ପୁରୀ,୨/୯ : ଭାରତର ଚାରିଧାମ ମଧ୍ୟରେ ଜଗନ୍ନାଥ ଧାମ ଅନ୍ୟତମ । ଏଠାରେ ଥିବା ସମୁଦ୍ରକୁ ମହୋଦଧି କୁହାଯାଏ । ମହୋଦଧିରେ ଅସ୍ତି ବିସର୍ଜନ, ତିଳତର୍ପଣ, ଶ୍ରାଦ୍ଧ, ଶୁଦ୍ଧିକ୍ରିୟା ଓ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ପରେ ସ୍ନାନ କରିବା ବିଧି ରହିଛି । ମହୋଦଧିର ଜଳକୁ ତୀର୍ଥଯାତ୍ରୀମାନେ ମୁଣ୍ଡରେ ଛିଞ୍ଚିବା ସହ ଏହି ପାଣିକୁ ନେଇଥାନ୍ତି । ପ୍ରତି ଅମାବାସ୍ୟା ଦିନ ଶ୍ରୀମନ୍ଦିରରୁ ଅମାବାସ୍ୟା ନାରାୟଣ ବିମାନରେ ସମୁଦ୍ରକୁ ବିଜେ କରିଥାନ୍ତି । ଏହି ପୁଣ୍ୟ ମହୋଦଧିକୂଳରେ ଧାର୍ମିକ ଭାବଧାରା ନଷ୍ଟକରି ବିଦେଶୀ ସଂସ୍କୃତି ପ୍ରଭାବରେ କରାୟତ କରିବା ପାଇଁ ଚେଷ୍ଟା ଚାଲିଛି । ନିକଟରେ ବ୍ଲୁଫ୍ଲାଗ୍ ବିଚ୍ ନାମରେ ଏକ ସଂସ୍ଥା ସମୁଦ୍ର ଭିତରେ ବାଡ ପକାଇଥିବା ଦେଖିବାକୁ ମିଳିଛି । ପର୍ଯ୍ୟଟକମାନେ ଗାନ୍ଧୀଘାଟଠାରୁ ବାଙ୍କିମୁହାଣ ପର୍ଯ୍ୟନ୍ତ ସମୁଦ୍ରକୂଳରେ ଯିବାଆସିବା କରିବାରେ ପ୍ରତିବନ୍ଧକ ଳଗାଯାଇଛି । ଆଇନ ଅମାନ୍ୟ କରି ଯେଉଁ ପର୍ଯ୍ୟଟକ ତୀର୍ଥଯାତ୍ରୀ, ସ୍ଥାନୀୟ ଲୋକ ଏହି ସୀମା ଭିତରେ ପ୍ରବେଶ କରିବେ ସେମାନଙ୍କ ପାଇଁ ଜେଲ ଜୋରିମାନ ବ୍ୟବସ୍ଥା ରହିଥିବା କୁହାଯାଉଛି । ପୂର୍ବରୁ ଥିବା ନୀଳାଚଳ ଅଶୋକ ହୋଟେଲ ଭିତରେ ଏକ ନୂଆ ରାସ୍ତା ନିର୍ମାଣ କରାଯାଇ ପାର୍କିଂ ଓ ଟିକେଟ ବ୍ୟବସ୍ଥା କରାଯାଉଛି । ଏହା ଖୁବଶୀଘ୍ର ଉଦଘାଟିତ ହୋଇ କାର୍ଯ୍ୟକ୍ଷମ ହେବ । କଟେଜ ବ୍ୟବସ୍ଥା, ସୁଇମିଂ, ବୋଟିଂ, ଚିଲେଡ୍ରେନ ପାର୍କ, ଫୁଡଷ୍ଟଲ, ସ୍ନାକ୍ସ, କଫି, ଟି, ସପ୍ଟଡ୍ରିଙ୍କସର ବ୍ୟବସ୍ଥା ରହିଥିବା କୁହାଯାଇଛି । ଗୋଆ ବିଚଠାରୁ ଏହାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ଜଣାପଡିବା ପରେ ସଂସ୍କୃତି ପ୍ରେମୀମାନେ ଏହାକୁ ବିରୋଧ କରିବା ଆରମ୍ଭ କଲେଣି ।
