା ପାଇଁ ଏହି ଫାଶ ବ୍ୟବହାର କରୁଥିଲା ବୋଲି ବନବିଭାଗ ସମ୍ମୁଖରେ ପ୍ରକାଶ କରିଛି । ସେହିପରି ଗତକାଲି ମଧ୍ୟ କରଞ୍ଜିଆ ଦୁଧିଆଣୀ ରେଞ୍ଜ ବାଦାମାପାହାଡ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଯଶିପୁର ଥାନା ଆମ୍ବତଳିଆ ଗ୍ରାମର ପ୍ରଧାନ ହେମ୍ବ୍ରମ ନିଆଁ ଲଗାଉଥିବାବେଳେ ବନ ବିଭାଗ ତାଙ୍କୁ ଗିରଫ କରିଛି । ନିଆଁ ସହ ଶିକାରୀ ମାନେ ସକ୍ରିୟ ହେଉଥିବାରୁ ଶିମିଳିପାଳର ସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜଙ୍ଗଲରେ ନିଆଁ ବେକାବୁ ହେଉଥିବା ଦେଖି ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ କ୍ରମେ ଓଡ୍ରାଫ୍ ଟିମ୍ ଶିମିଳିପାଳରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
ବାଲେଶ୍ୱର ଓ ବାରିପଦା ଓଡ୍ରାଫ୍ ଟିମ୍ର ଏକ ୬୦ଜଣିଆ ଟିମ୍ ଶିମିଳିପାଳର ଯଶିପୁର ରେଞ୍ଜରେ ନିଆଁ ଲିଭାଇବାରେ ଲାଗିଥିବାବେଳେ ବହୁ ସ୍ୱେଚ୍ଛାସେବୀ ଓ ବିଭିନ୍ନ ସଂଗଠନ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଅନ୍ୟପକ୍ଷରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ, ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷତ୍ତୋମ ଦାସ ଓ ବାରିପଦା ଡିଏଫଓ ସନ୍ତୋଷ ଯୋଶୀ ପ୍ରମୁଖ ମିଳିତ ଭାବେ ବାଙ୍ଗିରିପୋଷି ରେଞ୍ଜ ବଡଗାଁ ସେକ୍ସନ୍ ଅଞ୍ଚଳକୁ ପରିଦର୍ଶନ କରି ନିଆଁ ଲିଭା କାର୍ଯ୍ୟ ତଦାରଖ କରିବା ସହ ସ୍ଥାନୀୟ ଲୋକଙ୍କୁ ନିଆଁ ଯେପରି ନଲାଗିବ ସେଥିପାଇଁ ସଚେତନ କରିଥିଲେ । ଅନ୍ୟପକ୍ଷରେ ଶିମିଳିପାଳରେ ନିଆଁ ନିୟନ୍ତ୍ରଣ ସାଙ୍ଗକୁ ବନ୍ୟଜନ୍ତୁଙ୍କର ସୁରକ୍ଷା ପ୍ରତି ଏହି ସମୟରେ ବିଶେଷ ନଜର ଦେବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି ଲାଗୁ କରାଯିବା ପାଇଁ ପରିବେଶବିତ୍ ମାନେ ଦାବି କରିଛନ୍ତି । ଅନ୍ୟପକ୍ଷରେ ଶିମିଳିପାଳ ସୁରକ୍ଷାକୁ ନେଇ ଭଞ୍ଜସେନା ପକ୍ଷରୁ ବୁଧୁବାର ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି ।
