ଫୁଲବାଣୀ : ସମ୍ପ୍ରତି ମହାମାରୀ କୋରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଅନେକ ଦେଶ ତାଲା ବନ୍ଦ ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତରେ ମଧ୍ୟ ଗତ ମାର୍ଚ୍ଚ ୨୫ରୁ ତାଲାବନ୍ଦ ଜାରି ରହିଛି । ସାମାଜିକ ସଂକ୍ରମଣକୁ ଲକ୍ଷ୍ୟ କରାଯାଇ ତାଲାବନ୍ଦ ଘୋଷଣା ହେଇଥିବା ବେଳେ ଏହି ସମୟ ମଧ୍ୟରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । କେବଳ ଔଷଧ ଦୋକାନ ଓ ତେଜରାତି ଦୋକାନକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ପ୍ରଭାବ ସିଧାସଳଖ ପଡ଼ିଛି ବେସାହାରା ଜନସାଧାରଣଙ୍କ ଉପରେ । ଏହାକୁ ଦୃଷ୍ଟିରେ ରଖି ନିଜ ପ୍ରତି ଥିବା ସଂକ୍ରମଣର ଭୟକୁ ଖାତିର ନକରି ବହୁ ମହିଳା ସ୍ୱେଚ୍ଛାସେବୀ ଲୋକଙ୍କୁ ସଚେତନ କରିବାରେ ଲାଗିପଡ଼ିଛନ୍ତି ।
ଜିଲ୍ଲାରେ ଶହ ଶହ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଏଥିରେ ସାମିଲ୍ ଥିବା ବେଳେ ଅନେକ ବ୍ୟକ୍ତିଗତ ଭାବେ ମଧ୍ୟ ଏହି କରୋନା ଯୁଦ୍ଧରେ ସାମିଲ୍ ହୋଇଛନ୍ତି ଏହି ଲଢେଇରେ ।ବିଶେଷ କରି କୋରନା ଆଣିଛି କନ୍ଧମାଳ ଜିଲାରେ ବହୁ ମହିଳା ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ମାନବିକତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବହୁ ମହିଳା ସ୍ୱେଚ୍ଛାସେବୀ ବ୍ୟକ୍ତଗତ ଭାବେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବାର ଦେଖାଯାଇଛି । କିଏ ଗାଁରେ ଗାଁରେ ଯାଇ ସଚେତନା କରୁଛନ୍ତି ତ ପୁଣି କିଏ ମାକ୍ସ ବାଣ୍ଟୁଛନ୍ତି । ଆଉ କିଏ ରନ୍ଧାଖାଦ୍ୟ ଦେବାରେ ସହଯୋଗ କରୁଛନ୍ତି ।
ସେହିଭଳି କିଏ ଗ୍ରାମରେ ପ୍ରବେଶ କଲେ ଗାଁ ମୁହଁରେ ପଡ଼ିଥିବା ବାଡ଼ରେ ରହି ହାତ ଧୋଇବାରେ ସହଯୋଗ କରୁଛନ୍ତି । ସେହିଭଳି କିଏ ପଶୁ ପକ୍ଷୀ ମାନଙ୍କୁ ମଧ୍ୟ ଖାଦ୍ୟ ପ୍ରଦାନ କରିବାରେ ହାତ ବଢାଇଛନ୍ତି । ଏହି କାର୍ଯ୍ୟରେ ଖଜୁରିପଡ଼ାର ନିହାରିକା ବେହେରା ହେଉ କିମ୍ବା ଜି.ଉଦୟଗିରି ଅଞ୍ଚଳର ମମତା ଦାସ ଓ ଅଂଜୁମ୍ ଅହମ୍ମଦ କିମ୍ବା ଫିରିଙ୍ଗିଆର ପ୍ରିୟଦର୍ଶନୀ ପ୍ରଧାନ, ସାରଙ୍ଗଡ଼ର ମୌସୁମୀ ମୁଖୀ କିମ୍ବା ଫୁଲବାଣୀରେ ସସ୍ମିତା ସାହୁ,ମଧୁମିତା ନାୟକ, ଜ୍ୟୋତି ,ମାମୁନି ବିଶ୍ୱାଳ ଭଳି ଅନେକ ମହିଳା ସ୍ୱେଚ୍ଛାସେବି ମଧ୍ୟ ବର୍ତ୍ତମାନ କରୋନା ପ୍ରତିହତ ପାଇଁ ସାମାଜିକ କାର୍ଯ୍ୟରେସାମିଲ୍ ଅଛନ୍ତି । ସେହିଭଳି ମହିଳା କର୍ମୀ ରେହେମା ଖାତୁନ,ସୀତା ରଣା,ମନ୍ଦାକିନୀ ନାୟକ, ସୁବାସିନୀ ବେହେରା, ପୂର୍ଣ୍ଣିମା ନାୟକ, ଅଞ୍ଜନା ବେହେରା ଓ ବିଜେତା ନାୟକଙ୍କ ଭଳି ଅନେକ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ସାମିଲ୍ ଥିବା ବେଳେ ବହୁ ମହିଳା ନିର୍ବାଚିତ ଲୋକ ପ୍ରତିନିଧି ମଧ୍ୟ ସଚେତତନା ପାଇଁ ଅଣ୍ଟାଭିଡ଼ି ଗାଁ ଗାଁରେ ପହଞ୍ଚୁଥିବାର ଦେଖାଯାଇଛି ।
ମହିଳା ମାନେ ବିଶେଷ କରି ଗଳିକନ୍ଦିରେ ବୁଲି ଲୋକମାନଙ୍କୁ କୋରୋନାର କୁପରିଣାମ ଓ ଏଥିରୁ ନିଜକୁ ସୁରକ୍ଷିତ ରଖିବା ଉପାୟ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ସହ ଏହାକୁ ରୋକିବା ପାଇଁ ଜାରି କରାଯାଇଥିବା ସମସ୍ତ ସରକାରୀ ନିୟମ ମାନିବା ପାଇଁ ଶପଥ ପାଠ କରାଉଛନ୍ତି । ବିଭିନ୍ନ ଅଂଚଳରେ ମାସ୍କ ପିନ୍ଧିବା, ହାତଧୂଆ, ସାମାଜିକ ଦୂରତା ରକ୍ଷା କରିବା, ନିଜେ ସଫାସୁତୁରା ରହିବା ସହ ନିଜ ଅଂଚଳକୁ ପରିସ୍କାର ପରିଚ୍ଛନ୍ନ ରଖିବା, ବାହାରୁ ଆସୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସଠିକ୍ ତଥ୍ୟ ପ୍ରଦାନ କରିବା ଇତ୍ୟାଦି ସମ୍ପର୍କରେ ମଧ୍ୟ ବୁଝାଇବା ସହ କରୋନା ସମ୍ପର୍କୀତ ଲିଫ୍ଲେଟ୍ ପ୍ରଦାନ କରୁଛନ୍ତି ।
ଛୋଟ ପିଲା ଓ ବୟସ୍କାମାନଙ୍କୁ ମାସ୍କ ବଂଟନ ସହ ଏହାର ବ୍ୟବହାରର ଉପାୟ, କରୋନା ଯୋଦ୍ଧାଙ୍କୁ ପୁଷ୍ପ ପ୍ରଦାନ କରି ସମ୍ମାନିତ କରିବା ସହ ନିଜ ଅଂଚଳରେ ବୁଲୁଥିବା ଗାଈଗୋରୁଙ୍କୁ ଖାଇବାକୁ ଦେବାକୁ ମଧ୍ୟ ପଛାଉନାହାନ୍ତି । ସେହିପରି ଆଗକୁ ପନିପରିବା ମିଳିବାରେ ସମସ୍ୟା ଦେଖାଯିବାକୁ ଲକ୍ଷ୍ୟ କରି ନିଜ ଘରର ଖାଲି ଜାଗାରେ ଫଳମୂଳ ଗଛ ଲଗେଇବାକୁ ଉପଦେଶ ଦେଉଛନ୍ତି ।