ସୌଭାଗ୍ୟବତୀ ଗିରି , ଶିକ୍ଷୟିତ୍ରୀ ,ପଟ୍ଟାମୁଣ୍ଡାଇ , କେନ୍ଦ୍ରାପଡା : ସେଦିନ ବି କେତେ ମହାନ୍ ଥିଲା ଯେଉଁଦିନ ସ୍ୱୟଂ ମା’ ସାବିତ୍ରୀ ମାନବୀ ର ରୂପ ନେଇ ରାଜା ଅଶ୍ୱପତିଙ୍କ ଅଗଣାକୁ ଓହ୍ଲେଇ ଆସିଥିଲେ l ସମୟର ଚକ୍ରରେ ଘୁରିଘୁରି ସାବିତ୍ରୀ ଯୌବନରେ ପାଦ ଦେଲେ lସତ୍ୟବାନ୍ ଙ୍କ ଆୟୁଷ ଆଉ ମାତ୍ର ଏକବର୍ଷ ଅଛି ଜାଣିଲା ପରେ ବି,ସତ୍ୟବାନ୍ ଙ୍କ ପିତୃଭକ୍ତି ଓ ଧର୍ମପରାୟଣ ଗୁଣରେ ମୁଗ୍ଧ ହୋଇ ସାବିତ୍ରୀ ତାଙ୍କୁ ପତି ରୂପେ ବରଣ କରିଥିଲେ l ଠିକ୍ ଏକବର୍ଷ ପରେ ସତ୍ୟବାନ୍ ମୃତ୍ୟୁ ଭଳି ଗୋଟେ ନିଷ୍ଠୁର ସତ୍ୟକୁ ଗ୍ରହଣ କରି ଶୋଇଯାଇଥିଲେ ମୃତ୍ୟୁର ମହାନିଦ୍ରାରେ l
କିନ୍ତୁ ମା’ ସାବିତ୍ରୀଙ୍କ କୋଳରେ ତାଙ୍କ ମଥା ଥିବାରୁ ଯମଦୂତଗଣ ତାଙ୍କୁ ନେଇ ନ ପାରି ନିରାଶ ହୋଇ ଫେରି ଯାଇଥିଲେ ଏବଂ ସ୍ୱୟଂ ଯମରାଜଙ୍କୁ ନିଜ ମଇଁଷି ବାହନରେ ଓହ୍ଲାଇ ଆସିବାକୁ ପଡିଥିଲା ଧରାପୃଷ୍ଠକୁ l ସେ ସତ୍ୟବାନ୍ ଙ୍କୁ ସାଙ୍ଗରେ ନେବାରେ ସମର୍ଥ ହୋଇଥିଲେ ବି ପର ମୁହୁର୍ତ୍ତ ରେ ପୁଣି ହାର ମାନିଥିଲେ l ମା’ ସାବିତ୍ରୀ ଯମରାଜଙ୍କୁ ଅନୁଗମନ କରିଥିଲେ ଏବଂ ନିଜ ପତିଭକ୍ତି ଓ ନିଷ୍ଠାର ପରକାଷ୍ଠା ଦେଖାଇ ଯମରାଜଙ୍କ ଠାରୁ ଫେରାଇ ଆଣିଥିଲେ ସ୍ୱାମୀ ସତ୍ୟବାନ୍ ଙ୍କ ଜୀବନ lସେଦିନ ତାଙ୍କ ପାଖେ ନା ଥିଲା ଦାମୀ ଶାଢୀ ନା ଥିଲା ବହୁମୂଲ୍ୟ ଗହଣା l କେବଳ ଥିଲା ସୁହାଗିନୀ ର ସନ୍ତକ ଶଙ୍ଖା ଆଉ ସୁହାଗ ସିନ୍ଦୁର l ଯେଉଁ ସୁହାଗସିନ୍ଦୁର ର ଶକ୍ତି ଆଗରେ ହାର୍ ମାନିଥିଲେ ସ୍ୱୟଂ ଯମରାଜ l
ଏମିତି ତ ଭଗବାନ୍ ଙ୍କୁ ଭକ୍ତି କରିବାର କୌଣସି ନିର୍ଦ୍ଦିଷ୍ଟ ସମୟ କିମ୍ବା ଦିନ ବାର ନଥାଏ l ତଥାପି ଗୋଟିଏ ଗୋଟିଏ ଦିନ ସମସ୍ତଙ୍କ ପାଇଁ ସମର୍ପିତ ଥାଏ l ସେମିତି ମା’ ସାବିତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଦିନଟିଏ ଜ୍ୟେଷ୍ଠ ମାସର ଅମାବାସ୍ୟା l ସାବିତ୍ରୀ ଙ୍କ ପାଇଁ ସମର୍ପିତ ଥିବାରୁ ଦିନଟି ସାବିତ୍ରୀ ଅମାବାସ୍ୟା ନାମରେ ନାମିତ l ଏହି ଦିନ ସୁହାଗିନୀ ନାରୀ ମାନେ ଉପବାସ ରହି ମା’ ସାବିତ୍ରୀଙ୍କ ସହିତ ଯମରାଜଙ୍କୁ ପୂଜା କରି ସ୍ୱାମୀଙ୍କ ଦୀର୍ଘ ଆୟୁଷ ଭିକ୍ଷା କରନ୍ତି l କେବଳ ସେତିକି ନୁହେଁ,କିନ୍ନର ମାନେ ମଧ୍ୟ ସାବିତ୍ରୀ ବ୍ରତ କରି ସାରା ଦୁନିଆଁ ର ମଙ୍ଗଳ ମନାସନ୍ତି l ପୂଜା ସ୍ଥଳରେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ l ନାନା ପ୍ରକାର ଫଳମୂଳ ନୈବେଦ୍ୟ ରୂପରେ ଅର୍ପଣ କରାଯାଏ l ସୁହାଗିନୀ ନାରୀ ମାନେ ଶାଢୀ,ଶଙ୍ଖା,ଚୁଡି,ସିନ୍ଦୁର ପୂଜା କରି ନେଇ ତା’କୁ ଧାରଣ କରନ୍ତି l
ଆଜି କିନ୍ତୁ ସମୟ ବହୁତ୍ ବଦଳି ଯାଇଛି l ତା’ ସହିତ ବଦଳି ଯାଇଛି ଭକ୍ତିର ମାର୍ଗ l ଏବେ ବି ଅନେକ ଆଦର୍ଶ ସୁହାଗିନୀ ନାରୀ ଅଛନ୍ତି ଯିଏ କି ଶଙ୍ଖାସିନ୍ଦୁର କୁ ନିଜ ପ୍ରଥମ ଗହଣା ବୋଲି ମାନି ନିଅନ୍ତି l ସେମିତି ନାରୀଙ୍କ ଆଗରେ ଆପଣା ଛାଏଁ ମଥାନତ ହୋଇଯାଏ l ହେଲେ ଅନ୍ୟ କିଛି ନାରୀଙ୍କ ପାଇଁ ଏହା ତାଙ୍କ ଇଚ୍ଛା ଉପରେ ନିର୍ଭର କରୁଥିବା ଏକ ଗହଣା l ଆଜି ଇଚ୍ଛା ହେଲା ତ ପିନ୍ଧିଦେଲେ,କାଲି ଇଚ୍ଛା ନାହିଁ ତ ହାତଖାଲି,ମଥାଖାଲି l କିଏ ଝିଅ ଆଉ କିଏ ବିବାହିତା ନାରୀ ସେଇଟା ଜାଣିବା ଆଜିକାଲି ବହୁତ୍ କଷ୍ଟ l ଅବଶ୍ୟ ସାବିତ୍ରୀ ବ୍ରତ ହେଉଛି ଏମିତି ଗୋଟିଏ ଦିନ ଯୋଉଦିନ କିଏ ଝିଅ ଆଉ କିଏ ବିବାହିତା ଅତି ସହଜରେ ଜଣା ପଡିଯାଏ l
ବର୍ଷର ଅର୍ଦ୍ଧାଧିକ ଦିନ ଶଙ୍ଖା ସିନ୍ଦୁର ନ ପିନ୍ଧି ନିଜକୁ ଆଧୁନିକା ଭାବୁଥିବା ନାରୀ ମାନେ ବି ସାବିତ୍ରୀ ଦିନ ସୁହାଗିନୀର ସନ୍ତକ ଧାରଣ କରଥା’ନ୍ତି l ଭାରି ପବିତ୍ର ଲାଗେ ଏଇ ଦିନଟି l ହେଲେ ଭକ୍ତି ଆଡକୁ ଯଦି ଯିବା ଠିକ୍ ସେଇ ଅବସ୍ଥା l ଭକ୍ତି ଆଉ ନିଷ୍ଠା କମ୍ ,ଦେଖାଣିଆ ସ୍ୱଭାବ ଟା ଯେତେକୁ ସେତେ l ସାବିତ୍ରୀ ପାଇଁ ଏବେ ପ୍ରତିଯୋଗିତା କଲା ଭଳି ଶାଢୀଗହଣା କିଣା ଯାଉଛି l ସାବିତ୍ରୀ ଉପଲକ୍ଷେ ନିଜ ସ୍ତ୍ରୀ ଙ୍କୁ ବହୁମୂଲ୍ୟ ଶାଢୀଗହଣା ଉପହାର ଦେଉଥିବା ସ୍ୱାମୀମାନେ ଗଡ ଜିତିଲା ଭଳି ଗର୍ବରେ ଛାତି ଫୁଲେଇ ଚାଲୁଥିଲା ବେଳେ କମ୍ ଦାମ୍ ର ଉପହାର ଦେଉଥିବା ସ୍ୱାମୀମାନେ ମୁହଁଶୁଖାଇ ବାଟ ଚାଲୁଛନ୍ତି l
ଆମ ଗାଁ ରେ ସାବିତ୍ରୀ ଦିନ ସବୁ ସୁହାଗିନୀ ନାରୀ ମାନେ ଗୋଟେ ଜାଗାରେ ଏକାଠି ହେଇ ପୂଜା କରନ୍ତି l ମୁଁ ଟିକେ ପୂଜା ଦେଖିବା ବାହାନା ରେ ସେଠିକୁ ଯାଏ l ଯେହେତୁ ମୁଁ ଝିଅଟିଏ ପୂଜା ଦେଖିବାରେ ସେମିତି କିଛି ଆଗ୍ରହ ନଥାଏ l ହେଲେ ସେଇଠି ମତେ ବିଭିନ୍ନ ଲାଟେଷ୍ଟ୍ ଡିଜାଇନ୍ ର ଶାଢୀ ଓ ଗହଣା ଦେଖିବାର ସୁଯୋଗ ମିଳୁଥିବାରୁ ମୁଁ ସେଇସବୁ ଦେଖିବାକୁ ଯାଏ l କିନ୍ତୁ ଏବର୍ଷ ଲକ୍ ଡାଉନ୍ ଚାଲିଥିବାରୁ ପରିସ୍ଥିତି ଟିକିଏ ଅଲଗା ଥିଲା l ସମସ୍ତେ ସାମାଜିକ ଦୂରତା ରଖି ପୂଜା କରୁଥା’ନ୍ତି l ମା’ ଙ୍କ ପୂଜା ଚାଲିଥାଏ l ନନା ସାବିତ୍ରୀ ଉପାଖ୍ୟାନ ପାଠ କରୁଥା’ନ୍ତି l କିଛି ନାରୀ ହାତଯୋଡି ଭକ୍ତି ଗଦ୍ ଗଦ୍ ହୋଇ ମା’ଙ୍କ ପାଖରେ ସ୍ୱାମୀଙ୍କ ମଙ୍ଗଳ ମନାସୁ ଥାଆନ୍ତି l ସମସ୍ତଙ୍କ ଶୃଙ୍ଗାର ଦେଖି ଏମିତି ଲାଗୁଥାଏ ଯେମିତି ସମସ୍ତେ ଲକ୍ଷ୍ମୀ ସରସ୍ୱତୀ ଙ୍କର ଗୋଟେ ଗୋଟେ ରୂପ l ପ୍ରକୃତରେ ବି ସେୟା ନୁହେଁ ତ ଆଉ କ’ଣ l ପ୍ରତୈକ ନାରୀ ମା’ ଙ୍କର ଗୋଟିଏ ଗୋଟିଏ ଅଲଗା ଅଲଗା ରୂପ ମାତ୍ର l
ସେଇ ସାମାଜିକ ଦୂରତା ଭିତରେ ବି ଆମ ଲତା ମାଉସୀ,ରୀନା ମାଉସୀ,ଅଙ୍କିତା ଭାଉଜ ଏମିତି କେତେଜଣଙ୍କ ଭିତରେ ଚାଲିଥାଏ ଦୁ:ଖସୁଖ ଆଲୋଚନା l ନନା ମଝିରେ ମଝିରେ କହୁଥାଆନ୍ତି – ମା’ ମାନେ ଟିକେ ନୀରବତା ରକ୍ଷା କରନ୍ତୁ l ହେଲେ ସେକଥା ପ୍ରଭାବଶୂନ୍ୟ ହୋଇ ଯାଉଥାଏ l ଆରେ,ନୀରବତା କେମିତି ରକ୍ଷା ହେବ l ଏଥର ପା କରୋନା ଚାଲିଛି l ଲକ୍ ଡାଉନ୍ l ଆମେ ତ ଦୂରେଇ ଦୂରେଇ ବସିଛୁ l ଆଉ ଟିକେ ବଡ ପାଟିରେ ନ କହିଲେ କ’ଣ କିଛି ଶୁଭୁଛି କାହାକୁ l କୋଉ ଦି’ ତିନି ମାସ ପରେ ସମସ୍ତେ ଏକାଠି ହେଇଛୁ l ଟିକେ ଭଲମନ୍ଦ ଦୁ:ଖସୁଖ ହବୁନି ନା କ’ଣ l ରୀନା ମାଉସୀ ଟିକେ ଭଲଶାଢୀ ଆଣିଥିବାରୁ ସେ ଟିକେ ବଡପଣ ଦେଖଉଥାଏ l ମଉସା ତ ସରକାରୀ ଚାକିରିଆ l ଲକ୍ ଡାଉନ୍ ର ଅସୁବିଧା ସେ ବା କ’ଣ ଜାଣିବ l ହେଲେ ଲତା ମାଉସୀ ମୁହଁ ଟାକୁ ଆମ୍ବିଳା କରି ବସିଥାଏ l ତା’ର ଟିକେ ସୂତାଶାଢୀ l କାରଣ ଏ ଯାଏଁ ମଉସାଙ୍କ ଦରମା ମିଳିନି l
ଅଙ୍କିତା ଭାଉଜର ମନଦୁ:ଖ l ଏଥର ଭାଇ ଆସି ପାରି ନାହାଁନ୍ତି l ମାନେ ଆସିଛନ୍ତି ଯେ ହେଲେ ,ଆର ପଟ ଗାଁ ରେ କ୍ୱାରେଣ୍ଟାଇନ୍ ରେ ଅଛନ୍ତି l ସିୟାଡୁ ଭାରି ତରତର ହେଇ ଆସିଲା ଆମ ଗାଁ ସୁନୀ ଭାଉଜ l ସେ ଭାରି ଖୁସି ଜଣା ପଡୁଥାଏ l ତା ହାତରେ ଥାଏ ଗୋଟେ ଭୋଗଡାଲା l ସେଇଥିରେ ଥାଏ ଦି’ଟା କଦଳୀ,ନାଲି ଶଙ୍ଖା ଦୁଇପଟ,ମୁଠାଏ ପାଣିଚୁଡି,ଫତାଏ ସିନ୍ଦୁର ଆଉ ଗୋଟେ ବ୍ରତ l ଏଇବର୍ଷ ସୁନୀ ଭାଉଜର ପ୍ରଥମ ସାବିତ୍ରୀ l ଚଗଲା ଭାଇ ରାଜମିସ୍ତ୍ରୀ ହେଲପର୍ l ହେଲେ ଏବେ କାମ ବନ୍ଦ ଥିବାରୁ ତାଙ୍କ ଘରେ ଦି’ ଓଳି ଚୂଲୀ ଜଳିବା କଷ୍ଟ l ଆମେ ଭାବିଥାଉ ସୁନୀ ଭାଉଜର ଏଇଟା ପ୍ରଥମ ସାବିତ୍ରୀ l ଚଗଲା ଭାଇ କିଛି ଦେଇନି l ସାବିତ୍ରୀ ଦିନ ବୋଧେ ତାଙ୍କ ଘରେ ଗୋଟେ ମହାଭାରତ ହେବ l
ହେଲେ ସେମିତି କିଛି ନାହିଁ l ସୁନୀ ଭାଉଜ ତ ପୁରା ଖୁସି l ମୁଁ ଭାବୁଥାଏ ଆରେ ବଡ ଘରର ସ୍ତ୍ରୀ ଲୋକମାନେ ଏଠି ଉଷୁନାହାଣ୍ଡି ଭଳିଆ ମୁହଁ କରି ବସିଥିବା ବେଳେ ସୁନୀ ଭାଉଜ କ’ଣ ଏତେ ଖୁସୀ l ମୁଁ ପଚାରିଦେଲି କ’ଣ ହେଇଛି କି ମୋ ଭାଉଜ ଆଜି ଏତେ ଖୁସି l ତରତର ହେଇ ସୁନୀ ଭାଉଜ କହିଲା – ଆଉ ଖୁସି ହେବିନି କହିଲ l ମୁଁ କେଡେ ଭାଗ୍ୟବତୀ l ଆଜି ଭଳି ଦିନରେ ତମ ଭାଇ ମୋ ପାଖରେ ଅଛନ୍ତି l ମୁଁ ତ କେବେ ଭାବି ନଥିଲି ଏସବୁ ଜିନିଷ କିଣି ପାରିବି ବୋଲି l କାଲି କେଲୁଣୀ ଆସିଥିଲା ଯେ ମୋ ପାଖେ ପଇସା ନଥିଲା l ଆଜି ତମ ଭାଇ ଏସବୁ କିଣି ଆଣି ଦେଲେ ଏଇନେ l ଶାଢୀ ପାଇଁ ପଇସା ହେଲାନି l ହଉ ନହେଲା ନାହିଁ l ଦିହ ଅଛି ତ ମଣିଷ କେତେ ଶାଢୀ ପିନ୍ଧିବ,କେତେ ଗହଣା ନାଇବ l ହେଲେ ଦରକାର ଥିଲା ଖାଲି ନାଲିଶଙ୍ଖା ଦି’ପଟ ଆଉ ସିନ୍ଦୁର ଫତାଏ l ଏଇ ତ ମୋ ବଡ ଗହଣା l ଯା ହଉ ମା’ଙ୍କ ଦୟାରୁ ସେତିକି ହେଇଗଲା l
ସୁନୀ ଭାଉଜ ମୁହଁରେ ଦେଖାଯାଉଥାଏ ଗଭୀର ଆତ୍ମସନ୍ତୋଷ l ସୁନୀ ଭାଉଜର ଭକ୍ତି ଦେଖି ମୋ ହାତଟା ବି ଆପଣାଛାଏଁ ଯୋଡି ହେଇଗଲା l ହାତ ଯୋଡିଦେଇ କହିଲି – ହେ ମା’ ସାବିତ୍ରୀ, ତମ କରୁଣାବାରି ସବୁ ସୁହାଗିନୀ ମାନଙ୍କ ପାଇଁ ସବୁଦିନେ ଝରୁଥାଉ l ସବୁ ସତ୍ୟବାନ୍ ମାନଙ୍କ ଆୟୁଷରେ ଆଉ ଶହେ ବର୍ଷ ଆୟୁଷ ଯୋଡିଦିଅ ମା’ l ସମସ୍ତଙ୍କ ଶଙ୍ଖା ବଜ୍ର ହେଇଯାଉ l ଆଉ ଆଜି ଗୋଟିଏ ଦିନ ପାଇଁ ନହେଇ ପ୍ରତୈକ ଦିନ ସବୁ ସୁହାଗିନୀଙ୍କ ହାତରେ ରହୁ ଶଙ୍ଖା,ଗଳାରେ ରହୁ ମଙ୍ଗଳପ୍ରଦାୟିନୀ ମଙ୍ଗଳସୂତ୍ର ଓ ମଥାରେ ଝଟକୁଥାଉ ସୁହାଗ ସିନ୍ଦୁର l
ସତରେ ଏ ଦୁନିଆଁ ରେ ପତିବ୍ରତା ନାରୀଙ୍କର ଅଭାବ ନାହିଁ l ଏଠି ପ୍ରତୈକ ନାରୀଙ୍କ ଭିତରେ ଲୁଚି ରହିଛନ୍ତି ଜଣେ ଜଣେ ‘ଦେବୀ ସାବିତ୍ରୀ’ l ସେ ‘ଦେବୀ ସାବିତ୍ରୀ’ ଙ୍କୁ ଜାଗ୍ରତ କରେଇବାରେ ମାନବୀ ସାବିତ୍ରୀ ମାନେ ଚେଷ୍ଟାରତ ହୁଅନ୍ତୁ l ସତ୍ୟବାନ୍ ମାନେ ନିଜ ସାବିତ୍ରୀ ମାନଙ୍କ ପାଇଁ ନିଷ୍ଠା ର ପରକାଷ୍ଠା ଦେଖାନ୍ତୁ l ସେ ଯୁଗର ସାବିତ୍ରୀ ସତ୍ୟବାନ୍ ଙ୍କ ପବିତ୍ର ବନ୍ଧନ ଭଳି ବାନ୍ଧି ହେଇଯାଉ ଏ ଯୁଗର ସାବିତ୍ରୀ ସତ୍ୟବାନ୍ ଙ୍କ ବନ୍ଧନ l