Odisha news

ଯୁବ ବୈଜ୍ଞାନିକ ହେମନ୍ତ : କମାର ସାହିରୁ ନାସା

ବାଦଲ ଭୂୟାଁ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାଇଛନ୍ଦା ଗ୍ରାମର କମାର ସାହି । ଏହି ସାହିକୁ ଯିବାକୁ ଭଲ ରାସ୍ତା ଖଣ୍ଡେ ନାହିଁ । ଆଉ ସେଭଳି କିଛି କାମ ନପଡ଼ିଲେ କାହାରି ପାଦ ସହଜରେ ସେଠାରେ ପଡ଼େ ନାହିଁ । କିନ୍ତୁ ଆଜି ସେହି ଅମଡ଼ା ସାହିକୁ ସାରା ଦେଶରେ ପରିଚିତ କରିବାରେ ସଫଳ ହୋଇଛନ୍ତି ଯୁବ ବୈଜ୍ଞାନିକ ପଚିଶ ବର୍ଷ ବୟସ୍କ ହେମନ୍ତ ଓଝା ଓରଫ ପପୁ । ମା’ ସାବିତ୍ରୀ ଓ ପିତା ଅର୍ଜ୍ଜୁନ ଓଝାଙ୍କ ସାନ ପୁଅ ହେମନ୍ତଙ୍କ ସାଧନା ଆଗରେ ଦାରିଦ୍ର୍ୟ, ଅଭାବ ଅନଟନ ସବୁକିଛି ଗୁରୁତ୍ୱହୀନ ହୋଇପଡ଼ିଛି । ସ୍ଥିର, ଅବିଚଳିତ ଭାବରେ ଲକ୍ଷ୍ୟ ପଥରେ ଅଗ୍ରସର ହେବାର ସଂକଳ୍ପ ହେମନ୍ତଙ୍କୁ ଏକ ବଡ଼ ସଫଳତା ଆଣିଦେଇଛି ।

ଆମେରିକାସ୍ଥିତ ବୈଜ୍ଞାନିକ ଗବେଷଣା କେନ୍ଦ୍ର ନାସାରେ ଯୋଗ ଦେବାର ସୁଯୋଗ ତାଙ୍କୁ ମିଳିଛି । ଇସ୍ରୋରୁ ପତ୍ର ପାଇବା ପରେ ଏହି ଯୁବବୈଜ୍ଞାନିକଙ୍କ ନାସାରେ ଯୋଗଦାନ ଓଡ଼ିଶାବାସୀଙ୍କ ସହ ସମଗ୍ର ଦେଶବାସୀଙ୍କ ପାଇଁ ବହୁତ ବଡ଼ ଗୌରବ । ଏଥିପାଇଁ ଇସ୍ରୋରୁ ତାଙ୍କ ନିକଟକୁ ପତ୍ର ଆସିଛି । ଯୁବ ବୈଜ୍ଞାନିକ ଭାବରେ ନାସାରେ କାର୍ଯ୍ୟ କରିବାର ସଫଳତା ସମଗ୍ର ଦେଶବାସୀଙ୍କ ପାଇଁ ଗୌରବ ଆଣି ଦେଇଛି । ହେମନ୍ତଙ୍କୁ ଅଭିନନ୍ଦନ ଜଣାଇବାକୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ଗାଁକୁ ଛୁଟି ଆସୁଛନ୍ତି । ଆଉ ଏହା ଦେଖି ଗାଁ ଲୋକଙ୍କ ଛାତି ଖୁସିରେ କୁଣ୍ଢେମୋଟ ହୋଇଯାଉଛି । ସମଗ୍ର ବିଶ୍ୱରେ ପାଣିପାଗ ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଘଟୁଛି ।

ବାୟୁମଣ୍ଡଳ ଦୂଷିତ ହେଉଛି । ଏହା ମାନବ ସମାଜ ଉପରେ କୁପ୍ରଭାବ ପକାଉଛି, ଯାହାକି ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ସମସ୍ୟା ତାଙ୍କୁ ବ୍ୟଥିତ କରିଥିବାରୁ ଏ ଦିଗରେ ଗବେଷଣା ଜାରି ରଖିଛି । ଆଗକୁ ଆହୁରି ଅନେକ ବାଟ ଯିବାକୁ ଅଛି । ତାଙ୍କ କହିବା ଅନୁଯାୟୀ ପିଲାବେଳେ ଖେଳନାକୁ ଖୋଲି ପୁଣି ଯୋଡ଼ିବାରେ ଆଗ୍ରହ ରଖୁଥିଲି । ଧୀରେ ଧୀରେ ଭଙ୍ଗା ଜିନିଷକୁ ଯୋଡ଼ି ନୂଆ ତିଆରି କରିବାରେ ଆଗ୍ରହ ଜନ୍ମିଲା । ବିଗିଡ଼ି ଯାଉଥିବା ପରିବେଶ, ପାଣିପାଗ, ଜଳବାୟୁକୁ ଦେଖି ମନ ଆନେ୍ଦାଳିତ ହେଲା । ତେଣୁ ଏ ଦିଗରେ ଗବେଷଣା କରିବାକୁ ପ୍ରେରଣା ପାଇଲି । ଦୀର୍ଘ ୧୦ ବର୍ଷର ଅବିରତ ଅଭିଯାନ ଯୋଗୁଁ ଏହି ସ୍ଥାନରେ ପହଞ୍ଚô ପାରିଛି । ୨୦୦୯ ମସିହାରେ ପିସି ଘଡ଼େଇ ବିଦ୍ୟାଳୟରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାପରେ ଆର୍ଥିକ ଅନଟନ ପାଠ ପଢ଼ାରେ ବାଧା ସୃଷ୍ଟି କରିଥିଲା ।

ଏ କ୍ଷେତ୍ରରେ ତାଙ୍କ ବଡ଼ଭାଇ ଗୌରାଙ୍ଗ ଓଝାଙ୍କ ପ୍ରେରଣା ପାଠପଢ଼ା ଓ ଗବେଷଣାରେ ବେଶ ସହାୟକ ହେଲା । ଅର୍ଥ ଅଭାବରୁ ଯୁକ୍ତ ଦୁଇ ଓ ତିନି ଶ୍ରେଣୀରେ ବର୍ଷେ ଲେଖାଏ ପାଠ ପଢ଼ାରୁ ବଞ୍ଚôତ ହୋଇଥିଲେ ଓ ପରେ ରେଭେନ୍ସା ମୁକ୍ତ ବିଶ୍ୱବିଦ୍ୟାଳୟରେ ବିଜ୍ଞାନ ସ୍ନାତକୋତ୍ତର ପାସ କରିଥିଲେ । କଲେଜ ପଢ଼ିବା ସମୟରେ ଘରର ଅଥଁକୁ ଅପେକ୍ଷା ନକରି ଟୁ୍ୟସନ କରି ପାଠପଢ଼ା ଖର୍ଚ୍ଚ ତୁଲାଇବା ସହ ଗବେଷଣା ପ୍ରତି ମନୋନିବେଶ କରିଥିଲି ସେ । ତାଙ୍କର ନାସାକୁ ଯିବା ପାଇଁ ରାସ୍ତା ସେତେ ସୁଗମ ନଥିଲା ।

ମାଡ୍ରାସ ୟୁନିଭର୍ସିଟି ଅଧୀନରେ ପିଏଚ୍ଡି କରୁଥିବା ସମୟରେ ନାନା ପ୍ରକଳ୍ପ ପ୍ରଦର୍ଶନୀ ହୋଇଥିଲା । ଯେଉଁଥିରେ ଜଳବାୟୁ ପରିବର୍ତ୍ତନ, ପୂର୍ବାନୁମାନ ଓ ଉପଗ୍ରହ ମାଧ୍ୟମରେ ବାର୍ତ୍ତା ପ୍ରେରଣ ସମ୍ପର୍କିତ ପ୍ରକଳ୍ପ ସେ ପ୍ରସ୍ତୁତ କରିଥିଲେ ଓ ଏହି ପ୍ରକଳ୍ପ ବିଚାର ମଣ୍ଡଳୀଙ୍କୁ ସନ୍ତୁଷ୍ଟ କରିବା ସହ ଭାରତ ସରକାରଙ୍କ ପକ୍ଷରୁ ନାସା ଯିବାକୁ ସେ ମନୋନୀତ ହୋଇଥିଲେ । ତାଙ୍କ ସହ ଆଉ ଚାରିଜଣ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଉକ୍ତ ପ୍ରକଳ୍ପ ବିଚାରକଙ୍କୁ ସନ୍ତୁଷ୍ଟ କରିଥିଲା । ମୋଟ ୧୩ଟି ଦେଶରୁ ୬୦ଜଣ ପିଲା ନାସାକୁ ଯାଇଥିଲେ । ନାସାରେ ତାଙ୍କ ପ୍ରାଥମିକ ଅନୁଭୂତି ସମ୍ପର୍କରେ ସେ କହିଥିଲେ ଯେ ନାସାରେ ମୋ ପ୍ରକଳ୍ପକୁ ନେଇ ୮ଟି ବିଷୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ମୁଁ ୭ଟି ବିଷୟରେ ପରୀକ୍ଷା ଦେଇଥିଲି । ସ୍ୱାସ୍ଥ୍ୟାବସ୍ଥା କାରଣରୁ ଗୋଟିଏ ବିଷୟରେ ପରୀକ୍ଷା ଦେଇ ପାରି ନଥିଲି । ମୋଟ ସାତଟି ପରୀକ୍ଷାରୁ ପାଞ୍ଚଟି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦୁଇଟିରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିଲି । ମୋର ଏହି ସଫଳତା ନାସାରେ ଯୁବ ବୈଜ୍ଞାନିକ ଭାବରେ ଯୋଗ ଦେବାର ସୁଯୋଗ ସୃଷ୍ଟି କରିଥିଲା । ତାଙ୍କ ଜୀବନର ଲକ୍ଷ୍ୟ ହେଉଛି, ଅନ୍ୟ ଗ୍ରହରେ ଜୀବ ସତ୍ତା (ଏଲିଏନ୍ସ) ରହିଛି ଓ ସେ ଏ ଦିଗରେ ଅଧିକରୁ ଅଧିକ ଜାଣିବା ଓ ନୂଆ ତଥ୍ୟ ବିଶ୍ୱବାସୀଙ୍କୁ ଜଣାଇବା । ତାଙ୍କ ଜୀବନର ଖଟାମିଠା ଅନୁଭୂତି ମଧ୍ୟ ସେ ବଖାଣିଛନ୍ତି । ତାଙ୍କ କହିବା ଅନୁଯାୟୀ ପରିବାରର ଆର୍ଥିକ ଦୁର୍ବଳସ୍ଥିତି ମୋତେ ଅଳ୍ପରେ ଚଳିବା ଶିଖାଇ ଥିଲା । ନାସାକୁ ଯିବା ପାଇଁ ଭାରତ ସରକାର ସବୁ ଖର୍ଚ୍ଚ ବହନ କରିଥିଲେ । ହେଲେ ହାତ ଖର୍ଚ୍ଚ ବାବଦକୁ ଦୁଇ ଲକ୍ଷ ଟଙ୍କା (୨୮୦୦ ଡଲାର) ଦରକାର ଥିଲା । ସେତିକି ଟଙ୍କା ଯୋଗାଡ଼ କରିବାର ଘର ଲୋକଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଥିଲା ।

ନୂଆ ପିଢ଼ୀଙ୍କୁ ସେ ତାଙ୍କ ମାର୍ଗଦର୍ଶନ କରି କହିଛନ୍ତି ପେସାକୁ ଲକ୍ଷ୍ୟରଖି କାର୍ଯ୍ୟ କଲେ ହୁଏତ ରୋଜଗାର ସଂସ୍ଥା ମିଳିଯାଇ ପାରେ । ହେଲେ କାର୍ଯ୍ୟ ନିଶାରେ ପରିଣତ ହେଲେ ବଡ଼ ସଫଳତା ମିଳିଥାଏ । କାମ ସାରିବା ମୋର ନିଶା ଥିଲା । ସେ ନିଶା ମୋର ରାତିଦିନକୁ ଏକ କରି ଦେଇଥିଲା । ସେହିଭଳି ଆଗାମୀ ପିଢ଼ି ବଡ଼ ବଡ଼ ସ୍ୱପ୍ନ ଦେଖନ୍ତୁ ଏବଂ କାମକୁ ନିଶାରେ ପରିଣତ କରନ୍ତୁ । ସଫଳତା ଆପେ ପଛରେ ଗୋଡ଼ାଇବ । ନିଜ ମାତୃଭୂମି ଓଡ଼ିଶାକୁ ସେ ବେଶ ଭଲ ପାଉଛନ୍ତି ଏବଂ ଓଡ଼ିଶା ବିଷୟରେ ତାଙ୍କ ମତ ହେଉଛି ଏଠାରେ ବହୁତ ସମ୍ଭାବନା ରହିଛି । ସମ୍ଭାବନାର ସଦୁପଯୋଗ ହୋଇପାରିଲେ ରାଜ୍ୟ ବହୁତ ଆଗେଇପାରିବ । ପ୍ରତିଭାଙ୍କୁ ଠିକ୍ ପ୍ରେରଣା, ପ୍ରୋତ୍ସାହନ ଓ ଭିତ୍ତିଭୂମି ମିଳିଲେ ରାଜ୍ୟରେ ବହୁ ବୈଜ୍ଞାନିକ ସୃଷ୍ଟି ହୋଇପାରିବେ ।

IEC 2 years

Comments are closed.