Odisha news

ରବିବାର ସ୍କୁଲ ଖୋଲିବା କେତେ ଯଥାର୍ଥ ?

ହିମାଂଶୁ ଶେଖର ଆଚାର୍ଯ୍ୟ : କରୋନା ମହାମାରୀ ଯୋଗୁଁ ଦୀର୍ଘ ୧୦ମାସ ଧରି ସ୍କୁଲ- କଲେଜ ବନ୍ଦ ରହିଥିଲା । ଏହାସହ ଛାତ୍ରଛାତ୍ରୀମାନେ ପାଠ ପଢାରୁ ବଞ୍ଚିତ ହୋଇଥିଲେ । ଏବେ ଜାନୁଆରୀ ୮ତାରିଖରୁ ସ୍କୁଲ ଖୋଲିଥିଲେ ମଧ୍ୟ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ କ୍ଲାସ ଆରମ୍ଭ ହୋଇଛି । ସେହିପରି ଜାନୁଆରୀ ୧୧ ତାରିଖରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିଛି । ହେଲେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଶିକ୍ଷାନୁଷ୍ଠାନରେ ୧୦୦ଦିନ ପାଠପଢା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଏହି ୧୦୦ ଦିନ ମଧ୍ୟରେ ଅନ୍ଲାଇନରେ ପଢାଯାଇଥିବା ପାଠ ପୁଣିଥରେ ଅଫ୍ଲାଇନରେ ଆରମ୍ଭ ହୋଇଛି । ୧୦୦ଦିନ ଭିତରେ କୋର୍ସ ସାରିବାକୁ କୁହାଯାଇଛି । ସେଥିପାଇଁ ରାଜ୍ୟ ସରକାର ଶନିବାର ପାଠପଢା ସମୟରେ ପରିବର୍ତ୍ତନ କରିଛନ୍ତି । ସବୁଦିନ ଭଳି ଶନିବାର ମଧ୍ୟ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଠପଢାଯିବ । ଏପରିକି ରବିବାର ଛୁଟି ଦିନରେ ବି ପାଠ ପଢାଯିବ । ସେହିପରି ଫେବୃଆରୀ ଶେଷ ସପ୍ତାହରେ ଖୋଲିବ ପ୍ରାଥମିକ ସ୍କୁଲ । ଏସ୍ଆର୍ସି ମାର୍ଗଦର୍ଶିକା ଆନୁସାରେ ଏସଓପି ଶେଷ ପର୍ଯ୍ୟାୟରେ । ତେବେ ସରସ୍ୱତୀ ପୂଜା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲବାକୁ ଯୋଜନା ହୋଇଥିବା ଜଣାପଡିଛି । ଏଥିପାଇଁ ସବୁ ବନେ୍ଦାବସ୍ତ ହୋଇସାରିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ,ସ୍କୁଲ କଲେଜ ଖୋଲିବା ପୂର୍ବରୁ ସବୁ ଜିଲ୍ଲାକୁ ନୋଡାଲ ଅଫିସର ଯାଇ ଶିକ୍ଷନୁଷ୍ଠାନ ପରିସର ପରିଦର୍ଶନ କରିଛନ୍ତି । ବିଶେଷକରି ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦିଆଯାଇଛି । ସ୍କୁଲ ଚାଲୁଥିବା ବେଳେ ହଠାତ୍ ଯଦି କାହା ଦେହରେ କୋଭିଡ ଲକ୍ଷଣ ଦେଖାଯାଏ ତେବେ ସେଠାରେ ସେମାନଙ୍କୁ ପ୍ରତି ସ୍କୁଲରେ କରାଯାଇଥିବା ଆଇସୋଲେସନ୍ ରୁମ୍ରେ ରଖି ନିକଟସ୍ଥ ମେଡିକାଲ ଟିମ୍କୁ ସୂଚନା ଦେବାକୁ ନିଦେ୍ର୍ଦଶ ଦିଆଯାଇଛି । ସିବିଏସ୍ଇ ପକ୍ଷରୁ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରାଯାଇଛି ।

ରାଜ୍ୟରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ପରୀକ୍ଷାକୁ ନେଇ ଥିବା ଅନେକ ଦ୍ୱନ୍ଦ ଥିବାବେଳେ ବୁଧୁବାର ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକରେ ମାଟ୍ରିକ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫର୍ମ ପୂରଣ ନିମନ୍ତେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ମାଧ୍ୟମିକ ଶିକ୍ଷା ପରିସର ଅଧୀନରେ ମାଟ୍ରିକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ୮୦ ମାର୍କ ପରୀକ୍ଷା ଦେବେ । ପ୍ରଶ୍ନପତ୍ରରେ ୫୦ ମାର୍କର ଅବଜେକ୍ଟିଭ ଓ ୩୦ ମାର୍କ ସବଜେକ୍ଟିଭ ପ୍ରଶ୍ନ ରହିବ । ତେବେ ଫଳାଫଳ ପ୍ରକାଶ ସମୟରେ ୧୦୦ ମାର୍କକୁ ହିସାବକୁ ନିଆଯିବ । ପରୀକ୍ଷା ଦେଇଥିବା ୮୦ ମାର୍କ ମଧ୍ୟରୁ ପରୀକ୍ଷାର୍ଥୀ ଯେତେ ନମ୍ବର ପାଇବେ ତାହାକୁ ଆଧାରକରି ଅବଶିଷ୍ଟ ୨୦ ମାର୍କର ମୂଲ୍ୟାୟନ କରାଯିବ । ତେବେ ଦ୍ୱାଦଶ ଶ୍ରେଣୀ ତଥା ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ମାର୍କ କମିବନି । ସେମାନେ ୧୦୦ମାର୍କର ପରୀକ୍ଷା ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

ସୂଚନାଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ ରୁମ୍ ପାଠପଢା ଓ ପରୀକ୍ଷା ଅନୁଷ୍ଠିତ ହେବ । ସେମିଷ୍ଟର ପରୀକ୍ଷା ବ୍ୟବସ୍ଥାରେ ୟୁଜିର ପଞ୍ଚମ ଓ ପିଜିର ୩ୟ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଠପଢା ଜାନୁଆରୀ ୧୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ । ମାର୍ଚ୍ଚ ୧୬ରୁ ୩୧ ମଧ୍ୟରେ ଉଭୟ ସେମିଷ୍ଟରର ପରୀକ୍ଷା କରାଯିବ ଏବଂ ଏପ୍ରିଲ ୩୦ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ । ୟୁଜିର ଷଷ୍ଠ ଓ ପିଜିର ଚତୁର୍ଥ ସେମିଷ୍ଟର ପାଠପଢା ଏପ୍ରିଲ ୨ରୁ ଜୁନ୍ ୧୫ ପର୍ଯ୍ୟନ୍ତ ଚାଲିବ । ଜୁନ୍ ୧୬ରୁ ୩୦ ତାରିଖ ମଧ୍ୟରେ ଶେଷ ସେମିଷ୍ଟର ପରୀକ୍ଷା ହେବ ଏବଂ ଜୁଲାଇ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ । ବାର୍ଷିକ ପରୀକ୍ଷା ବ୍ୟବସ୍ଥାରେ ଜାନୁଆରୀ ୧୧ ରୁ ଜୁନ୍ ୧୦ ମଧ୍ୟରେ ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢା ହେବ । ଜୁନ୍ ୧୧ରୁ ୩୦ ମଧ୍ୟରେ ପରୀକ୍ଷା ହେବା ସହ ଜୁଲାଇ ୧୫ରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

ପୂର୍ବରୁ ଅନ୍ଲାଇନରେ ପାଠପଢା ହୋଇଥିଲେ ମଧ୍ୟ ପାଠ୍ୟକ୍ରମର ସମସ୍ତ ବିଷୟକୁ ଏହି ପାଠପଢା ମଧ୍ୟରେ ସାମିଲ କାରଯିବ । ଏପରିକି କ୍ଲାସରୁମ୍ ପାଠପଢାର ରେକଡିଂ କରାଯାଇ ତାହାକୁ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି । ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତା ମୂଳକ କରାଯିବ ସହ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଦୀର୍ଘ ଦିନପରେ ସ୍କୁଲ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି । ତେବେ ଅଭିଭାବକ ଅଭିଭାବିକା, ଛାତ୍ରଛାତ୍ରୀ, ଶିକ୍ଷକ, ଅଧ୍ୟାପକମାନଙ୍କର ଏବେ ଗୁରୁଦାୟିତ୍ୱ । ବିଶେଷକରି ଅଭିଭାବକ ଅଭିଭାବିକାମାନେ ମଧ୍ୟ ସେମାନଙ୍କ ପିଲାଙ୍କୁ କୋଭିଡ କଟକଣା ଭିତରେ ସ୍କୁଲ କଲେଜ ପଠେଇବା ଉଚିତ ।

ସାଧାରଣତଃ ସାତ ବାର ମଧ୍ୟରୁ ରବିବାରର ସ୍ଥାନ ସ୍ୱତନ୍ତ୍ର । ଏହି ଦିନ କାର୍ଯ୍ୟରତ କର୍ମଚାରୀମାନେ ଛୁଟିଦିନ ଭାବେ ପାଳନ କରିଥାନ୍ତି । ବହୁ ଦିନରୁ ଏକଥାଟି ପ୍ରଚଳିତ ହୋଇଆସୁଛି । କାରଣ ସପ୍ତାହକରେ ଗୋଟିଏ ଦିନ ବିଶ୍ରାମ ପାଇଁ ମିଳିଥାଏ । ବିଶେଷକରି ଶିକ୍ଷାନୁଷ୍ଠାନରେ ପଢୁଥିବା ବିଦ୍ୟାର୍ଥୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନେ ରବିବାର ଦିନଟିକୁ ମାନସିକ ସ୍ତରରେ ମନକୁ ଟିକେ ହାଲ୍କା କରିବାର ସୁଯୋଗ ପାଇଥାନ୍ତି । ୬ଦିନର ପାଠପଢାପରେ ଭାରାକ୍ରାନ୍ତ ମନକୁ ଲାଘବ କରିବାର ଏହା ସମସ୍ତଙ୍କ ପାଇଁ ଏକ ଅବସର । ଏଇଠି ମନେପଡେ ୧୯୭୬ ମସିହାର କଥା । ସେହିବର୍ଷ ମୁଁ ମାଟ୍ରିକ୍ ପରୀକ୍ଷା ଦେଉଥାଏ ।

ସେ ବର୍ଷ ପ୍ରଶ୍ନ ପତ୍ରରେ ଓଡିଆରୁ ଇଂରାଜୀ ଅନୁବାଦ କରିବା ପାଇଁ ଦୁଇଟି ଧାଡିଥିଲା -ଆଜି ରବିବାର, ସ୍କୁଲ ଛୁଟି । ତେଣୁ ମୁଁ ସ୍କୁଲକୁ ଯିବି ନାହିଁ । କିନ୍ତୁ ୨୦୨୧ ମସିହାରେ କରୋନା ଆଣିଛି ଅନେକ ପରିବର୍ତ୍ତନ । ସେହି ପରିବର୍ତ୍ତନ ମଧ୍ୟରେ ମୋ ମାଟ୍ରିକ ପରୀକ୍ଷା ସରିବାର ୪ ଦଶନ୍ଧି ପରେ ମୁଁ ଦେଖୁଛି ରବିବାର ସ୍କୁଲ ଓ କଲେଜରେ ହେଉଛି ପାଠପଢା । ରବିବାର ଦିନ ଶିକ୍ଷାଦାନ ବନ୍ଦ କରିବାର ଉଦେ୍ଦଶ୍ୟ ଥିଲା ଶିକ୍ଷକ, ଅଧ୍ୟାପକ ଓ ବିଦ୍ୟାର୍ଥୀ ମାନଙ୍କୁ ସପ୍ତାହରେ ଗୋଟିଏ ଦିନ ବିଶ୍ରାମ ଦେବା । ଏ ପ୍ରସଙ୍ଗଟିର ଗୁରୁତ୍ୱ ଏବେବି ରହିଛି ।

ବିଳମ୍ବରେ ହେଲେବି ରବିବାର ଛୁଟି ନମିଳିଲେ ଶିକ୍ଷାଦାନରେ ଅସହଯୋଗ କରିବାକୁ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ପକ୍ଷରୁ କୁହାଯାଇଛି । ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ, ଶିକ୍ଷକମାନେ ଗୋତି ଶ୍ରମିକ ନୁହନ୍ତି । ସପ୍ତାହର ୬ଦିନ କାମକରିବା ପରେ ଦିନେ ଛୁଟି ନେବା ଶିକ୍ଷକଙ୍କର ଅଧିକାର । ଅନ୍ୟାନ୍ୟ ସରକାରୀ କର୍ମଚାରୀମାନେ ସପ୍ତାହକରେ ରବିବାର ଦିନଟି ଛୁଟି ପାଇବା ସହ ମାସକର ୪ଟି ଶନିବାର ଏବେ ଛୁଟି ପାଉଛନ୍ତି । ଶିକ୍ଷକ ଓ ଅଧ୍ୟାପକଙ୍କ କ୍ଷେତ୍ରରେ ଏଭଳି ଅବିଚାର ଯଥାର୍ଥ ନୁହେଁ ।

ଏହାସହ ୧୮୮୬ ମସିହାରୁ ନିର୍ଦ୍ଧାରିତ ହୋଇଥିବା ଆଦର୍ଶ ଶ୍ରମଆଇନର ଖୋଲାଖୋଲି ଉଲଙ୍ଘନ କରାଯାଉଛି ବୋଲି କହିଛନ୍ତି ଶ୍ରୀ ମହାନ୍ତି । ରାଜ୍ୟ ସରକାର ଏଦିଗରେ ପୁନଃ ବିଚାର କରିବା ପାଇଁ ଶିକ୍ଷକ ଓ ଅଧ୍ୟାପକ ମହଲରେ ଆଲୋଚନା ହେଉଛି । ବୁଦ୍ଧିଜୀବୀମାନଙ୍କ ମତରେ କରୋନା ଯୋଗୁଁ ୧୦ମାସର ଶିକ୍ଷାଦାନ ଠପ୍ ହୋଇଯାଇଛି । ୧୦୦ଦିନ ପାଠପଢାରେ ଏ କ୍ଷତି ଭରଣା ହୋଇପାରିବ ନାହିଁ । ଏହି ୧୦୦ ଦିନ ଭିତରେ ୧୨ରୁ ୧୪ଟି ରବିବାର ପଡିପାରେ । ଏତିକି ଦିନ ପାଠପଢା ବନ୍ଦ ହୋଇଗଲେ ଶିକ୍ଷାଦାନ ଓ ବିଦ୍ୟାର୍ଥୀଙ୍କ ଉପରେ ସେପରି ବଡଧରଣର ଫରକ ପଡିବ ନାହିଁ । ଏଇଠି ଗୋଟିଏ କଥା ମନକୁ ଆସେ, ଶୋଷ ନକରୁଥିବା ପ୍ରାଣୀଟିକୁ ଯଦି ଆମେ ବେକରେ ଶିକୁଳି ବାନ୍ଧି ନଈରେ ତା ମୁହଁକୁ ଜୋର ଜବରଦସ୍ତ ପାଣିରେ ବୁଡାଇବା ସେ ପାଣି ପିଇବ ନାହିଁ ।

ସେହିପରି ବାଧ୍ୟବାଧକତା ଭିତରେ ଶିକ୍ଷକ ଓ ବିଦ୍ୟାର୍ଥୀମାନଙ୍କୁ ରବିବାର ପାଠ ପଢାଇବା ପାଇଁ ଅଣାଯାଇପାରେ । କିନ୍ତୁ ତାହା ଦ୍ୱାରା ପ୍ରକୃତ ଲକ୍ଷ୍ୟ ହାସଲ କରାଯାଇପାରିବ ନାହିଁ ।ଖାଲି ସେତିକି ନୁହେଁ ରବିବାରରେ ପାଠପଢିବା ପାଇଁ ବିଦ୍ୟାର୍ଥୀମାନଙ୍କ ଆଗ୍ରହ ରହିବ ନାହିଁ । ବରଂ ଗୋଟିଏ ଦିନର ବିଶ୍ରାମ ଶିକ୍ଷକ ଓ ବିଦ୍ୟାର୍ଥୀଙ୍କ ପାଇଁ ଆଶ୍ୱସ୍ତି ଆଣିବ । ସେଇଥିପାଇଁତ କୁହାଯାଏ- ‘ଶ୍ରଦ୍ଧାବାନ୍ ଲଭତେ ଜ୍ଞାନମ୍’ । ତେଣୁ ରବିବାର ଦିନ ପାଠପଢା ବନ୍ଦ ରଖିବା ପାଇଁ ସରକାର ପୁନଃବିଚାର କଲେ ତାହା ସମସ୍ତଙ୍କ ପାଇଁ ହିତକର ହେବ ।

Comments are closed.