Odisha news

ସଂଗ୍ରାମର ଶାନ୍ତିଦୂତ ସୀମାନ୍ତ ଗାନ୍ଧି

0

ଶେଖ୍ ଫରିଦ୍ଉଦ୍ଦିନ : ସେ ହେଲେ ଆଉ ଜଣେ ଗାନ୍ଧି । ନୀତି-ଆଦର୍ଶରେ ଖୁମ୍ ମେଳ ରହିଛି ଦୁଇ ଗାନ୍ଧିଙ୍କର । ତେଣୁ ତାଙ୍କୁ ସୀମାନ୍ତ ଗାନ୍ଧି ନାଁରେ ମଧ୍ୟ ଅନେକ ଚିହ୍ନନ୍ତି । ପୁରା ନାଁ ତାଙ୍କର ଖାନ୍ – ଅବଦୁଲ -ଗଫର ଖାନ୍ । ଫକର ଇ ଆଫଗାନ ନାଁରେ ମଧ୍ୟ ସେ ଖୁବ୍ ପରିଚିତ । ଏହାର ଅର୍ଥ ହେଲା – ଆଫଗାନର ଗର୍ବ । ୧୮୯୦ ଜାନୁଆରୀ ୨୦ ତାରିଖରେ ସେ ପେଶୱାରର ଉତ୍ମାନଜାଇ ସହରରେ ଜନ୍ମ ଗ୍ରହଣ କରିଥିଲେ । ପାକିସ୍ତାନ-ଆଫଗାନିସ୍ଥାନ ସୀମାରେ ଅବସ୍ଥିତ ଏହି ଅଞ୍ଚଳ ଥିଲା ବ୍ରିଟିଶ ଇଣ୍ଡିଆ ଭିତରେ । ସୀମାନ୍ତ ଗାନ୍ଧିଙ୍କୁ ବାଦ୍ ଦେଇ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ଲେଖାଯାଇପାରିବ ନାହିଁ । ୧୯୮୭ ମସିହାରେ ତାଙ୍କୁ ଭାରତରତ୍ନ ସମ୍ମାନରେ ଭୂଷିତ କରାଯାଏ । ପ୍ରଥମ ଅଣଭାରତୀୟ ବ୍ୟକ୍ତି ଭାବରେ ସେ ଏ ସମ୍ମାନର ଅଧିକାରୀ ହୋଇଥିଲେ ।
ମହାତ୍ମା ଗାନ୍ଧିଙ୍କ ସହିତ ଖୁବ୍ ଘନିଷ୍ଠତା ଥିଲା ସୀମାନ୍ତ ଗାନ୍ଧିଙ୍କର । ୧୯୧୦ ମସିହାରେ ସେ ଉତ୍ମାନଜାଇଠାରେ ଏକ ମସ୍ଜିଦ୍ ସ୍କୁଲ ସ୍ଥାପନ କରନ୍ତି । ୧୯୧୧ ମସିହାରେ ସେ ସଂପୂର୍ଣ୍ଣ ଭାବେ ଯୋଗ ଦିଅନ୍ତି ସ୍ୱାଧୀନତା ସଂଗ୍ରାମରେ । ତରଙ୍ଗଜାଇର ହାଜି ସାହିବଙ୍କ ନେତୃତ୍ୱରେ ଆରମ୍ଭ ହୁଏ ବିରୋଧ, ସ୍ୱାଧୀନତା ସଂଗ୍ରାମର ପାଇଁ ଶାନ୍ତିପୂର୍ଣ୍ଣ ଲଢ଼େଇ । ୧୯୧୫ ମସିହାରେ ବ୍ରିଟିଶ ସରକାର ତାଙ୍କ ସ୍କୁଲ ନିଷିଦ୍ଧ ଘୋଷଣା କରନ୍ତି । ଗଫର୍ ଖାନ୍ ଯେତେବେଳେ ଅନୁଭବ କଲେ ବ୍ରିଟିଶ ବିରୋଧୀ ଅଭିଯାନ ଫଳପ୍ରଦ ହେଉନାହିଁ, ସେତେବେଳେ ସେ ପାସ୍ତୁନ୍ମାନଙ୍କୁ ସଚେତନ କରାଇବା ପାଇଁ ୧୯୨୧ ମସିହାରେ “ଅଞ୍ଜୁମନ୍-ଇ-ଇସ୍ଲାହଲ୍-ଆଫଗାନ୍’ ନାମରେ ଏକ ସଂଗଠନ ଗଠନ କଲେ । ଏହାର ଅର୍ଥ ହେଲା – ଆଫଗାନ ସଂସ୍କାର ସଂଗଠନ । ୧୯୨୭ ମସିହାରେ ଯୁବକମାନଙ୍କୁ ବ୍ରିଟିଶରାଜ ବିରୋଧରେ ସ୍ୱର ଉଠାଇବା ପାଇଁ ପ୍ରଭାବିତ କରିବା ନିମନ୍ତେ ସେ ଗଠନ କଲେ “ପାସ୍ୁନ୍ ଆସେମ୍ବ୍ଲି’ ।
୧୯୨୮ ମସିହାରେ ସୀମାନ୍ତ ଗାନ୍ଧି ପାସ୍ତୁନ ଭାଷାରେ ଏକ ମାସିକିଆ ପତ୍ରିକାର ପ୍ରକାଶନ ଆରମ୍ଭ କଲେ । ୧୯୨୯ରେ ସେ ଗଠନ କରିଥିଲେ ଖୁଦାଇ ଖିଦମତ୍ଗାର – ଏହାର ଅର୍ଥ ହେଲା ଭଗବାନଙ୍କ ଭୃତ୍ୟ । ଏ ସଂଗଠନ ମଧ୍ୟ ସ୍ୱାଧୀନତା ପାଇଁ ସଂଗ୍ରାମ ଆରମ୍ଭ କଲା । ଏଥର ସୀମାନ୍ତଗାନ୍ଧିଙ୍କ ବିରୋଧରେ ବ୍ରିଟିଶ ସରକାର ଅସ୍ତବ୍ୟସ୍ତ ହୋଇପଡ଼ିଲେ । ସୀମାନ୍ତଗାନ୍ଧି ବ୍ରିଟିଶ ରୋଷର ଶିକାର ହେଲେ । ଭାରତ ବିଭାଜନକୁ ଜୋର ବିରୋଧ କରୁଥିଲେ ସୀମାନ୍ତ ଗାନ୍ଧି । ଅଲ୍-ଇଣ୍ଡିଆ ମୁସ୍ଲିମ୍ ଲିଗ୍ର ଦାବିକୁ ନାପସନ୍ଦ କରୁଥିଲେ ସିଏ । ଭାରତୀୟ ଜାତୀୟ କଂଗ୍ରେସ ଖୁଦାଇ ଖିଦ୍ମତଗାର ସଂଗଠନର ନେତାମାନଙ୍କ ସହ ପରାମର୍ଶ ନକରି ଜଣେ ବିଭାଜନ ପାଇଁ ରାଜି ହୋଇଥିବାରୁ ସୀମାନ୍ତ ଗାନ୍ଧି ଖୁବ୍ ମର୍ମାହତ ହୋଇଥିଲେ । ଏପରିକି ସେ ଗାନ୍ଧିଙ୍କୁ କହିଥିଲେ, ଆପଣମାନେ ଆମକୁୁ ବାଘ ଆଗକୁ ଫୋପାଡ଼ି ଦେଇଛନ୍ତି । ଏ ସ୍ୱତନ୍ତ୍ର ପସତୁନିସ୍ତାନ ଦାବି କରି ଅନେକ ଘର ସେ ପାକିସ୍ତାନ ସରକାରଙ୍କ ଦ୍ୱାରା ଗିରଫ ମଧ୍ୟ ହୋଇଥିଲେ । ଦେଶ ବିଭାଜନକୁ ବିରୋଧ କରୁଥିବାରୁ ପାକିସ୍ତାନର ଜନକ ମହମ୍ମଦ ଅଲ୍ଲୀ ଜିନାଙ୍କ କୋପଦୃଷ୍ଟିର ସରବ୍ୟ ହୋଇଥିଲେ ସୀମାନ୍ତ ଗାନ୍ଧି । ତେଣୁ ବିଭାଜନ ପରେ ସେ ପାକିସ୍ତାନରେ ରହିଥିଲେ ବି ଅଧିକାଂଶ ସମୟ ତାଙ୍କର କଟିଥିଲା ଗୃହବନ୍ଦୀ ଭାବରେ କିମ୍ବା ଜେଲ୍ରେ । ୧୯୫୭ ମସିହାକୁ ୧୯୬୪ ମସିହା ପର୍ଯ୍ୟନ୍ତ ସେ କ୍ରମାଗତ ଭାବରେ ଜେଲରେ ରହିଥିଲେ । ଅସୁସ୍ଥତା ଯୋଗୁଁ ପାକିସ୍ତାନ ସରକାର ତାଙ୍କୁ ମୁକ୍ତି ଦେଇଥିଲେ । ଏହାପରେ ୧୯୭୨ ପର୍ଯ୍ୟନ୍ତ ସେ ନିର୍ବାସିତ ଜୀବନ କଟାଇଥିଲେ ବ୍ରିଟେନ୍, ଆମେରିକା ଏବଂ ଆଫଗାନିସ୍ଥାନରେ । ୧୯୭୩ରେ ଦେଶକୁ ଫେରିବା ପରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜୁଲ୍ଫିକର ଅଲ୍ଲୀ ଭୁଟ୍ଟୋଙ୍କୁ ତାଙ୍କ ଏକଛତ୍ର ଶାସନ ପାଇଁ ସମାଲୋଚନା କରିବା ଯୋଗୁଁ ତାଙ୍କୁ ପୁଣିଥରେ ଜେଲ ଜୀବନ କାଟିବାକୁ ହୋଇଥିଲା । ୧୯୮୪ ମସିହାରେ ତାଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ନାମାଙ୍କିତ କରାଯାଇଥିଲା । ୧୯୮୫ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସର ଶତବାର୍ଷିକ ସମାରୋହରେ ଯୋଗଦେବା ପାଇଁ ଭାରତ ଆସିଥିଲେ । ୧୯୮୮ ମସିହାରେ ପେଶୱାର ଜଲାଲାବାଦଠାରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ଶେଷ ଇଛା ଥିଲା ଆଫଗାନିସ୍ଥାନରେ ତାଙ୍କର ଜନ୍ମଭୂମିରେ କବର ନେବା ପାଇଁ । ସରକାରୀ କଟକଣା ସତ୍ତ୍ୱେ ପ୍ରାୟ ୨ ଲକ୍ଷ ଅନୁଗାମୀ ତାଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେଇଥିଲେ । ଏପରିକି ଆଫଗାନିସ୍ଥାନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟ ବନ୍ଦ କରିଦିଆଯାଇଥିଲା ।
ବ୍ରିଟିଶ ଇଣ୍ଡିଆର ପେଶୱାର ଉପତ୍ୟକାର ଉତ୍ମାନ୍ଜାଇ ଏଡ଼ୱାର୍ଡ଼ ବ୍ରିଟିଶ ସ୍କୁଲରରେ ପାଠପଢ଼ା ଆରମ୍ଭ କରିଥିଲେ ସୀମାନ୍ତ ଗାନ୍ଧି । ଏକ ସ୍ୱଚ୍ଛଳ ପରିବାରରେ ଜନ୍ମ ତାଙ୍କର । ବାପା ଥିଲେ ଜମିଦାର । ପାଠପଢ଼ାରେ ଖୁବ ଆଗୁଆ ଥିଲେ ଗଫର ଖାନ । ୧୦ମ ଶ୍ରେଣୀରେ ପାଠ ପଢ଼ିବା ସମୟରେ ସେ କମିଶନ ଗାଇଡ଼ ସମ୍ମାନରେ ଭୂଷିତ ହୋଇଥିଲେ ଏବଂ ବ୍ରିଟିଶ ସେନାରେ ସମ୍ମାନଜନକ ଗାଇଡ଼ ଅଫିସର ପଦରେ ଯୋଗଦେବା ପାଇଁ ପ୍ରସ୍ତାବ ପାଇଥିଲେ । ଏହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ, କାରଣ ଗାଇଡ଼୍ ଅଫିସରମାନଙ୍କୁ ବ୍ରିଟିଶ ସେନାରେ ଦ୍ୱିତୀୟ ଶ୍ରେଣୀ ନାଗରୀକର ମାନ୍ୟତା ମିଳୁଥିଲା ।
ସ୍କୁଲ ପାଠପଢ଼ା ଶେଷ କରିବା ପରେ ବାପା ଚାହୁଁଥିଲେ ପୁଅ ଲଣ୍ଡନ ଯାଉ । କିନ୍ତୁ ତାଙ୍କ ମା’ଙ୍କର ଇଛା ନଥିଲା ଏଥିରେ । ତେଣୁ ସେ ବାପାଙ୍କ ଜମିଦାରୀ ବୁଝାସୁଝା କଲେ । ୧୯୨୦ ମସିହାରେ ଗାନ୍ଧିଜୀଙ୍କ ସହ ସେ ଖିଲାଫତ୍ ଆନେ୍ଦାଳନରେ ଯୋଗ ଦିଅନ୍ତି । ପେଶୱାଠାରୁ କାବୁଲ ଯାତ୍ରା ଆରମ୍ଭ ହୁଏ । ସୀମାନ୍ତ ଗାନ୍ଧିଙ୍କ ସଂଗଠନ “ଖୁଦାଇ ଖିଦମତଗାର’ର ସଦସ୍ୟ ସଂଖ୍ୟା ଏକ ଲକ୍ଷରେ ପହଞ୍ଚôଥିଲେ । ଅନେକ ସମୟରେ ଭାରତୀୟ ଜାତୀୟ କଂଗ୍ରେସ ସହିତ ଏ ସଂସ୍କାର ନେଇ ମତଭେଦ ମଧ୍ୟ ହୋଇଛି କିନ୍ତୁ ଗାନ୍ଧିଙ୍କୁ ସବୁବେଳେ ସେ ସମ୍ମାନ କରୁଥିଲେ । ଏପ୍ରିଲ ୨୩, ୧୯୩୦ ମସିହାରେ ଲବଣ ସତ୍ୟାଗ୍ରହ ସମୟରେ ଗଫର ଖାନ୍ ଗିରଫ ହୁଅନ୍ତି । ଗଫର ଖାନଙ୍କ ଗରଫଦାରିକୁ ବିରୋଧ କରନ୍ତି ଖୁଦାଇ ଖିଦ୍ମତଗାରର ସଦସ୍ୟମାନେ । ବ୍ରିଟିଶ ସୈନିକଙ୍କ ଗୁଳିରେ ୨୦୦ରୁ ଅଢ଼େଇଶ ସଦସ୍ୟ ମୃତୁ୍ୟବରଣ କରନ୍ତି । ଶେଷରେ ଅହିଂସା ମାର୍ଗରେ ପ୍ରତିବାଦ କରୁଥିବା ଲୋକଙ୍କୁ ଗୁଳି କରିବେ ନାହିଁ କହିବାରୁ ବ୍ରିଟିଶ ସରକାର ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଶେଷ ପର୍ଯ୍ୟନ୍ତ ଗଫରଖାନ୍ ଅହିଂସା ମାର୍ଗରୁ ବିଚୁ୍ୟତ୍ ହୋଇନଥିଲେ । ନିକଟରେ ଆମେରିକା ତରଫରୁ ପ୍ରକାଶିତ ପିଲାଙ୍କ ଏକ ବହିରେ ବିଶ୍ୱକୁ ବଦଳାଇଥିବା ୨୬ଜଣ ବ୍ୟକ୍ତିଙ୍କ ଭିତରେ ଖାନ୍ ଅବଦୁଲ ଗଫର ଖାନଙ୍କୁ ସ୍ଥାନିତ କରିଛି ।

Leave A Reply